କୋଦଳା,୧୧/୦୨(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଏସ. ଛଚିନା ପଞ୍ଚାୟତ ଉଜ୍ୱଳପଲ୍ଲୀ ଗ୍ରାମରେ ନବ ରାତ୍ର ନାମ ଯଜ୍ଞ ନଅ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଦିନ ସକାଳେ ସୂର୍ଯ୍ୟ ପୂଜା ନୈଷ୍ଠୀକ ବ୍ରାହ୍ମଣଙ୍କ ଦ୍ୱାରା ମନ୍ତ୍ରପାଠ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଚଳିତ ମାସ ୧ ତାରିଖ ଦିନ ଅଙ୍କୁରରୋପଣ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଅନେକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ । ସୋମବାର ଠାରୁ ଦିବାରାତ୍ର ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ନଅ ଦିନ ବ୍ୟାପି ହେବା ସହ ମଙ୍ଗଳବାର ପୂର୍ଣ୍ଣାହୁତି ହୋଇଯାଇଛି । ସକାଳୁ ଭକ୍ତଙ୍କ ଗହଣରେ ଠାକୁର ଫଗୁ ଖେଳି ଗ୍ରାମ ପରିକ୍ରମା କରିଥିଲେ । ଘଣ୍ଟ କୀର୍ତ୍ତନ ନାଚ ଗୀତ ର ତାଳେ ତାଳେ ଭକ୍ତ ମାନେ ଗ୍ରାମ ପରିକ୍ରମା କରିଥିଲେ । ପରିଶେଷରେ ନାମ ମଣ୍ଡପ ନିକଟରେ ଦଧି ହାଣ୍ଡି ଭଙ୍ଗା ଯାଇଥିଲା । ଏହା ପରେ ନିକଟରେ ଥିବା ଖରଖରୀ ନଦୀରେ ବିସର୍ଜନ କରି ଯମୁନା ସ୍ନାନ କରିଥିଲେ । ୨ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ନଅ ଦିନ ବ୍ୟାପି ସମସ୍ତ ଭକ୍ତଙ୍କ ପାଇଁ ଅନ୍ନ ଯଜ୍ଞର ବ୍ୟବସ୍ଥା କରାଯାଇଥିଲା । ଏଥିରେ ଗ୍ରାମବାସୀ, ଯୁବକ ସଙ୍ଘ ଓ ଆଖପାଖ ଅଞ୍ଚଳର ଭକ୍ତ ମାନେ ଯୋଗ ଦେଇ ସହଯୋଗ କରି ଥିଲେ । ଏ ନେଇ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)