ଶୀତ ଛୁଇଁଲାଣି ଧରଣୀର ଦେହ
ପ୍ରଭାତେ ଶିଶିର ପାତ….
କୁହୁଡି ଚାଦରେ ଆବୃତ୍ତ ହୋଇଛି
ଦିଗ୍ ବଳୟର ଗାତ୍ର….!!
କଅଁଳ କିରଣ ଢାଳଇ ସବିତା
ଦେହକୁ ନକାଟେ ଖରା….
ସୂରଜ କିରଣ ଭାରି ସୁଖପ୍ରଦ
ମଧୁର କୁହୁକ ଭରା….!!
ମା’ ମାଖି ଦେଇ ସୋରିଷ ତଇଳ
କୋମଳ ଶିଶୁର ଅଙ୍ଗେ….
କଅଁଳ ଖରାରେ ଦେଇଛି ଗଡାଇ
ହସେ ଖିଲି ଖିଲି ଢଙ୍ଗେ….!!
ମାର୍ଗଶିର ମାସେ କେଦାରେ କେଦାରେ
ସ୍ବର୍ଣିମା ଧାନର ଦୃଶ୍ୟ….
ଅବଲୋକନରେ ଆନନ୍ଦେ ବିଭୋର
ବିରହେ ଅନ୍ତର ତ୍ରାସ….!!
ଘରେ ଘରେ ଲକ୍ଷ୍ମୀପୂଜା ସଜବାଜ
ଅରୁଆ ଚାଉଳ-ଚିତା….
ମା’କମଳିନୀ ଧାନ କେଣ୍ଡା ବେଶେ
ହୁଅନ୍ତି କେତେ ପୂଜିତା….!!
କୁଟୀରର ବାସ ଗୋମୟ ଲିପାରେ
ଆହା କି ସୁନ୍ଦର ଦିଶେ…
ଗେରୁଆ ରଙ୍ଗର ଚକ୍ର ବନ୍ଧନୀରେ
ଝଲ ମଲ ଚିତା ହସେ….!!
ଗେଣ୍ଡୁ ଫୁଲ ମାଳ ମାଳ ମାଳ ଲମ୍ବି
ଏରୁଣ୍ଡି ବନ୍ଧକୁ ଶୋହେ…
ଲକ୍ଷ୍ମୀ ସାଆନ୍ତାଣୀ ଆସିବେ ବୋଲିଣ
ଘରଣୀ ପୁରାଣ ଗାଏ……!!
ଶୀତର ସ୍ପର୍ଶରେ ଅନୁଢା ସୁନ୍ଦରୀ
କାମନା ରସରେ ରସେ….
ବିରହ ବେଦନା ଅନ୍ତରର ଜ୍ବାଳା
ବଖାଣିବ କାହା ପାଶେ…!!
ବୁଢ଼ା ବୁଢ଼ି ଯେତେ ଶୀତେ ଥୁରୁ ଥୁରୁ
ଗରମ ପୋଷାକ ଲୋଡ଼େ…
ହାଉ ଫର ଫର ଗରମ ଖାଦ୍ୟକୁ
ଭୁଞ୍ଜିବାକୁ ଆଶା ବଢେ…!!
ସହରୀ ଜନତା ଶୀତ ସକାଳରେ
ଚାହା ପିଆଲାରେ ଓଠ…
ଚୁମ୍ବିଣ ଆନନ୍ଦେ ଶୀତକୁ ଦୂରାନ୍ତି
ଖବରକୁ କରି ପାଠ….!!
ସକାଳ ସିନାନ ଭାରି ଡର ଲାଗେ
ଶୀତରେ ମନ୍ଥର କାର୍ଯ୍ୟ…
ଶୁଖିଲା ଶୁଖିଲା ଦେହ ଲାଗୁଥାଏ
କାଶ-ଶ୍ବାସେ ଉଡ଼େ ଧର୍ଯ଼…!!
(କବି କେଶବ ଚନ୍ଦ୍ର ନାୟକ)(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)ମୋନଂ:୯୪୩୭୭୭୯୪୪୭