ଅମର୍ଦ୍ଦାରୋଡ଼,୨୭/୦୧: ସିଂଲା ଥାନା ବାହାଦଲପୁର ଛକ ନିକଟରେ ଦୃତ ଗତିରେ ଯାଉଥିବା ଏକ ଟ୍ରାକ୍ଟରକୁ ସାଇଟ୍ ଦେବାକୁ ଯାଇ ଗୋଟିଏ ଟାଟା ଏସିଇ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟିବା ଯୋଗୁ ଭ୍ୟାନରେ ଭର୍ତ୍ତିଥିବା ଶ୍ରୀକୃଷ୍ଣଙ୍କ ୩୦ ବେଶ ପାଇଁ ଆଜ୍ଞା ମାଳ ଆଣିବାକୁ ଯାଉଥିବା ରାୟପୁର ଗ୍ରାମବାସୀଙ୍କ ମଧ୍ୟରୁ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ପାଞ୍ଚ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ସୋମବାର ସକାଳ ୭.୩୦ ମିନିଟ ସମୟରେ ରାୟପୁର ଗ୍ରାମ ର ୧୫ ରୁ ଉର୍ଦ୍ଧ୍ବ ମହିଳା ଏକ ଟାଟା ଏସିଇ ଭ୍ୟାନ ଯୋଗେ ବାଲିଆପାଟି ଜଗନ୍ନାଥ ମନ୍ଦିର ଗାଡିଆରୁ ପାଣି ଆଣି ରାୟପୁର ଗ୍ରାମକୁ ଯାଉଥିବା ବେଳେ ବାହାଦଲପୁର ଛକ ନିକଟରେ ଜାମଶୁଳି ପଟୁ ଦୃତ ଗତିରେ ଏକ ଟ୍ରାକ୍ଟର ଯାଉଥିବା ବେଳେ ଟ୍ରାକ୍ଟରକୁ ସାଇଟ୍ ଦେବାକୁ ଯାଇ ଟାଟା ଏସିଇ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟି ପଡିଥିଲା। ଫଳରେ ଘଟଣା ସ୍ଥଳରେ ୧୫ ରୁ ଉର୍ଦ୍ଧ୍ବ ମହିଳା,ପୁରୁଷ, ଛୋଟ ପିଲା ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏସିଇ ଭ୍ୟାନଟି ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ସିଂଲା ପୋଲିସ ଅନୁସନ୍ଧାନ ଚଳାଇ ଭ୍ୟାନଟିକୁ ସନ୍ଧ୍ୟାରେ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ମାଲ ପରିବହନ ଲାଗି ଉଦ୍ଦିଷ୍ଟ ଭ୍ୟାନଟି ଲୋକ ଭର୍ତ୍ତି କରି ନେଇଥିବା ଏବଂ ପରିବହନ ନିୟମ ଓ ଧାରାକୁ ଉଲଂଘନ କରିଥିବାରୁ ପୁଲିସ ଏଥିପ୍ରତି କଣ କାର୍ଯ୍ୟାନୁଷ୍ଠାନ ଗ୍ରାହଣ କରୁଛି ତାହା ସାଧାରଣରେ ଦେଖିବାକୁ ବାକି ରହିଛି।