ମାଲକାନଗିରି,୧୪/୦୪(ପିପିଟି) : ମାଲକାନଗିରି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଳା । କ୍ରୀଡ଼ା ର ବିକାଶ ଲାଗି ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ହୋଇଥିଲେ ମଧ୍ୟ ୨୦୨୨ ମସିହାରୁ ଏଠାରେ କୈାଣସି ଯୁବକ ଯୁବତୀମାନଙ୍କୁ ଆଉ କ୍ରୀଡା ପ୍ରଶିକ୍ଷଣ ପାଇଁ ଗ୍ରହଣ କରାଯାଊନଥିବା ଜଣା ପଡ଼ିଛି।ଫଳରେ କ୍ରୀଡା କ୍ଷେତ୍ରରେ ଯେଉଁ ମାନେ କ୍ୟାରିୟର କରିବା କୁ ଆଶାୟୀ, ସେମାନଙ୍କ ସ୍ବପ୍ନ ସ୍ବପ୍ନରେ ହିଁ ଅଟକି ଯାଇଛି।
ପୂର୍ବରୁ ଏହି କ୍ରୀଡା ହଷ୍ଟେଲରେ ରହି ଖେଳାଳିମାନେ ଆର୍ଚେରୀ,ଆଥାଲିଟିକ୍ସ ଓ ଭଲିବଲ ପ୍ରଶିକ୍ଷଣ ନେଉଥିଲେ।
ବର୍ତ୍ତମାନ ଏସବୁ ଖେଳ ସଂପୂର୍ଣ୍ଣ ବନ୍ଦ ରହିଛି। କୈାଣସି ଯୁବକ ଯୁବତୀମାନଙ୍କୁ କ୍ରୀଡା ପାଇଁ ନାମ ଲେଖା ଯାଉ ନାହିଁ। ଗତ
୨୦୨୨ ସେପ୍ଟେମ୍ବର ମାସରୁ କ୍ରୀଡା ପ୍ରଶିକ୍ଷଣ ପାଇଁ ଛାତ୍ରଛାତ୍ରୀ ଆଉ ଗ୍ରହଣ କରାଯାଉ ନାହିଁ। ଏହା ପୂର୍ବରୁ କ୍ରୀଡା ହଷ୍ଟେଲରେ ମୋଟ ୧୪ ଜଣ ପିଲା ରହି ପ୍ରଶିକ୍ଷଣ ନେଉଥିଲେ। ଭଲିବଲରେ ୪ ଜଣ, ଆର୍ଚେରୀରେ ୬ ଜଣ ଏବଂ ଆଥେଲିଟିକ୍ସ ରେ ୪ ଜଣ ପିଲା ପ୍ରଶିକ୍ଷଣ ନେଉଥିଲେ । କିନ୍ତୁ ୨୦୨୨ରେ ଏହି ହଷ୍ଟେଲ ରେ ଥିବା ୧୪ ଜଣ ପିଲାଙ୍କୁ ଅନ୍ଯତ୍ର ସ୍ଥାନାନ୍ତର କରାଯାଇଥିଲା। ଭଲିବଲ ରେ ପ୍ରଶିକ୍ଷଣ ନେଥିବା ୪ ଜଣଙ୍କୁ ବାଲେଶ୍ବର, ଆର୍ଚେରୀ ଓ ଆଥଲେଟିକ୍ସ ୧୦ ଜଣଙ୍କୁ କୋରାପୁଟ କ୍ରୀଡା ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଥିଲା। କ୍ରୀଡ଼ା ବିକାଶ ଲାଗି ରାଜ୍ୟ ସରକାର ବଡ଼ ବଡ଼ ଭାଷଣ ମାରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ କ୍ରୀଡା ରେ କେରିୟର ଗଠନ ଲାଗି ଯେଉଁ ଯୁବଗୋଷ୍ଠୀ ସ୍ବପ୍ନ ଦେଖିଥିଲେ, ସେମାନଙ୍କ ସ୍ବପ୍ନ ବର୍ତ୍ତମାନ ଧୂଳିସାତ ହେବାକୁ ଲାଗିଛି। ଏଥି ପ୍ରତି ସ୍ଥାନୀୟ ନେତା ତଥା ଜିଲ୍ଲା ପ୍ରଶାସନ ର ସ୍ଥାଣୁତା ପାଇଁ ବର୍ତ୍ତମାନ ମାଲକାନଗିରି କ୍ରୀଡା କମ୍ପ୍ଲେକ୍ସ ଭୂତ କୋଟିରେ ପରିଣତ ହେବାକୁ ବସିଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)