ଋଷିକୂଲ୍ୟା ବଞ୍ଚାଅ ସମ୍ମିଳନୀରେ ଆନ୍ଦୋଳନ ପାଇଁ ଘୋଷଣା ।

0 191

ବ୍ରହ୍ମପୁର,୦୪/୦୮(ପିପିଟି):ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ଋଷିକୂଲ୍ୟା ନଦୀ ଜିଲ୍ଲାବାସୀଙ୍କ ଜୀବନରେଖା । ଗତ ସରକାର ସମୟରେ ଗୋପାଳପୁର ଓ ଛତ୍ରପୁର ଅଞ୍ଚଳରେ ଥିବା କମ୍ପାନୀମାନଙ୍କୁ ପାଣି ଯୋଗାଇବା ପାଇଁ ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଳକ୍ ଅନ୍ତର୍ଗତ ପିପଳପଙ୍କା ଠାରେ ଋଷିକୂଲ୍ୟା ଓ ଓଡାଙ୍ଗୀ ନଦୀର ସଂଯୋଗ ସ୍ଥଳରେ ଏକ ବୃହତ୍ ଡ୍ୟାମ୍ ନିର୍ମାଣ କରିବାକୁ ଗତ ସରକାରଙ୍କ ସମୟରେ ସ୍ଥିର ହୋଇଥିଲା । ନୂଆ ସରକାର ଆସିବା ପରେ ଏହି ପ୍ରକଳ୍ପକୁ ଅବ୍ୟାହତ ରଖିବା ସହ ସେ ଅଞ୍ଚଳରେ ଜମି ଅଧିଗ୍ରହଣ କରିବାକୁ ନିକଟରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପ ହେଲେ ପିପଳପଙ୍କା ଅଞ୍ଚଳର ୨୩ଟି ଗ୍ରାମର ଲୋକଙ୍କ ଭିଟାମାଟି ଚାଲିଯିବା ସହ ଋଷିକୂଲ୍ୟା ନଦୀ ସମ୍ପୂର୍ଣ୍ଣ ଭାବେ ଶୁଖିଯିବାକୁ ଯାଉଥିବାରୁ ତୁରନ୍ତ ଏହାକୁ ବନ୍ଦ କରିବାକୁ ଆଜି କନଭେନସନରେ ଜିଲ୍ଲାର ବିଭିନ୍ନ ବର୍ଗର ଲୋକଙ୍କ ପକ୍ଷରୁ ଦାବି କରାଯାଇଛି ।

ଋଷିକୂଲ୍ୟା ବଞ୍ଚାଅ କ୍ରିୟାନୁଷ୍ଠାନ କମିଟିର ଆବାହକ ସୁଧୀର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମାବେଶରେ ପରିବେଶବିତ୍ ପ୍ରଫୁଲ୍ଳ ସାମନ୍ତରା ଯୋଗଦେଇ କହିଥିଲେ ଯେ ରାଜ୍ୟ ସରକାରଙ୍କ ଅସଲ ଉଦ୍ଦେଶ୍ୟଟି ବିଳମ୍ବରେ ହେଲେ ବି ଏବେ ସାମନାକୁ ଆସିଯାଇଛି । ଅବିଚାରିତ ଭାବେ ନିଷ୍ପତି ହୋଇଥିବା ପିପଳପଙ୍କା ଡ୍ୟାମ ପ୍ରକଳ୍ପକୁ ପ୍ରତ୍ୟାହାର କରାଯିବା ସହ ବିକଳ୍ପ ଭାବେ ନଦୀର ବର୍ଷା ଜଳକୁ ବିଭିନ୍ନ ଜଳାଶୟ ଓ ନଦୀଗୁଡ଼ିକର ପୁନରୁଦ୍ଧାର କରି ଗଚ୍ଛିତ ରଖାଯାଉ । ପିପଳପଙ୍କା ଡ୍ୟାମ ନିଷ୍ପତିକୁ ପ୍ରତ୍ୟାହାର କରି ଏହି ପ୍ରତିନିଧିଦଳଚୁ ସାକ୍ଷାତ କରି ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।
ଅନ୍ୟତମ ବକ୍ତା ଭାବେ ଅଖିଳ ଭାରତ କିଶାନ୍ ମଜଦୂର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଟାଟା, ଆଦାନୀ ଆଦି କର୍ପୋରେଟମାନଙ୍କ ସରକାର ଜିଲ୍ଲାର ଚାଷୀ ଓ ସାଧାରଣ ଜନତାଙ୍କ ପାଇଁ ଉଦ୍ଧିଷ୍ଟ ଋଷିକୂଲ୍ୟାର ଜଳକୁ ଡେମ୍ ଜରିଆରେ ଛଡେଇ ନେବାକୁ ଯେଉଁ ଷଡ଼ଯନ୍ତ୍ର କରିଛନ୍ତି, ତାକୁ ଯେକୌଣସି ମୂଲ୍ୟ ଦେଇ ପ୍ରତିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ । ଆଗାମୀ ଦିନରେ ସୋରଡା ଠାରେ ଏକ ବଡ କନଭେନସନ୍ ସହିତ ନଦୀର ଉଭୟ ପାର୍ଶ୍ଵରେ ଥିବା ସବୁ ଗାଁ ଦେଇ ପଦଯାତ୍ରା କିମ୍ବା ମୋଟରସାଇକେଲ ଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ ବୋଲି କହିଥିଲେ ।

ଆଜିର ସମାବେଶରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କୃଷକ ନେତା, ସାମାଜିକ କର୍ମୀ, ପରିବେଶ କର୍ମୀ ଓ ବୁଦ୍ଧିଜୀବୀମାନେ ଋଷିକୂଲ୍ୟା ନଦୀ ଓ ତା ଉପରେ ଜଳସେଚନ ତଥା ପିଇବା ପାଣି ପାଇଁ ନିର୍ଭରଶୀଳ ଗଞ୍ଜାମ ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀ ଓ ବ୍ରହ୍ମପୁର ସହରବାସୀ କ୍ଷତିଗ୍ରସ୍ତ ହେବେ ବୋଲି ଚିନ୍ତାପ୍ରକଟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଯୋଗଦେଇ କହିଥିଲେ ଯେ ନଦୀ ଏକ ଜୀବନ୍ତ ସତା । ଋଷିକୂଲ୍ୟା ସମେତ ସମସ୍ତ ନଦୀର ସୁରକ୍ଷା ଜରୁରୀ । ୠଷିକୂଲ୍ୟା ବଞ୍ଚାଅ ଜନଆନ୍ଦୋଳନକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ସମସ୍ତ ସମର୍ଥନ ଜ୍ଞାପନ କରିଥିଲେ । ଦକ୍ଷିଣା ଓଡ଼ିଶା ଉନ୍ନୟନ ପରିଷଦ ସଭାପତି ତଥା ବିଜେଡ଼ି ନେତା ଭୃଗୁ ବକ୍ସିପାତ୍ର ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ସମର୍ଥନ ଜଣାଇଥିଲେ ।ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ନିଜର ବକ୍ତବ୍ୟରେ ଗତ କିଛି ଦଶନ୍ଧି ମଧ୍ୟରେ ଋଷିକୂଲ୍ୟା ନଦୀରେ ପାଣି କମିଯିବା ଏବଂ ତା’ରି ଫଳରେ ଚାଷ, ପରିବେଶ ଓ ଲୋକଙ୍କ ଅର୍ଥନୀତି ଉପରେ କି କି ପ୍ରଭାବ ପଢ଼ିଛି, ତାକୁ କେହି ନହେଲେ ବି ଅନ୍ତତଃ ପକ୍ଷେ ଋଷିକୂଲ୍ୟାର ଦୁଇ ପାଶ୍ୱର୍ରେ ଥିବା ଲୋକମାନେ ନିଜେ ଅନୁଭବ କରିଛନ୍ତି ବୋଲି କହିଥିଲେ । ଏଆଇକେଏମଏସର ସମ୍ପାଦକ ପ୍ରତାପ ନାୟକ, ଅବସରପ୍ରାପ୍ତ ଶିକ୍ଷକ ନେତା ଶ୍ୟାମସୁନ୍ଦର ଖାଡ଼ଙ୍ଗା,ରାଜେନ୍ଦ୍ର ପଣ୍ଡା, ବିଜୟ କୁମାର ବିଶ୍ୱାଳ, କାମରାଜୁ ମହାରଣା, ଆପ୍ ଦଳର ନେତା ସୁବାସ ରାଉତ, ଦେବୀ ପ୍ରସାଦ ଦାସ, ଲୋକନାଥ ପରିଡ଼ା,ଅଶୋକ ଦଳେଇ, ନନ୍ଦେଶୁ ସେନାପତି,ଜମେୁଲା ସୁରେଶ, ଶଙ୍କର ନାହାକ,ପ୍ରଦୁପ କୁମାର ବେହେରା,ଗୌରୀଶଙ୍କର ମହାନ୍ତି,ଲକ୍ଷ୍ମୀ ନୃସିଂହ ରଥ, ଆଇଏଫଟିୟୁ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ,ଇ ତେଜେଶ୍ଵର ରାଓ ପ୍ରମୁଖ ବିଭିନ୍ନ ନେତୃବୃନ୍ଦ ଏବଂ ମତ୍ସ୍ୟଜୀବୀ ସଂଘ, ଭିଟାମାଟି ସୁରକ୍ଷଶ ମଂଚ, ସେବାନିବୃତ ଶିକ୍ଷକ କର୍ମଚାରୀ ସଂଘ, ଶିକ୍ଷକ ମହାସଂଘ ପ୍ରଭୃତି ଜନସଂଗଠନର କର୍ମକର୍ତ୍ତାବୃନ୍ଦ ଋଷିକୂଲ୍ୟା ନଦୀର ସୁରକ୍ଷା ସକାଶେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଏହା ସହିତ ସୋରଡା ଠାରେ ଚଳିତ ମାସ ଶେଷ ସୁଦ୍ଧା ଏକ ସମ୍ମିଳନୀ ହେବ ଏବଂ ନିକଟ ଭବିଷ୍ୟତରେ ଜିଲ୍ଳାବ୍ୟାପୀ ସଚେତନତା ଶୋଭାଯାତ୍ରା ପାଇଁ ସ୍ଥିର କରାଯାଇଛି ।

 

Leave A Reply

Your email address will not be published.