ଉଲୁଣ୍ଡା ,୦୮/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଯୁକ୍ତ ଦୁଇ ମହାବିଦ୍ୟାଳୟ ଠାରେ ଗୁରୁବାର ଯୁବ ଓଡିଶା, ନବୀନ ଓଡ଼ିଶା ର ‘ନୂଆ- ଓଡିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ଭୋଲାନାଥ କର୍ମୀ ପ୍ରଦୀପ ପ୍ରଜ୍ବଳନ କରି ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମ ଉପରେ ବକ୍ତୃତା ପ୍ରଦାନ କରିଥିଲେ। ଏଠାରେ ୧୨ ଦିନ ଧରି ହେବାକୁ ଥିବା ଉକ୍ତ ଉତ୍ସବରେ ବିଭିନ୍ନ ସାଂସ୍କୃତିକ, ଖେଳ, ସାମାଜିକ ସେବା, ରଚନା, ତର୍କ, କୁଇଜ୍,ରଙ୍ଗୋଲି, ଚିତ୍ରାଙ୍କନ ଆଦି ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପର୍ଯ୍ୟାୟକ୍ରମେ ଆୟୋଜିତ ହେବାର ଜଣାଯାଇଛି। ଯୁବକ ଯୁବତୀ ମାନଙ୍କ ମାନସିକ, ଶାରୀରିକ ତଥା ସମାଜସେବା ଗୁଣର ବିକାଶ ପାଇଁ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। ପ୍ରଥମେ କଲେଜ ଠାରୁ ‘ନୂଆ- ଓଡିଶା’ ର ବାର୍ତ୍ତା ନେଇ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏଥିରେ କଲେଜର ସମସ୍ତ ଛାତ୍ର ଛାତ୍ରୀ ଓ ଅଧ୍ୟକ୍ଷ, ଅଧ୍ୟାପକ ସାମିଲ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ନୋଡାଲ ଅଫିସର ଦେବାଶିଷ ପଧାନ, ରମାକାନ୍ତ ପୁରୋହିତ, ଅନ୍ନଦା ମିଶ୍ର, ପ୍ରଜ୍ଞା କଳ୍ପିତା ନାୟକ, ସୁବ୍ରତ କୁମାର ପଣ୍ଡା, ସୁରେନ୍ଦ୍ର କୁମାର ସାହୁ, ଗୋପାଳ ଭୋଇ, ଦିଲ୍ଲୀପ କୁମାର ମେହେର, ଶମ୍ଭୁ ପ୍ରସାଦ ସାହୁ ଓ ହରିହର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ