***ମଦ,ମଦ୍ଯପ ଓ ସରକାର ***

0 30

ମଦକୁ ସୋମରସ କୁହାଯାଏ ।ଋଗ୍ ବେଦରେ ସୋମରସ ବର୍ଣ୍ଣନା ପଢିବାକୁ ମିଳେ । ଦେବତାଙ୍କ ପ୍ରିୟ ପାନୀୟ ଭାବେ ଯଜ୍ଞ ରେ ଆହୂତି ପ୍ରଦାନ କରାଯାଏ ।ତେଣୁ ମଦର ଅନ୍ୟନାମ ସୁରା ।ଏହାକୁ ସୁରମାନେ ପାନ କରୁଥଲେ,ଏଣୁ ସୁରା ନାମରେ ନାମିତ। ଯେଉଁ ମାନେ ଏହାକୁ ପାନ କରୁନଥିଲେ, ସେମାନଙ୍କୁ ଅସୁର କୁହାଗଲା। ସ୍ଵର୍ଗର ଦେବତା ଇନ୍ଦ୍ର। ଇନ୍ଦ୍ର ଦେବ ମଦ ଏବଂ ଶହ ଶହ ଅପସରୀ ଙ୍କ ମେଳରେ ସୁଖ ଐଶ୍ୱର୍ଯ୍ୟ ଭୋଗ କରନ୍ତି। ତେଣୁ ମଦ ଆଉ ନାରୀ ସମସ୍ତଙ୍କ ଭୋଗ ବିଳାସ ର ମାଧ୍ୟମ । ରାଜାମାନେ ମଧ୍ୟ ବହୁ ତରୁଣୀଙ୍କୁ ଅଙ୍କଶାୟିନୀ କରୁଥିଲେ ଏବଂ ମଦ୍ଯ ପାନ କରୁଥଲେ। ଯଦୁ ବଂଶ ବିନାଶର ଏକ ମାତ୍ର କାରଣ ମଦ ।ଏଣୁ ବୈଦିକ ଯୁଗରୁ ଆରମ୍ଭ କରି ରାଜା ତନ୍ତ୍ର ପର୍ଯ୍ୟନ୍ତ ମଦ ସମାଜରେ କାୟା ବିସ୍ତାର କରିଛି।ମୋଗଲ ଶାସନ ଠାରୁ ଆଜିର ଗଣତନ୍ତ୍ର ଶାସନ ପର୍ଯ୍ୟନ୍ତ ମଦ ପ୍ରଚଳନକୁ କିଏ ଉଛେଦ କରି ପାରି ନାହିଁ। ବ୍ରିଟିଶ ଶାସନ କାଳରେ ମଦକୁ ଏକ ରାଜସ୍ୱ ଆଦାୟର ଏକ ବଡ ସ୍ରୋତ ଥିଲା । ଏଣୁ ମଦ ପ୍ରସ୍ତୁତ ଏବଂ ବିକ୍ରୟ ପାଇଁ ଏକ ପ୍ରକାର ଜାତିର ଜନ୍ମ। ଯାହାକୁ ଶୌଣ୍ଢିକ ବା ଶୁଣ୍ଢି ଜାତି ଭାବେ ସର୍ବତ୍ର ପରିଚିତ।
ଏମାନଙ୍କର ମଦ ଉପରେ ଏକଚାଟିଆ ବେପାର। ଏହି ମଦ ବିକ୍ରିୟରୁ ରାଜକୋଷକୁ ମୋଟା ଅଙ୍କର ରାଜସ୍ବ ଯାଏ ।
କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ରାଜାମାନେ କିପରି ଶୁଣ୍ଢି ଜାତିକୁ ମଦ ବିକ୍ରୟ ଉପରେ ନିୟୋଜିତ କରୁଥିଲେ, ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ରହିଛି। ତତ୍କାଳୀନ ସମୟରେ ଭଲ ମଦକୁ ରାଜାଙ୍କୁ ଅର୍ପଣ କରାଯାଉଥିଲା।ଆଉ ତାଠାରୁ ଅସାର ମଦକୁ ଶ୍ରମିକ, ଯେଉଁମାନେ ଶାରୀରିକ କଷ୍ଟ କରୁଥିଲେ ବା ସୈନିକମାନଙ୍କୁ ପ୍ରଦାନ କରାଯାଉଥିଲା। ଶେଷରେ ନିକୃଷ୍ଟ ମଦକୁ ଅଶ୍ଵ ମାନଙ୍କୁ
ଦିଆଯାଉଥିଲା।
ମଦ ପାନ କରି ବହୁ ଯୁବକ ପଥଭ୍ରଷ୍ଟ ହୁଅନ୍ତି।ମଦର ଅନ୍ଯ ନାମ ମନ୍ଦ । ମଦର ଅର୍ଥ ହେଲା:(ମ )ରେ ମର ଏବଂ (ଦ) ଦରିଦ୍ର ହୁଅ ।ମଦ ଦ୍ବାରା ବହୁ ପରିବାର ନଷ୍ଟ ହୋଇଯାଏ ।ମଦପ ସ୍ବାମୀ ପରିବାରରେ ଅଶାନ୍ତି ସୃଷ୍ଟି କରେ । ସ୍ତ୍ରୀ ଛୁଆ କୁ ମାର ପିଟ କରେ ।କଳହ ଲାଗି ରହେ ।ମଦ ପାଇଁ ବହୁ ସୁନାର ସଂସାର ଚୁନା ହୁଏ। ସମାଜରେ ନାନା ଅସାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଏ । ଅଧିକାଂଶ ହତ୍ୟା, ଦୁଷ୍କର୍ମ, ଚୋରୀ, ଡକାୟତ ମୂଳରେ ମଦ୍ଯ ପାନ ମୁଖ୍ୟ କାରଣ। ଏଣୁ ମହାତ୍ମା ଗାନ୍ଧି ମଦ ନପିଇବା ପାଇଁ ସଚେତନ କରୁଥିଲେ। ସମସ୍ତ ସ୍ବାଧୀନତା ସଂଗ୍ରାମୀ ମହାତ୍ମାଗାନ୍ଧିଙ୍କ ମଦ ମୁକ୍ତି ଅଭିଯାନକୁ ଗୁରୁତ୍ବ ଦେଇ
ଗାଁ ଗାଁରେ ପ୍ରଚାର କରୁଥିଲେ। ଫଳରେ ଗାଁ ଗୁଡ଼ିକ ମଦ ମୁକ୍ତି ଥିଲା।ବିଟ୍ରଟିଶ ସମୟରେ ବିଦେଶୀ ମଦକୁ ବ୍ଯସାୟ ଭିତିରେ ସହରଗୁଡିକରେ ବିକ୍ରୟ ପାଇଁ ପ୍ରୟାସ ଜାରି ହେଲା। ପ୍ରଥମେ ପ୍ରଥମେ ବଦେଶୀ ମଦକୁ କିଛି ଦିନ ଲୋକମାନଙ୍କୁ ମାଗଣାରେ
ପିଇବାକୁ ଦିଆ ଗଲା। ଅଭ୍ୟାସରେ ପରିଣତ ହେଲା ପରେ ମଦ୍ଯପ ହାତରୁ ଅର୍ଥ ଦେଇ ମଦ୍ଯ ପାନ କଲା । ପୂର୍ବରୁ ମହୁଲରୁ ,ଆଖୁ ମଳି ବା ଚାଉଳରୁ ଚାଉଳ ମଦ ପ୍ରସ୍ତୁତ ହେଉଥିଲା । ଏସବୁ ଦେଶୀ ମଦ ।ଏହା ଛଡା ଖଜୁରୀ ତାଡି,ତାଳ ରସ,ସଲପ ରସ ଏହାକୁ ମଧ୍ୟ ମଧୁର ମାଦକ ଭାବେ ଉପଯୋଗ କରାଯାଉଥିଲା।
ଭାରତ ସ୍ଵାଧିନତା ପ୍ରାପ୍ତ ହେଲା ୧୯୪୭, ମସିହା ଅଗଷ୍ଟ ୧୫ ତାରିଖ ରେ। ଆତତାୟୀ ଙ୍କ ଗୁଳିରେ ମହାତ୍ମାଗାନ୍ଧି ୧୯୪୮ ଜାନୁଆରୀ ୩୦ ତାରିଖ ରେ ଶହୀଦ ହେଲେ। ଦେଶ ର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ ପଣ୍ଡିତ ଜବାହରଲାଲ ନେହେରୁ। ମହାତ୍ମାଗାନ୍ଧିଙ୍କ ଆଦର୍ଶ ରେ ଅନୁପ୍ରାଣୀତ ହୋଇ ଜାତୀୟ କଂଗ୍ରେସ ଏକ ରାଜନୈତିକ ଦଳ ଭାବେ ଗଠନ ହେଲା । ଯେଉଁ
ଅଣରାନୈତିକ ଦଳଟି ଦିନେ ସ୍ବରାଜ ପାଇଁ ଆନ୍ଦୋଳନରତ ଥିଲା। କିନ୍ତୁ କଂଗ୍ରେସର ଶାସନରେ ମଦ ବିକ୍ରୀକୁ ବନ୍ଦ କରାଯାଇ ପାରିଲା ନାହିଁ।ଦେଶର କୋଣେ ଅନୁକୋଣେ ମଦ ବିକ୍ରୀକୁ ଅଧିକ ଗୁରୁତ୍ବ ଦିଆଯାଇ ମଦ କାରଖାନା ନିର୍ମାଣ ହେଲା । ବର୍ତ୍ତମାନ ଭାରତ ସ୍ବାଧିନତା ପ୍ରାପ୍ତି ର ୭୭ ବର୍ଷ ବିତିଗଲାଣି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆମ ଶାସନ ପରିଚାଳିତ ହେଉଛି ।ଆମେ ବିଦେଶୀ ଶାସନର ସଂପୂର୍ଣ୍ଣ ମୁକ୍ତ। ତେବେ ଦେଶରୁ ବା ରାଜ୍ୟରୁ ମଦକୁ ମୁକ୍ତ କରିବା ରେ ବିଫଳ। ଦିନେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ମୁଖ୍ୟ ମନ୍ତ୍ରୀତ୍ବ କାଳରେ ଓଡ଼ିଶାରୁ ଦେଶୀ ମଦ ବିକ୍ରିୟ କୁ ନିଷେଧ କରିଥିଲେ।
କାରଣ ୧୯୯୨ ମସିହାରେ କଟକ ଠାରେ ବଡ ଧରଣର ମଦ ମୃତ୍ୟୁ ଘଟଣା ସମଗ୍ର ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ବିଷାକ୍ତ ମଦ ପିଇ ୨୦୦ ଲୋକଙ୍କ ଜୀବନ ହାନି ଘଟିଥିଲା।ପ୍ରାୟ ୬୦୦ ଲୋକ ମେଡିକାଲରେ ଭର୍ତ୍ତି ହୋଇ ଥିଲେ । ଏହା ଭାରତର ସବୁଠାରୁ ବଡ ମଦ ମୃତ୍ୟୁ ଘଟଣା।୨୦୦୦ ମସିହାରେ ଏହି ମଦ ମୃତ୍ୟୁ ମାମଲାରେ ମଦ ର କିଙ୍ଗ ପିନ୍ ସୁରେନ୍ଦ୍ର ନାଥ ଦାସ ଓରଫ ବେଲୁକୁ ଗିରଫ କରାଥିଲା ବେଳେ ଅଦାଲତ ଆଜୀବନ ଦଣ୍ଡରେ ଦଣ୍ଡିତ କରିଥିଲେ। ବହୁ ମହିଳା ସଂଗଠନ ମଦ ଉତ୍ପାଦନ ଓ ବିକ୍ରୟ ଉପରେ ଆନ୍ଦୋଳନ କଲା ପରେ ମଦ ଉତ୍ପାଦନ ଓ ବିକ୍ରୟ ଉପରେ ନିଷେଧାଦେଶ ଜାରି ହୋଇଥିଲା।ମାତ୍ର ବିଦେଶୀ ମଦ ବିକ୍ରୟ ଉପରେ କଟକଣା ଲାଗି ନଥିଲା । ୧୯୯୫ ମସିହାରେ କଂଗ୍ରେସ କ୍ଷମତାକୁ ଆସିଲା ପରେ ପ୍ରଚୁର ରାଜସ୍ବ କ୍ଷତି ଦର୍ଶାୟୀ ପୁନଶ୍ଚ ଓଡ଼ିଶା ରେ ବଂଦ ବିକ୍ରୟ ଚାଲୁ ରହିଲା ।କିନ୍ତୁ ପରବର୍ତ୍ତୀ ସମୟରେ ନବୀନବାବୁଙ୍କ ଶାସନ କାଳରେ ଦେଶୀ ବିଦେଶୀ ସବୁ ମଦ ବିକ୍ରୀୟକୁ ଅଧିକି ପ୍ରାଧାନ୍ଯ ଦିଆଗଲା ।୨୦୧୨ ମସିହା ଫେବୃଆରୀ ୬ ତାରିଖ ରେ କଟକ ଠାରେ ପୁନଶ୍ଚ ମଦ ମୃତ୍ୟୁ ଘଟଣା ଦେଖିବାକୁ ମିଳିଲା । ଏହି ଘଟଣାରେ ୨୯ ଲୋକ ବିଷାକ୍ତ ମଦ ପିଇ ପ୍ରାଣ ହରାଇଲେ ଓ ୫୧ ଜଣ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେହି ସମୟରେ ଏ ଭି ସିଂଦେଓ ଅବକାରୀ ମନ୍ତ୍ରୀ ଥିଲେ। ଏହି ମାମଲାରେ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।
ବର୍ତ୍ତମାନ ଓଡ଼ିଶା ସରକାର ବିଦେଶୀ ମଦ ବିକ୍ରିୟ ପାଇଁ ୨,୧୭୧ ଜଣଙ୍କୁ ଲାଇସେନ୍ସ ପ୍ରଦାନ କରିଛି । ବର୍ତ୍ତମାନ ଓଡ଼ିଶାରେ ଗ୍ରାମାଞ୍ଚଳରେ ୩୦.୨ ପ୍ରତିଶତ ଏବଂ ସହରରେ ୨୨.୭ ପ୍ରତିଶତ ଲୋକମାନେ ମଦ ପାନ କରିଥାନ୍ତି। ଅତଏବ ମଦ୍ୟପାନରେ ଛତିଶଗଡ଼ ପ୍ରଥମ ସ୍ଥାନ, ତ୍ରିପୁରା ୨ୟ ସ୍ଥାନ,ପଞ୍ଜାବ ୩ୟ ସ୍ଥାନ, ଆନ୍ଧ୍ରପ୍ରଦେଶ ୪ର୍ଥ ସ୍ଥାନ ଏବଂ ଗୋଆ ୫ମ ସ୍ଥାନରେ ରହିଥିବା ବେଳେ ଓଡ଼ିଶା ମଦ୍ୟ ପାନରେ ୯ମ ସ୍ଥାନରେ ରହିଛି।ମଦ୍ଯପାନ ଦ୍ବାରା ଉଚ୍ଚ ରକ୍ତଚାପ,ହୃଦ୍ ରୋଗ, ହୃଦ୍ ଘାତ,ଲିଭର ରୋଗ ଏବଂ ଉଦର ଜନିତ ରୋଗ ହୋଇ ଥାଏ। ଫଳରେ ମଦ୍ୟପ ଦୁରାରୋଗ୍ୟର ଶିକାର ହୋଇ ଶୋଷରେ ଅଳ୍ପାୟୁରେ ମୃତ୍ୟୁ ବରଣ କରିଥାଏ । ଏଣୁ କଥା ରେ ଅଛି ମଦ ପିଇଲେ -ଧନ ନବ ସରକାର ଏବଂ ଜୀବନ ନେବ ଯମ ।ମଦ ପାନ ଦ୍ବାରା ଧନ ଜୀବନ ଦୁଇଟି ନଷ୍ଟ ହୋଇଯାଏ। ତତ୍ ସହିତ ପରିବାର ଓ ସମାଜରେ ଜଣେ ମଦ୍ଯପ ଅଶାନ୍ତ ସୃଷ୍ଟି କରେ । ମଦ୍ଯପକୁ ସମସ୍ତେ ଘୃଣା କରନ୍ତି। ମଦ୍ଯପ ଆସିଲେ ଲୋକମାନେ ଉକ୍ତ ସ୍ଥାନକୁ ତୁରନ୍ତ ପରିତ୍ୟାଗ କରନ୍ତି। ମଦ୍ଯପ ମଦ ନିଶାରେ ଗର୍ଜନ କରେ ଏବଂ ପାଟିରୁ ଭାଷା ଭାଷା ବାହାର କରେ । ମଦ୍ଯପ ଅନେକ ସମୟରେ ହିଂସା କାଣ୍ଡ ଘଟାଇ ଅପରାଧ ପ୍ରବଣରେ ଲିପ୍ତ ରହେ । ମଦ୍ଯପ କୁ କେହି ଆଦର କରନ୍ତି ନାହିଁ, ସବୁଠି ତିରସ୍କାର ର ସମ୍ମୁଖୀନ ହେବାକୁ ପଡ଼େ। ଯେଉଁ ପରିବାରରେ ବାପା ମଦ୍ୟପ, ସେହି ଘର ପ୍ରକୃତରେ ନର୍କପୁରୀ କହିଲେ ଅତ୍ୟୁକ୍ତି ହେବ ନାହିଁ। କେବେ ମଧ୍ୟ ଶାନ୍ତି ସେଠାରେ ବିରାଜମାନ କରେ ନାହିଁ। ପ୍ରଗତି ରେ ପ୍ରତିବନ୍ଧକ ସୃଷ୍ଠି ହୁଏ।ଯଦି ଆଦିବାସୀ ସମାଜକୁ ଅନୁଧ୍ୟାନ କରିଯିବ,ତବେ ବିକାଶର ଅନ୍ତରାୟ କେବଳ ମଦ୍ଯପାନ। ଆଦିବାସୀ ସମାଜରେ ବହୁଳ ଦେଶୀମଦର ବ୍ୟବହାର, ପ୍ରତି ଉତ୍ସବ, ପର୍ବପର୍ବାଣୀ, ଜନ୍ମ, ମୃତ୍ୟୁ,ବିବାହ ଆଦି କାର୍ଯ୍ୟରେ ମଦକୁ ପ୍ରାଧାନ୍ୟ ଦିଆଯାଇଥାଏ ।ଯାହା ଫଳରେ ଆଦିବାସୀ ମାନେ ଆର୍ଥିକ, ଶୈକ୍ଷିକ ଓ ସାମାଜିକ ସ୍ତରରେ ଦୁର୍ବଳ ହୋଇ
ଜାତୀୟ ସ୍ରୋତରେ ସାମିଲ୍ ହେବାରେ ବିଫଳ ହୁଅନ୍ତି।
ଅନ୍ୟପକ୍ଷରେ ରାସ୍ତା ଘାଟରେ ଯେତେ ଯାନବାହାନର ଯାତାୟତ କରୁଛି, ଅଧିକାଂଶ ଗାଡି ଚାଳକମାନେ ମଦ୍ଯ ପାନ କରି ଥାନ୍ତି। ଫଳରେ ଯାନବାହାନ ଦୁର୍ଘଟଣାର ସମ୍ମୁଖିନ ହୋଇ ବହୁ ଜୀବନ ଅକାଳରେ ଝଡି ପଡେ। ରାଜସ୍ବ ଭରଣା ଲାଗି ସରକାର ମଦ ବିକ୍ରୀୟକୁ ସହଜ ସରଳ ମାର୍ଗ ଭାବେ ଆପଣାଇ
ଥିଲେ ମଧ୍ୟ ସମାଜରେ ମଦ ପ୍ରଚଳନ ମାନବ ବିରୋଧ ଷଡ଼ଯନ୍ତ୍ର
କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ମଦ ଯେ ମନ୍ଦ, ଏଥିରେ ଦୋରୁକ୍ତି ନାହିଁ। ଏଣୁ ନିଜେ ସଚେତନତା ରହି ମଦ୍ଯ ପାନରୁ ବିରତ ହେବା ଆବଶ୍ୟକ।

(ଆଲେଖ୍ୟ: କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave A Reply

Your email address will not be published.