ମାଲକାନଗିରି , ୨୭/୦୬(ପିପିଟି) :ମାଲକାନଗିରି ସଦର ମହକୁମାରେ ପବିତ୍ର ଗୁଣ୍ଡିଚା ରଥ ଯାତ୍ରା ପାଳନ ନିମନ୍ତେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଓ ତହସିଲଦାର ଲଳିତ ବାଘ ପ୍ରମୁଖ ଉପସ୍ଥିତ ଥିଲେ । ରଥର ମାନ ଠିକ ଅଛି ନା ନାହିଁ ପ୍ରଥମେ ଅନୁଧ୍ୟାନ କରି ସହକାରୀ ଯନ୍ତ୍ରୀ, ରାସ୍ତା ଓ କୋଠବାଡ଼ିଙ୍କୁ ପ୍ରମାଣ ପତ୍ର ଦେବା ନିମନ୍ତେ କୁହାଗଲା । ଯାନ ବାହନ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ନିମନ୍ତେ ଟାଉନ ଥାନା ପୋଲିସଙ୍କୁ ଦାୟିତ୍ଵ ଦିଆଗଲା। ଉକ୍ତ ଦିନ ଆଶୁ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଗଲା । ଉକ୍ତ ଦିନ ଅଗ୍ନିଶମ ଯାନ ଓ କର୍ମଚାରୀମାନେ ସମ୍ପୂର୍ଣ୍ଣ ଅଗ୍ନି ନିର୍ବାପକ ଯନ୍ତ୍ର ସହ ରଥ ପଛରେ ରହିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ସେହିପରି ପ୍ରମୁଖ ଛକ ଜାଗାରେ ପାଣି ଟ୍ୟାଙ୍କ ଓ କର୍ମଚାରୀ ନିୟୋଜିତ କରିବା ନିମନ୍ତେ ସହକାରୀ ଯନ୍ତ୍ରୀ ଜନସ୍ବାସ୍ଥ୍ୟଙ୍କୁ ଅନୁରୋଧ କରାଗଲା । ସେହିପରି ଉକ୍ତ ଦିନ ରଥ ଟଣା ସମୟରେ ଆମ୍ବୁଲେନ୍ସ ସହ ଜଣେ ଆୟୁଷ ଡାକ୍ତର ରହିବେ ଓ ଜୁଲାଇ ୭ ତାରିଖ ଠାରୁ ବାହୁଡା ପର୍ଯ୍ୟନ୍ତ ସକ।ଳ ୮ଟା ଠାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ମେଡ଼ିକାଲ ଟିମ ସହ ଉପସ୍ଥିତ ରହିବେ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜିଲ୍ଲାପାଳ ଛେରା ପହଁରା କରିବେ । ଜଗନ୍ନାଥଙ୍କ ଧାରା ବିବରଣୀ ନିମନ୍ତେ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ମାଲକାନଗିରିଙ୍କୁ ଦାୟିତ୍ଵ ଦିଆଗଲା । ଏନଏସଏସ ଓ ଏନସିସି ଛାତ୍ରଛାତ୍ରୀମାନଙ୍କୁ ସ୍ବେଚ୍ଛାକୃତ ଭାବେ ନିୟୋଜିତ କରିବା ପାଇଁ କୁହାଗଲା ।
ଆଜିର ଏହି ବୈଠକରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଟାଉନ୍ ଥାନା ଅଧିକାରୀ,ଅଗ୍ନିଶମ ଅଧିକାରୀ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି, ସହକାରୀ ଯନ୍ତ୍ରୀ, ପିଏଚଡି, ଟିପିଏସଓଡିଏଲର କର୍ମକର୍ତ୍ତା, ଜଗନ୍ନାଥ ମନ୍ଦିରର ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ତହସିଲଦାର ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)