ମାଲକାନଗିରି,୨୪/୦୨(ପିପିଟି) : ମାଲକାନଗିରି -ଚାଲାଣଗୁଡା ରାସ୍ତା ମଧ୍ୟବର୍ତ୍ତୀ ଅଞ୍ଚଳରେ ସରକାରଙ୍କ ଦ୍ବାରା ଏକ ନବ ନିର୍ମିତ ବିଏଡ୍ କଲେଜ ପ୍ରତିଷ୍ଠା କରାଯାଇଥିବା ବେଳେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ନ ଦେବା ପୂର୍ବରୁ ବର୍ତ୍ତମାନ ଭଙ୍ଗାରୁଜା ହୋଇ ଭୂତକୋଠିରେ ପରିଣତ ହବାକୁ ବସିଛି। ଏଥି ପ୍ରତି ଜିଲ୍ଲା ପ୍ରଶାସନର ଅଦାସିନତା ଯୋଗୁଁ ଦୀର୍ଘ ଛଅ ବର୍ଷ ବିତିଯାଇଥିଲେ ମଧ୍ୟ ବିଏଡ୍ କଲେଜ ରେ ପ୍ରଶିକ୍ଷଣ ଆରମ୍ଭ ହୋଇ ନାହିଁ। ଫଳରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ପାଇଁ ରାଜ୍ୟ ସରକାରଙ୍କ ଏକ ଛଳନା କହିଲେ ଚଳେ। ଆଦିବାସୀ ଯୁବକ, ଯୁବତୀ ମାନେ ବିଏଡ୍ ପ୍ରଶିକ୍ଷଣ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ହେବା ଲାଗି ଯେଉଁ ସ୍ବପ୍ନ ଦେଖିଥିଲେ,ତାହା କ୍ରମଶଃ ମଉଳିବାରେ ଲାଗିଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ୨୦୧୪ ମସିହାରେ ମାଲକାନଗିରି ଆଇଟିଡିଏ ତରଫରୁ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟ କରାଯାଇ ବିଏଡ୍ କଲେଜଟି ନିର୍ମାଣ କାର୍ଯ୍ଯ ଆରମ୍ଭ କରାଯାଇ ୨୦୧୭ ରେ ସମାପ୍ତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ୨୬.୭.୨୧୮ ତାରିଖରେ ଉଦଘାଟନ ହୋଇ ଥିଲା। ଫଳରେ ଶିକ୍ଷକ ଶିକ୍ଷୟିତ୍ରୀ ହେବା ପାଇଁ ଯେଉଁ ଶିକ୍ଷିତ ଯୁବକ ଯୁବତୀମାନେ ଆଶା ପ୍ରକଟ କରିଥିଲେ ବିଏଡ୍ କଲେଜର ପାଠ୍ୟକ୍ରମ ଆରମ୍ଭ ହେଲେ ନାମ ଲେଖାଇ ପ୍ରଶିକ୍ଷଣ ନବାକୁ ବର୍ଷ ବର୍ଷ ଚାହିଁ ବସିଲେ ବିଏଡ୍ କଲେଜ କେବେ ଖୋଲିବ ? ଆଜକୁ ବିଏଡ୍ କଲେଜ ନିର୍ମାଣ
ହେବା ଦୀର୍ଘ ୬ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ ହେବାର ନାଁ ଗନ୍ଧ ନାହିଁ। ଏହାର ରକ୍ଷଣାବେକ୍ଷଣ ଅଭାବରୁ ସମସ୍ତ ଝରକା କବାଟ ଭାଙ୍ଗି ଚୁରମାର ହେବା ସହିତ
ଚୋରୀ ହୋଇଗଲାଣି। ପ୍ରତ୍ୟେକ କଠୋରୀରେ ଲାଗିଥିବା ଫ୍ୟାନ ଗୁଡ଼ିକୁ କେହି କେହି ନେଇଗଲେଣି। ଅବାଧରେ ଫାଟକ
ଖୋଲା ଥିବାରୁ ଗାଈ ଗୋରୁ ଛେଳି ମେଣ୍ଢାଙ୍କ ଚାରଣ ଭୂଇଁ ପାଲଟି ସାରିଲାଣି। କଥା ହେଲା , ସରକାରୀ କା ମାଲ୍,ଦରିଆ
ମେ ଡାଲି ନ୍ୟାୟରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଅନ୍ଧ ମୂକ ବଧିର
ହୋଇ ବସିବା ବଡ ଲଜ୍ଜାଜନକ ଘଟଣା। ମାଲକାନଗିରି ଆଇଟିଡିଏ ବିଏଡ୍ କଲେଜ ନିର୍ମାଣ କରି ଦାୟିତ୍ଵ ସାରିଦେଇଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ପ୍ରତି ଉଦାସୀନ।ଅନ୍ଯ ପକ୍ଷରେ ସ୍ଥାନୀୟ ନେତାମାନେ ମଧ୍ୟ ମୁହଁରେ ତୁଣ୍ଡି ବାନ୍ଧି
ନିରବ ଦ୍ରଷ୍ଟା। ଫଳରେ ମାଲକାନଗିରି ଜିଲ୍ଲାରେ ଶିକ୍ଷିତ ବେକାରୀ ଯୁବକ ଯୁବତୀମାନେ ଶିକ୍ଷକ ଶିକ୍ଷୟିତ୍ରୀ ହେବାର ସ୍ବପ୍ନ ଭଙ୍ଗ ହୋଇଯାଇଛି।ଅନ୍ଯ ପକ୍ଷରେ ମାଲକାନଗିରି ଜିଲ୍ଲାରେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପ୍ରଦାନ କରାଯାଇଛି,
ଏହି ପଦବୀ ଗୁଡିକୁ ବାହାର ଜିଲ୍ଲା ପ୍ରାର୍ଥିମାନେ ହାତେଇବାରେ
ଲାଗିଛନ୍ତି। କାରଣ ମାଲକାନଗିରି ଜିଲ୍ଲାରେ ବିଏଡ୍ କଲେଜ ଥାଇ ବି ପ୍ରଶିକ୍ଷଣର ପଥକୁ ସରକାର ଜାଣିଶୁଣି ଅବରୋଧ କରଥିବା ସର୍ବତ୍ର ଚର୍ଚ୍ଚା ହେଉଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)