ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟର ୩ୟ ବାର୍ଷିକ ଉତ୍ସବ “ଉଲ୍ଲାସବୋଧ” ଅନୁଷ୍ଠିତ ।

0 332

ପୋଲସରା, ୨୪/୧୨(ପିପିଟି) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ହାତୀଓଟ ଗ୍ରାମର ଓଡିଶା ଆଦର୍ଶ ବିଦ୍ୟାଳୟ(OAV)ର ୨୦୨୪ ବାର୍ଷିକ ଉତ୍ସବ ଉଲ୍ଲାସବୋଧ (EUPHORIA) ଡିସେମ୍ବର ୨୩ ତାରିଖ ଦିନ ବିଦ୍ୟାଳୟର ପ୍ରିନ୍ସପାଲ ତ୍ରିଲୋଚନ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ ଏବଂ ସମ୍ମାନୀତ ଅତିଥି ଭାବେ ତହସିଲଦାର ଦୀପ୍ତିମୟୀ ପାତ୍ର, ସରପଞ୍ଚ ପ୍ରତିନିଧି ତଥା ଆଇନଜୀବୀ ସୁଶାନ୍ତ କୁମାର ସାହୁ, ସମିତି ସଭ୍ୟ କାହ୍ନୁଚରଣ ସାହୁ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ମଲ୍ଲିକ, ଶିକ୍ଷାକୁ ମାପକାଠି କରି ପିତାମାତା ଓ ଗୁରୁଜନମାନଙ୍କୁ ଭକ୍ତିକରି ଚାଲିରେ ଜୀବନ ସାର୍ଥକ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ସେହିପରି ଆଇନଜୀବୀ ଶ୍ରୀ ସାହୁ ହାତୀଓଟରେ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇ ଶିକ୍ଷା କ୍ଷେତ୍ରରେ ଏକ ମାଇଲି ଖୁଣ୍ଟ ହୋଇ ଛିଡା ହୋଇଛି ବୋଲି ପ୍ରକାଶ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ୪୩ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ଟ୍ରଫି ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ଇଂରାଜୀ ଶିକ୍ଷୟତ୍ରୀ ଉର୍ମିଳା ସାହୁଙ୍କ ଏକ କବିତା ପୁସ୍ତିକା ଉନ୍ମୋଚିତ ହୋଇଥିବା ବେଳେ କମ୍ପୁଟର ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ସହକାରୀ ଶିକ୍ଷୟିତ୍ରୀ ଶ୍ରାବଣୀ ଦାସ ସଂଯୋଜନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଗାୟତ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.