ବାଙ୍ଗିରିପୋଷି,୧୭/୦୪: କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟର ପରିବହନ ବ୍ୟବସ୍ଥାକୁ ସୁଗମ ପାଇଁ ନୂଆ ରାସ୍ତା ଓ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଭୁବନେଶ୍ୱର ଠାରେ ହେବାକୁ ଥିବା ବିରାଟ ସଭାରୁ ସେ ୪ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ମୋଟ ୧୫୪ କିମି ଦୀର୍ଘ ୧୯ ଟି ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ ଓ ଘୋଷଣା କରିବେ। ତେବେ ଉକ୍ତ ଘୋଷଣାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅନ୍ତର୍ଗତ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟି (ଦ୍ୱାରଶୁଣି ଘାଟି) ର ଦୀର୍ଘ ୧୦ କିମି ରାସ୍ତା ମଧ୍ଯ ସାମିଲ ରହିଛି। ୪ ଲେନ୍ ବିଶିଷ୍ଟ ହେବାକୁ ଥିବା ଏହି ରାସ୍ତାର ପ୍ରାଥମିକ ବ୍ୟୟ ଅଟକଳ ମୂଲ୍ୟ ୧୩୫ କୋଟି ଟଙ୍କା ରହିଛି। ତେବେ ଦୀର୍ଘ ଦିନ ଧରି ଦାବି ହେଉଥିବା ଏହି ରାଜରାସ୍ତା ପ୍ରକଳ୍ପର ଶୁଭାରମ୍ଭକୁ ନେଇ ବାଙ୍ଗିରିପୋଷି ଅଞ୍ଚଳରେ ଖୁସିର ମହୋଲ ଛାଇ ଯାଇଛି । ନିକଟ ଅତୀତରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ ପ୍ରତ୍ୟକ୍ଷ ଭାବେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କରି ଘାଟି ରାସ୍ତାର ସମ୍ପ୍ରସାରଣ ନେଇ ଆଲୋଚନା କରିବା ସହ ଦାବୀପତ୍ର ମଧ୍ଯ ଦେଇଥିଲେ । ଅନ୍ୟପକ୍ଷେ ଲୋକସଭା ସାଂସଦ ନବ ଚରଣ ମାଝୀ ଓ ରାଜ୍ୟସଭା ସାଂସଦ ମମତା ମହାନ୍ତ ମଧ୍ଯ ନିଜର ଦିଲ୍ଲୀ ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କୁ ଭେଟି ବାଙ୍ଗିରିପୋଷି ଘାଟି ରାସ୍ତାର ଉନ୍ନତିକରଣ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ । ସେହିପରି ଭଞ୍ଜସେନା ପରି ବିଭିନ୍ନ ସଂଗଠନ ତରଫରୁ ମଧ୍ଯ ଘାଟି ରାସ୍ତାର ସମ୍ପ୍ରସାରଣ ପାଇଁ ଦାବି ହେଉ ଆସୁଥିଲା।