ସମ୍ବଲପୁର,୧୭/୦୩: ସମ୍ବଲପୁର ସହରର ଧନୁପାଲି ଥାନା ଅନ୍ତର୍ଗତ ଗେଙ୍ଗୁଟିପାଲି ସ୍ଥିତ ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଏହି ଟାଙ୍କିରୁ ମୋତିଝରଣ ଅଞ୍ଚଳର ଶେଖ୍ ହୁସେନଙ୍କ ମୃତଦେହ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସମ୍ବଲପୁର ସହରର ମୋତିଝରଣ ଅଞ୍ଚଳରେ ରହୁଥିବା ଶେଖ୍ ହୁସେନ (୫୫) କବାଡି ବ୍ୟବସାୟ କରୁଥିବା ବେଳେ ଗତକାଲି ଅପରାହ୍ନ ପ୍ରାୟ ୨.୩୦ ପରେ ଅଚାନକ ସେ ନିଖୋଜ ଥିଲେ। ପରିବାର ବର୍ଗ ବହୁ ଖୋଜାଖୋଜି ସତ୍ତ୍ୱେ ତାଙ୍କୁ ପାଇଁ ନ ଥିଲେ । ତେବେ ସୋମବାର ସକାଳ ସମୟରେ ଗେଙ୍ଗୁଟିପାଲି ଠାରେ ସ୍ଥିତ ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ମଧ୍ୟରୁ ନିଖୋଜ ଥିବା ଶେଖ୍ ହୁସେନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ନେଇ ସ୍ଥାନୀୟ ଲୋକଙ୍କ ଠାରୁ ସୁଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଘଟଣାରେ ସ୍ଥଲରେ ସମ୍ବଲପୁର ଅଗ୍ନିଶମ ସେବାକେନ୍ଦ୍ର ପକ୍ଷରୁ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପରିତ୍ୟକ୍ତ ପାଇଖାନା ଟାଙ୍କି ମଧ୍ୟରୁ ମୃତଦେହକୁ ଉଦ୍ଧାର କରିଛି। ତେବେ ମୃତବ୍ୟକ୍ତିଙ୍କ ପରିବାର ଲୋକେ ଶେଖ୍ ହୁସେନଙ୍କୁ ହତ୍ୟା କରାଯାଇଥିବାର ନେଇ ଅଭିଯୋଗ କରିଛନ୍ତି। ପୁଲିସର ସାଇନ୍ଟିଫିକ ଦଳ ମଧ୍ୟ ଘଟଣାସ୍ଥଳରେ ପହୁଞ୍ଚାଇ ତଦନ୍ତ ଆରମ୍ଭ କରିଛି। ସୂଚନଯୋଗ୍ୟ ଯେ, ବିଗତ ୨ ଦିନ ମଧ୍ୟରେ ସମ୍ବଲପୁରରେ ଦ୍ୱିତୀୟ ହତ୍ୟା ଘଟଣା ଅଟେ।