ଯାଜପୁର,୨୯/୦୧(ପିପିଟି): ଯାଜପୁର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଫୁଟବଲ ଆସୋସିଏସନ୍ ଅଫ ଓଡ଼ିଶାର ପୃଷ୍ଟପୋଷକତାରେ ସ୍ଥାନୀୟ ବ୍ୟାସନଗର ସ୍ଥିତ ଷ୍ଟାଡିୟମରେ ଚାଲୁଥିବା ୧୫ ବର୍ଷରୁ କମ ସି.ଏମ ଟ୍ରଫି ଆନ୍ତଃକ୍ଳବ୍ ଫୁଟବଲ ଉଦଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚକୁ କଳିଙ୍ଗ ନଗର ସ୍ପୋର୍ଟସ ଏକାଡେମୀ ଓ ବାଘୁଆପାଳ ଏଫ୍.ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦୁଇ ଦଳ ଖୁବ୍ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ଦଳ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। କଳିଙ୍ଗନଗର ସ୍ପୋର୍ଟସ ଏକାଡେମୀ ତରଫରୁ ୪୬ ମିନିଟରେ କୁନା ମାଝୀ ପ୍ରଥମ ଗୋଲ ଦେଇଥିବାବେଳେ ଖେଳର ୬୬ ମିନିଟରେ ଚମ୍ପାଇ ଗାଗରାଲ ଗୋଲ ଦେଇ ଖେଳକୁ ସମାନ ସ୍ତରରେ ପହଞ୍ଚିଥିଲେ। ଅତିରିକ୍ତ ସମୟରେ କଳିଙ୍ଗନଗର ସ୍ପୋର୍ଟସ ଏକାଡେମୀର ରସିକ ପିଙ୍ଗୁଆ ୭୪ ମିନିଟରେ ଏବଂ କୁନା ମାଝୀ ୭୮ ମିନିଟରେ ଗୋଲ ଦେଇ ୩-୦୧ ଗୋଲରେ ଦଳକୁ ବିଜୟ ଭେଟି ଦେଇଥିଲେ । ଆଜିର ଖେଳରେ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ସମ୍ବିତ ମହାନ୍ତି, କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି, ସହ ସମ୍ପାଦକ ବି.ଏସ.କେ ସାମଲ ଓ ନିରଞ୍ଜନ ପୃଷ୍ଟି ଏବଂ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଖେଳଟିକୁ ସୁଚାରୁରୂପେ ସମାପନ କରିଥିଲେ। ଶିବ ଡାଙ୍ଗିଲ,ମୁନ ମୁନ ସୀମାତ,ଦୁଃଖବନ୍ଧୁ ମାଝୀ,ପୁରୁଷୋତ୍ତମ ହାଁସଦା ଓ ରାମ ବାଲାଇ ବେଶ୍ରା ରେଫରୀ ଭାବରେ ଖେଳ ପରିଚାଳନା କରିଥଲେ।