ଧାମନଗର ସମନ୍ବିତ ଶିଶୁ ବିକାଶ ସେବା କାର୍ଯ୍ୟାଳୟକୁ ଚାଉଳ ଯୋଗାଉଥିବା ଠିକାଦାରଙ୍କ ଗୋଦାମକୁ ସିଲ କଲା ପ୍ରଶାସନ ।

0 266

ଭଦ୍ରକ,୨୬/୧୧: ଭଦ୍ରକ ଜିଲ୍ଲା ଧାମନଗରରେ ସମନ୍ବିତ ଶିଶୁ ବିକାଶ ସେବା କାର୍ଯ୍ୟାଳୟକୁ ଚାଉଳ ଯୋଗାଉଥିବା ଠିକାଦାରଙ୍କ ଗୋଦାମକୁ ସିଲ୍ କରି ଦିଆଯାଇଛି । ଧାମନଗର ସିଡିପିଓ ଧରିତ୍ରୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଦୀପକ ଦାସ ଏହାକୁ ସିଲ୍ କରିଛନ୍ତି। ମଙ୍ଗଳବାର ଅପରାହଣରେ ତହସିଲଦାର ଏକ ଟିମ୍ ଧରି ଧାମନଗର ମୁନସିପାଟଣାରେ ଥିବା ଏହି ଗୋଦାମରେ ପହଞ୍ଚି ଦୁଇଟି ଦ୍ବାରରେ ଥିବା ତାଲାକୁ ଜଉମୁଦ ମାରି ସିଲ୍ କରିଥିଲେ। ଧାମନଗର ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଇବା ଲାଗି ଧାମନଗର ମୁସିପାଟଣା ଅଞ୍ଚଳର ଠିକାଦାର ମହମ୍ମଦ ଫଉଜୁଦ୍ଦିନ ୨୦୨୦ରୁ ଟେଣ୍ଡର ନେଇଥିଲେ। ଏହାପରେ ସେ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଇ ଆସୁଥିଲେ। ଆଇସିଡିଏସ ଯୋଜନାର ଫଡଷ୍ଟଫ ବା ଖାଦ୍ୟ ସାମଗ୍ରୀ ଯୋଗାଣ ନିୟମ ଅନୁସାରେ ସଂପୃକ୍ତ ଠିକାଦାର ନିର୍ଦ୍ଧାରିତ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)ର ଗୋଦାମରୁ ଚାଉଳ ଉଠାଇବେ। ଏହାପରେ ନିଜ ଅଞ୍ଚଳରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ବାଣ୍ଟିବେ ବା ଯୋଗାଇଦେବେ। ହେଲେ ମହମ୍ମଦ ଫଉଜୁଦ୍ଦିନ ସିଧା ଅଙ୍ଗନୱାଡ଼ି କେନ୍ଦ୍ରରେ ଚାଉଳ ନ ବାଣ୍ଟି ନିଜ ଘର ପାଖରେ କରିଥିବା ଗୋଦାମରେ ରଖୁଥିଲେ।

ଗୋଦାମରେ ରହୁଥିବା ଚାଉଳ ବସ୍ତାରୁ କିଛି କିଛି ଚାଉଳ ବାହାର କରି ନେଉଥିଲେ। ତା ପରେ ସେଠାରୁ ଛୋଟ ଗାଡ଼ିରେ ଚାଉଳ ବସ୍ତା ନେଇ ଅଙ୍ଗନବାଡ଼ି କେନ୍ଦ୍ରରେ ଦେଉଥିଲେ। ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ବସ୍ତାର ଓଜନ କମ୍ ରହୁଥିବା ନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ଏପରିକି ମଝିରେ ମଝିରେ ଗୋଟିଏ ଗୋଟିଏ ମାସ ଚାଉଳ ଆଦୌ ଦେଉନଥିଲେ ବୋଲି କର୍ମୀମାନେ ଅଭିଯୋଗ କରି ଆସଉଥିଲେ। ଏନେଇ ବାରମ୍ବାର ଅଭିଯୋଗ ପରେ ଜିଲ୍ଲାପାଳଙ୍କ ପାଖରେ ଖବର ପହଞ୍ଚିଥିଲା । ଏହାର ତଦନ୍ତ କରିବାକୁ ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୂଆ ସିଡିପିଓ ସଂପୃକ୍ତ ଠିକାଦାରଙ୍କୁ ବାରମ୍ବାର ଡାକିଥିଲେ ବି ସେ ଆସୁନଥିଲେ। ଏହାପରେ ସିଡିପିଓ ଧରିତ୍ରୀ ପାଣିଗ୍ରାହୀ ଧାମନଗର ତହସିଲଦାରଙ୍କୁ ନେଇ ଫଉଜିଦ୍ଦିନଙ୍କ ଚାଉଳ ଗୋଦାମରେ ଚଢ଼ଉ କରିଥିଲେ।
ସିଡିପିଓ ଓ ତହସିଲଦାର ପହଞ୍ଚିବା ଦେଖି ଫଉଜୁଦ୍ଦିନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହାପରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ପ୍ରଦତ୍ତ କ୍ଷମତା ବଳରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଭାବେ ତହସିଲଦାର ଦୀପକ ଦାସ ନିଜ ଟିମକୁ ଡକାଇ ଚାଉଳ ଗୋଦାମ ସିଲ୍ କରିଥିଲେ । ତେବେ ଗୋଦାମରେ ଚାଉଳ କେତେ ଗଛିତ ଅଛି, ତାହା ସ୍ପଷ୍ଟ ହୋଇନାହିଁ । ଏହି ଠିକାଦାର ଜଣଙ୍କ ପୁରା ଜିଲ୍ଲାରେ ଚାଉଳ ଯୋଗାଣ ଦାୟିତ୍ୱରେ ଥିଲେ।

Leave A Reply

Your email address will not be published.