ଉପଖଣ୍ଡସ୍ତରୀୟ ୯୦ତମ ଓଡିଶା ଦିବସ ପାଳିତ; ଛାତ୍ରଛାତ୍ରୀଙ୍କ ସମେତ ବରିଷ୍ଠ ସାମ୍ବାଦିକ ପୁରସ୍କୃତ ।

0 249

ଭଞ୍ଜନଗର, ୦୧/୦୪(ପିପିଟି):ଉପଖଣ୍ଡ ସୂଚନା ଓ  ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଭଞ୍ଜନଗର ସଦର ମହକୁମାରେ ମଙ୍ଗଳବାର ଓଡିଶା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହା ସହ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନର ନେତୃତ୍ୱ ନେଇଥିବା ମହାପୁରୁଷଙ୍କ ସ୍ମୃତି ଚାରଣ କରିବା ସହ ଘୁମୁସରର ଅବଦାନକୁ ମନେ ପକାଇଥିଲେ।କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବୀର ଚକରା ବିଷୋୟୀଙ୍କ ପାଇଁ ଆଜି ଏହି ଘୁମୁସର ମାଟି ଗର୍ବିତ ବୋଲି ବିଧାୟକ ଶ୍ରୀ ନାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମାଉବିଦ୍ୟାଳୟର ପ୍ରାକ୍ତନ ପ୍ରଧ୍ୟାପକ ଦାମୋଦର ଷଡ଼ଙ୍ଗୀ ଯୋଗଦେଇ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମୁଖ୍ୟ ଭୁମିକା ଗ୍ରହଣ କରିଥିବା ଉତ୍କଳଗୌରବ ମଧୁସୂଦନ ଦାସ,ଉତ୍କଳମଣି ଗୋପବନ୍ଧୁ ଦାସ,ବ୍ୟାସକବି ଫକୀର ମୋହନ ସେନାପତି, କର୍ମବୀର ଗୌରୀଶଙ୍କର ରାୟ,ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି,ମୟୂରଭଞ୍ଜ ଶାସକ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ,ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଭଳି ଅନେକ ମହାପୁରୁଷଙ୍କ ଅବଦାନ ବାବଦରେ କହିଥିଲେ।ଏହା ସହ ଓଡିଶା କିପରି ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହେଲା ଓ ମାନ୍ୟତା ପାଇଲା ତାହା ଉପରେ ତନ୍ନତନ୍ନ କରି ଆଲୋଚନା କରିଥିଲେ।ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଯୋଗଦେଇ ସେହି ସମୟରେ ମାଡ୍ରାସ ପ୍ରେସିଡେନ୍ସି ଅଧିନରେ ଥିବା ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକ କିଭଳି ଥିଲା ଓ ୧୮୭୦ରେ ରସୁଲକୋଣ୍ଡା ଠାରେ ହୋଇଥିବା ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ପ୍ରଥମ ବୈଠକ ବାବଦରେ କହିଥିଲେ।ଏହା ସହ ସରକାରଙ୍କ ସ୍ବଚ୍ଛ ଓ ପ୍ରଭାବି ଶାସନ ସହ ଜନସାଧାରଣଙ୍କ ସହଯୋଗ ଫଳରେ ୨୦୩୬ ସ୍ବତନ୍ତ୍ର ଓଡିଶା ଗଠନର ଶତବାର୍ଷିକୀ ପାଳନ ସମୟରେ ଓଡିଶା ଏକ ବିକଶିତ ରାଜ୍ୟରେ ପରିଗଣିତ ହୋଇଥିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା ନିଜ ବକ୍ତବ୍ୟ ରେ କହିଥିଲେ।ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଏନଏସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ବି.ଡ଼ି.ଓ ପୁର୍ଣ୍ଣଚନ୍ଦ୍ର ପାଢୀ, ତହସିଲଦାର ଅବିନାଶ ମାହାର,ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ ପ୍ରମୁଖ ଯୋଗଦେଇ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ଓ ଘୁମୁସରର ଅବଦାନ ବାବଦରେ କହିଥିଲେ।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଜୟକୃଷ୍ଣ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଦେଶାତ୍ମବୋଧ ସଂଗୀତ ପ୍ରତିଯୋଗୀତା ଏବଂ ତର୍କ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ପ୍ରାତଃ ସମୟରେ ସ୍ଥାନୀୟ ବିଧାୟକ ଶ୍ରୀ ନାୟକ, ଉପଜିଲ୍ଲାପାଳ ଶ୍ରୀ ବେହେରାଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ଭଞ୍ଜନଗର ସହରରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଏହା ସହ ଓଡିଶା ବରପୁତ୍ରମାନଙ୍କ ଫଟୋ ଥାଇ ରଥ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ଉକ୍ତ ଉତ୍ସବକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ପରିଚାଳନା କରିଥିବା ବେଳେ ବିଭାଗୀୟ ବରିଷ୍ଠ କର୍ମଚାରୀ ପ୍ରଦୀପ କୁମାର ପାତ୍ର ଓ ତାରିଣୀ ସାହୁ ସହଯୋଗ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.