ମାଲକାନଗିରି,୨୫/୧୨(ପିପିଟି):ମାଲକାନଗିରି ପାରି ପାହାନ୍ଦୀ କୁପ୍ପାର ଲିଙ୍ଗ ୱାଡେ ଆଦିବାସୀ ସମାଜ ତରଫରୁ ୱାଡେ,ଶୀରା ଓ ପୂଜାରୀ ମାନଙ୍କୁ ନେଇ ମାଲକାନଗିରି ସଦର ମହକୁମା ନିକଟସ୍ଥ ଏମଭି-୨ ର ଏକ ଆମ୍ବ ବଗିଚା ପ୍ରାଙ୍ଗଣରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଆଡମା ରାବି, ମୁଖ୍ୟ ବକ୍ତା ଭାବେ ଭୂଦେବ ମହାନନ୍ଦିଆ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ମାନସ ମାଡକାମୀ ଯୋଗ ଦେଇ ଥିବା ବେଳେ ଶୁକ୍ରା ମାଡକାମୀ ମଞ୍ଚ ପରିଚାଳନା କରିଥିଲେ।
ମାଲକାନଗିରି ଜିଲ୍ଲାରେ କେଉଁ ପ୍ରାଚୀନ କାଳରୁ ଆଦିବାସୀ ମାନେ ସେମାନଙ୍କ ଅଧିଷ୍ଠାତ୍ରୀ ଦେବୀମାନଙ୍କୁ ନେଇ ପାରମ୍ପାରିକ ରୀତିରେ ପୂଜାର୍ଚ୍ଚନା କରି ଆସୁଥିବା ବେଳେ ପ୍ରତ୍ୟେକ ମୁଠାରେ ବାର୍ଷିକ ସ୍ଥାନୀୟ ନିର୍ଦ୍ଧିଷ୍ଟ ଦେବୀଙ୍କ ନିକଟରେ ଯାତ୍ରା ଅନୁଷ୍ଠିତ ହୋଇଥାଏ। କିନ୍ତୁ ଉକ୍ତ ଦେବୀ ପୀଠରେ ୱାଡେ,ଶୀରା ଏବଂ ପୂଜାରୀମାନେ ଯାତ୍ରା ସମୟରେ ରହଣୀ ପାଇଁ ଗୃହ ଏବଂ ରୋଷଶାଳା ନଥିବାରୁ ଗଛ ବା ଖୋଲା ଆକାଶ ତଳେ ଆଶ୍ରୟ ନବାକୁ ପଡୁଛି। ଏଣୁ ପ୍ରତ୍ୟେକ ଦୈବୀ ପୀଠରେ ଆଶ୍ରୟସ୍ଥଳ ଓ ରୋଷେଇ ଗୃହ ନିର୍ମାଣ ପାଇଁ ଆଲୋଚନା କରଯାଇଥିଲା। ସେହିପରି ପ୍ରତି ଏକ ବର୍ଷ ବ୍ୟବଧାନରେ ମାଲକାନଗିରି ଜିଲ୍ଲାରେ ଆଦିବାସୀ ସମ୍ପ୍ରଦାୟ ଦ୍ବାରା ପବିତ୍ର ବଡ଼ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ମାନ୍ଯମକୋଣ୍ତାରୁ ବାଲାରାଜୁ,ପୋତରାଜୁ,କାନାମରାଜୁ ଏବଂ ମୁତ୍ଯାଲୁମ୍ମା ଏକ ମାସ ବ୍ୟାପି ପାଲିଙ୍କିରେ ଭକ୍ତମାନେ ପଦବ୍ରଜରେ ମାଲକାନଗିରି ସଦର ମହକୁମାର ମାଉଲୀ ମା ମନ୍ଦିର ସମ୍ମୁଖରେ ଠାକୁରମାନଙ୍କୁ ସ୍ଥାପିତ କରି ଯାତ୍ରା ସଂପନ୍ନ କରିଥାନ୍ତି। ଏଠାରେ ଦୀର୍ଘ ତିନି ଦିନ ବ୍ୟାପି ଠାକୁର , ଠାକୁରାଣୀଙ୍କୁ ଭକ୍ତମାନେ ପୂଜାର୍ଚ୍ଚନା ଓ ଦର୍ଶନ କରିଥାନ୍ତି। ଏହି ସମୟରେ ଜିଲ୍ଲା ଆଦିବାସୀ ପୂଜାରୀ,ଦିଶାରୀ,ୱାଡେମାନେ ଆସି ସେବକ ଭାବେ ଦାୟିତ୍ବ ନିର୍ବାହ କରିଥାନ୍ତି। କିନ୍ତୁ ସେହି ୩ ଦିନ ପୂଜାରୀମାନେ ରହିବା ପାଇଁ କୋୖଣସି ଗୃହ ଏବଂ ରୋଷଶାଳା ନାହିଁ। ଏଣୁ ପ୍ରତି ବଡ଼ ଯାତ୍ରା ସମୟରେ ପୂଜାରୀ,ଦିଶାରୀମାନେ ହଇରାଣ ହରକତର ସମ୍ମୁଖୀନ ହୋଇଥାନ୍ତି। ଏଣୁ ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ କରିବା ଲାଗି ଆଲୋଚନା ହୋଇଥିଲା।
ବିଶେଷ କରି ପୂଜା ସ୍ଥଳଗୁଡିକରେ ପାନୀୟ ଜଳ ବ୍ୟବସ୍ଥା, ପୂଜକ,ଶୀରା ଏବଂ ୱାଡେମାନ ଯାତ୍ରା ସମୟରେ ରହଣୀ ବ୍ୟବସ୍ଥା,ରୋଷ ଗୃହ ନିର୍ମାଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ମଇରା (ବାଦ୍ୟକାର) ମାନଙ୍କ ପାଇଁ ସ୍ବତନ୍ତ୍ର ପୋଷାକ ପ୍ରଦାନ, ବାଦ୍ୟ ଯନ୍ତ୍ର ପ୍ରଦାନ ସହ ମାସିକ ଭତ୍ତା ବ୍ଯବସ୍ଥା କରିବା ପାଇଁ ମାଲକାନଗିରି ଜିଲ୍ଲା ମଇରା ସଂଘ ତରଫରୁ ଦାବି ହୋଇଥିଲା।
ସ୍ବତନ୍ତ୍ର ବିକାଶ ପରିଷ ଅଧ୍ୟକ୍ଷ ଆଡମା ରାବା କହିଲେ ଯେ, ଜିଲ୍ଲାର ଥିବା ସମସ୍ତ ଆଦିବାସୀ ସମ୍ପ୍ରଦାୟର ଗୁଡ଼ି (ପୂଜାସ୍ଥଳ) ଗୁଡ଼ିକର ନିର୍ମାଣ, ନବୀନକରଣ ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି। ଆଗକୁ ମଧ୍ୟ ସେ ସବୁର ବିକାଶ ଦିଗରେ ଧ୍ୟାନ ଦିଆଯିବ ବୋଲି ସେ ମତବ୍ୟକ୍ତ କରିଥିଲେ। ପୂର୍ବତନ ବିଧାୟକ ମାନସ ମାଡକାମୀ କହିଲେ ଯେ ଆଦିବାସୀ ସମାଜର ଭାଷା, ସଂସ୍କୃତି,କଳା, ସାମାଜିକ ଚଳଣି କିପରି ଅକ୍ଷୁର୍ଣ୍ଣ ରହିବ ସେଥି ପ୍ରତି ନବୀନ ସରକାର କିପରି ପ୍ରାଧାନ୍ୟ ଦେଉଛନ୍ତି, ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଆଇନଜୀବୀ ଭୂଦେବ ମହାନନ୍ଦିଆ ଆଦିବାସୀମାନଙ୍କୁ ସମ୍ବିଧାନରେ କି କି ସୁବିଧା ସୁଯୋଗ ରହିଛି ଏବଂ ସେ ସମ୍ପର୍କିତ ସମସ୍ତ ତଥ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)