***ଅଙ୍କୁରୋଦଗମ ***

0 62

ତୁମ ପ୍ରତି ଯଦି ହୁଏ ଆକର୍ଷିତ
ଜାଣିବି – ଅଛି ମୋ ଯୌବନ
ତୁମ ସୌନ୍ଦର୍ଯ୍ୟର ପ୍ରଭାବ – ପ୍ରଭୃତ୍ବ – ପ୍ରୟୋଗ
ହୋଇଲେ ନିଷ୍କ୍ରିୟ
ବୁଝିବି : ସରିଲା – ମୋ ଯୁବପଣ….!!
ତୁମ ତନୁ ମନ ବିଦଗ୍ଧ ଅରଣ୍ଯେ
ଜଳିଲେ କାମନା ହୁତାଶନ….
ମୁଁ ଯଦି ତାହାକୁ ସଲିଳ ସିଞ୍ଚନେ
ହୋଇ ଯିବି ଯେବେ ଶକ୍ତି ହୀନ….
ଜାଣିବି ମୋ ଠାରେ ନାହିଁ ଆଉ ସେହି
ଚପଳ – ଚଞ୍ଚଳ -ଯୁବ ବୟସର କାମ-ଗୁଣ…!!
ମୁଁ ଯଦି ସ୍ମୃତିରେ ସାଇତି ନି ଆଉ ପ୍ରେମ ଗପ
କରିନି ପ୍ରକାଶ କେଉଁଠି କାହାକୁ
ତୁମେ ମୋ ହୃଦୟ ମନ୍ଦାକିନୀ
ଜାଣିବ ସଜନୀ : ଏଥର ନାହିଁ ମୋ
ରସିକ ଆବେଗ…..
ଶୀହର – ନିର୍ଝର ଗଲା ଶୁଖି…!!
ତୁମ ଭାଷା ଆଉ ନ ଲାଗଇ ମିଠା
ନାହିଁ ତୁମ ଗାଲ : ନାଲି ଟହ ଟହ ଟମାଟ
ପରିକା ଚକମକ…..
ବୟସଟା ଏବେ ଫିକା ଫିକା ଲାଗେ
ଇନ୍ଦ୍ରଧନୁ ଇଙ୍ଗ ମଉଳଇ
ଭିଜା ବର୍ଷାଟା ମାଟିକୁ ଫଟାଇ
ଫୁଟାଇ ପାରୁନି ବୀଜରୁ
ସହଜେ ଅଙ୍କୁରୋଦ୍ଗମ ;
ଜାଣିବି ସଜନୀ: ବସନ୍ତ କି ଆଉ
ମାରିବ ଦେହକୁ ଫୁଲ ବାଣ….?

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave A Reply

Your email address will not be published.