ପୁଲିସ ବଳପ୍ରୟୋଗ ଓ କମ୍ପାନୀ କର୍ମକର୍ତାଙ୍କ ଧମକ ଦ୍ୱାରା ଆୟୋଜିତ ନକଲି ଗ୍ରାମସଭାର ପ୍ରତ୍ୟାଖ୍ୟାନ ଓ ଖଣି ଲିଜର ବାତିଲ ଦାବି ।

0 424

ବ୍ରହ୍ମପୁର,୦୪/୦୧(ପିପିଟି): ଗତ ଫେବୃଆରୀ, ୨୦୨୩ରେ ବେଦାନ୍ତ କମ୍ପାନୀକୁ ସିଜିମାଳି ବକ୍‌ସାଇଟ ଖଣି ଲିଜ ଦେବା ପରେ ରାୟଗଡ଼ା ଓ କଳାହାଣ୍ଡି ସୀମାନ୍ତରେ ରହିଥିବା ଆମ ଅଂଚଳ ହଠାତ୍ ଅଶାନ୍ତ ହୋଇଉଠିଛି । ଏହି ଅଞ୍ଚଳରେ ଥିବା ସିଜିମାଳି, କୁଟୃମାଳି ଓ ମାଝୀଂମାଳି ପରି ପାହାଡ଼ରେ ରହିଥିବା ବକ୍ସାଇଟ୍‌କୁ ଖନନ କରିବାକୁ ସରକାର ବଡ଼ କମ୍ପାନୀମାନଙ୍କୁ ନିଲାମ କରି ଦେବା ଫଳରେ ସେ ଅଞ୍ଚଳରେ ପିଢ଼ୀ ପିଢ଼ୀ ଧରି ବସବାସ କରି ଆସୁଥିବା ଶତାଧିକ ଗ୍ରାମର ଗରିବ ଲୋକ ବିଶେଷ କରି ଆଦିବାସୀ ଓ ଦଳିତ ଲୋକଙ୍କ ଭିଟାମାଟି ଓ ଜୀବନ ଜୀବିକା ଉପରେ ବିପଦ ସୃଷ୍ଟି ହୋଇଛି । ସେସବୁ ପର୍ବତମାଳାରୁ ବାହାରୁଥିବା ଶତାଧିକ ଝରଣା ସମେତ ସେଠାକାର ମୂଲ୍ୟବାନ ଜଙ୍ଗଲ ଖଣିଖନନ ହେଲେ ଧ୍ୱଂସ ହୋଇଯିବାର ସମ୍ଭାବନା ରହିଛି । ଏହି କାରଣରୁ ଆମେ ଆମର ଜୀବନ ଜୀବିକା ତଥା ପ୍ରକୃତି ଓ ପରିବେଶକୁ ବଂଚେଇବା ପାଇଁ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଉପାୟରେ ବିରୋଧ ସରକାର ଓ କମ୍ପାନୀର ଉପରୋକ୍ତ ଖଣିଖନନ ପ୍ରସ୍ତାବକୁ ବିରୋଧ କରୁଛୁ । ସ୍ଥାନୀୟ ଲୋକଙ୍କ ଇଛା ବିରୁଦ୍ଧରେ ବେଦାନ୍ତ ଦ୍ୱାରା ନିୟୋଜିତ ଠିକା ସଂସ୍ଥା ମୈତ୍ରୀ ଇନଫ୍ରାଟେକ୍‌ର ଏଜେଣ୍ଟମାନେ ଗାଁ ଗାଁରେ ବୁଲି କମ୍ପାନୀ ସପକ୍ଷରେ ଜନମତ ତିଆରି କରିବା ପାଇଁ ଉଦ୍ୟମ ଆରମ୍ଭ କରିବା ଫଳରେ ସମଗ୍ର ଅଞ୍ଚଳରେ ଏକ ଅଶାନ୍ତର ବାତାବରଣ ସୃଷ୍ଟି ହେଲା । ପୁଣି ଅଗଷ୍ଟ ମାସରୁ କମ୍ପାନୀ କର୍ମକର୍ତା ପୁଲିସ ବଳ ସାହାଯ୍ୟରେ ଖଣିଖନନ କାର୍ଯ୍ୟକୁ ଆଗେଇ ନେବା ପାଇଁ ଚେଷ୍ଟା କରିବାରୁ କିନ୍ତୁ ଆମ ଉପରେ ପୁଲିସ ଦମନଲୀଳା ଚାଲିଲା ଏବଂ ବିଭିନ୍ନ ଗୁରୁତର ଦଫାରେ ଆମର ୨୪ ଜଣ ଲୋକଙ୍କୁ ପାଖାପାଖି ତିନି ମାସ ଜେଲରେ ରଖାଗଲା । ତଥାପି ଅକ୍ଟୋବର ୧୬ ତାରିଖ ଓ ୧୮ ତାରିଖରେ ଯଥାକ୍ରମେ କାଶୀପୁର ଓ ଥୁଆମୂଳ ରାମପୁରରେ ଅନୁଷ୍ଠିତ ପରିବେଶ ସଂକ୍ରାନ୍ତ ଜନଶୁଣାଣିରେ ଖଣିଖନନକୁ ଆମେ ଅଞ୍ଚଳବାସୀ ପ୍ରବଳ ବିରୋଧ କରିଥିଲୁ । ସରକାର ଓ କମ୍ପାନୀର ଛଳ, ବଳ ଓ କଳ ସତ୍ୱେ ଆମେ ଗଣତାନ୍ତ୍ରିକ ଭାବେ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ ଜାରିରଖିଛୁ ।

ଗତ ତା.୮-୧୨-୨୦୨୩ ରିଖରେ କୌଣସି ପୂର୍ବସୂଚନା ନଦେଇ ଜିଲ୍ଲା ପ୍ରଶାସନ ଓ କମ୍ପାନୀର ସଲାସୁତରାରେ ଗ୍ରାମସଭା/ ପଲ୍ଲୀସଭା ଆୟୋଜନ କରିବା ପାଇଁ ଉଦ୍ୟମ କରାଗଲା । ସାରା ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ଜମି ଛାଡ଼ିଦେବା ସପକ୍ଷରେ ଗ୍ରାମସଭାରେ ମତ ଦେବା ପାଉଁ କମ୍ପାନୀ କର୍ତୃପକ୍ଷ ଓ ଭଡ଼ାଟିଆ ଗୁଣ୍ଡାମାନଙ୍କ ଦ୍ୱାରା ଲୋକମାନଙ୍କୁ ଧମକଚମକ ମଧ୍ୟ ଦିଆଗଲା । ଯଦିଓ କେତେକ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା ଯେ ସିଜିମାଳି ଅଞ୍ଚଳରେ ୧୦ଟି ଗ୍ରାମରେ ସଫଳତାର ସହ ଗ୍ରାମସଭା ଆୟୋଜିତ ହୋଇଛି, ଆମେ ଉପସ୍ଥିତ ପ୍ରେସ ବନ୍ଧୁମାନଙ୍କୁ ସ୍ପଷ୍ଟ ଭାବରେ କହିବାକୁ ଚାହୁଁ ଯେ ତଥାକଥିତ ଗ୍ରାମସଭା ନକଲି ଥିଲା ଏବଂ ତାହା ଆଇନ ତଥା ସାମ୍ୱିଧାନିକ ବ୍ୟବସ୍ଥାର ଖୋଲାଖୋଲି ଉଲ୍ଲଙ୍ଘନ କରୁଛି । ଆମେ ମା ମାଟି ମାଳି ସୁରକ୍ଷା ମଂଚ ତରଫରୁ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ବେଦାନ୍ତ ଓ ଆଦାନୀକୁ ଦିଆଯାଇଥିବା ଖଣି ଲିଜ୍ ବାତିଲ କରିବା ପାଇଁ ଦୃଢ଼ ଦାବି କରୁଛୁ । ଉକ୍ତ ଦିନ କଣ୍ଟାମାଳ, ସାଗବାରୀ, ଆଳିଗୁଣା, ବଣ୍ଡେଲ, ବନ୍ତେଜୀ (ପେଲଣାକଣା) ଓ ସୁଙ୍ଗେର (କାତିଭଟ୍ଟା) ଆଦି ଗ୍ରାମର ଆମେ ଗ୍ରାମବାସୀମାନେ ଏହି ପଲ୍ଲୀସଭା/ଗ୍ରାମସଭାକୁ ଦୃଢ଼ ବିରୋଧ କରିଥିଲୁ । କଣ୍ଟାମାଳ ଗ୍ରାମବାସୀ ପ୍ରତିବାଦ ଧାରଣାରେ ବସିବା ହେତୁ ପ୍ରଶାସନ ଗାଁ ଭିତରକୁ ବି ପଶି ପାରିନଥିଲା । ସେଦିନ କମ୍ପାନୀ ତରଫରୁ ଗୋଟିଏ ବସରେ ଆଦିବାସୀ ଓ ଦଳିତ ମହିଳାମାନଙ୍କୁ ବାହାରୁ ଅଣାଯାଇଥିଲା । ପଲ୍ଲୀସଭା ବୈଠକ ହୋଇଥିବାର ପ୍ରମାଣ ପାଇଁ ପ୍ରଶାସନ ତରଫରୁ କେବଳ ଗାଁ ବାହାରେ ଗୋଟେ ଫ୍ଲେକସ୍ ବ୍ୟାନର ଲଗାଇ ତାହାର ଫଟୋ ଉଠାଇ ନିଆଯାଇଥିଲା । ବଣ୍ଡେଲ ଗାଁର ଜଣେ ଆଦିବାସୀ ମହିଳାଙ୍କୁ ୧୦୦୦ଟଙ୍କାର ପ୍ରଲୋଭନ ଦିଆଯାଇଥିଲା ଯେ ସେ ବାହାରୁ ଅଣାଯାଇଥିବା ମହିଳାମାନଙ୍କ ସହ ମିଶି ଫଟୋ ଉଠେଇବେ । ସେ ମହିଳା ଜଣକ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ବିରୋଧ ମଧ୍ୟ କରିଥିଲେ । ସେହିପରି ସାଗବାରିରେ ଗ୍ରାମବାସୀ ଓ ମୈତ୍ରୀ–ବେଦାନ୍ତ କମ୍ପାନୀ କର୍ମଚାରୀଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟିହେଲା, ଯେତେବେଳେ ମୈତ୍ରୀର ସିଇଓ ଶ୍ରୀନିବାସ ରାଓ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସତ୍ୟନାରାୟଣ ପୁଲିସର ଧମକ ଦେଲେ, ଲୋକେ ସେମାନଙ୍କୁ ଗାଁରୁ ବିଦା କରିଦେଲେ ।

ଆମେ ଏହା ମଧ୍ୟ କହିବାକୁ ଚାହୁଁ ଯେ ପ୍ରଶାସନ ଓ କମ୍ପାନୀ ଦ୍ୱାରା ଆୟୋଜିତ ନକଲି ପଲ୍ଲୀସଭା/ ଗ୍ରାମସଭାକୁ ବିରୋଧ କରି ଆମେମାନେ ଆଇନ ଦ୍ୱାରା ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ ମାଧ୍ୟମରେ ଗ୍ରାମସଭା ଆୟୋଜନ କରୁଛୁ । ଏସବୁ ଗ୍ରାମସଭା ମାନଙ୍କରେ ଗ୍ରାମବାସୀମାନେ ନକଲି ଗ୍ରାମସଭାକୁ ନିନ୍ଦା କରିବା ସହ ନିଜର ଜମି ଓ ମାଳିକୁ ବଂଚେଇବା ପାଇଁ ସାମୁହିକ ଇଚ୍ଛା ବ୍ୟକ୍ତ କରି ସଂକଳ୍ପନାମା ଗ୍ରହଣ କରୁଛନ୍ତି । ଏଥିସହିତ ପେସା ଓ ଜଙ୍ଗଲ ଅଧିକାର ଆଇନକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା, ଖଣି ଲିଜ୍ ବାତିଲ କରିବା ତଥା ଲୋକଙ୍କ ବିରୁଦ୍ଧରେ କରାଯାଇଥିବା ସମସ୍ତ ମିଛ ମାମଲାକୁ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ଦାବି କରାଯାଉଛି । ଗତ ତା.୧୦-୧୨-୨୦୨୩ ରିଖରେ ରେଣ୍ଡୋ ମାଝୀ ଶହୀଦ ଦିବସ ପାଳନ ଅବସରରେ ସମବେତ ଗ୍ରାମବାସୀମାନେ ମଧ୍ୟ ଏ ସଂକ୍ରାନ୍ତରେ ଆଲୋଚନା କରି ଉପରୋକ୍ତ ଦାବିଗୁଡ଼ିକୁ ଦୋହରେଇବା ସହ ସଂକଳ୍ପନାମା ଗ୍ରହଣ କରିଛନ୍ତି । ସେହିପରି ଗତ ୨୦-୧୨-୨୦୨୩ରେ ରାଜ୍ୟ ସରକାର ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ତଥା ବାର୍ଷିକ ପ୍ଲାନ ଅଟକଳ ପ୍ରସ୍ତୁତି ଆଳରେ କେରପାଇ ପଞ୍ଚାୟତରେ ଗ୍ରାମସଭା ଆୟୋଜନ କରିବା ପାଇଁ ଦେଇଥିବା ନୋଟିସକୁ ବିରୋଧ କରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଲୁ ଯେ ଖଣି ଲିଜ ବାତିଲ ନ ହେବା ପର୍ଯ୍ୟନ୍ତ ଗ୍ରାମସଭା କରାନଯାଉ । ଏ ସମସ୍ତ ନଥିପତ୍ରର ନକଲ ଜିଲ୍ଲାପାଳଙ୍କ ଗୋଚରାର୍ଥେ ଡାକ ଯୋଗେ ପଠାଯାଇଛି । ସିଜିମାଳି ଭଳି ଅନୁସୂଚିତ ଅଞ୍ଚଳରେ କମ୍ପାନୀ ଓ ପୁଲିସର ଦୌରାତ୍ମ୍ୟ ସମ୍ୱନ୍ଧରେ ମହାମାନ୍ୟା ରାଷ୍ଟ୍ରପତିଙ୍କୁ ମଧ୍ୟ ଅବଗତ କରେଇବା ସହ ଆଶୁ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ନିବେଦନ କରି ଚିଠି ଲେଖିଛନ୍ତି ।

ଭିଟାମାଟି, ଜୀବନ ଜୀବୀକାର ସୁରକ୍ଷା ପାଇଁ ଆମର ସିଜିମାଳି, କୁଟ୍ରୁମାଳି ଓ ମାଝିଂମାଳି ଅଂଚଳବାସୀଙ୍କର ଲଢ଼େଇ ଏକ ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଓ ନ୍ୟାୟସଙ୍ଗତ ଲଢ଼େଇ । ଏ ଲଢ଼େଇ କେବଳ ଆମର ଜୀବନଜୀବିକା ବଞ୍ଚେଇବା ପାଇଁ ନୁହେଁ, ବରଂ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ପରିବେଶ ଓ ପ୍ରକୃତିର ସୁରକ୍ଷା ମାଧ୍ୟମରେ ସମଗ୍ର ଦେଶବାସୀ ଓ ଜୀବଜଗତକୁ ବଞ୍ଚେଇବା ପାଇଁ ମଧ୍ୟ ଏ ଲଢ଼େଇ ଅଭିପ୍ରେତ ।
ଆଜିର ସାମ୍ବାଦିକ ସମ୍ମିଳନୀରେ ମା, ମାଟି ଓ ମାଳି ସୁରକ୍ଷା ମଞ୍ଚ ପକ୍ଷରୁ କାର୍ତ୍ତିକ ନାୟକ, ପଦମନ ନାୟକ, ଜଳଧର ନାୟକ, କମଳୀ ମାଝୀ, ଯୁଗାନ୍ତୀ ମାଝୀ, ମାମାଲୀ ମାଝୀ, ମାସକୁ ମାଝୀ ଓ ସଚିଦାନନ୍ଦ ମାଝୀ ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.