ମାଲକାନଗିରି, ୨୮/୧୧ (ପିପିଟି):ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବ -୨୦୨୩ ପାଇଁ ଆଜି ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ପଞ୍ଚାୟତର ଯଦୁଗୁଡା ଶୈବ ପୀଠରୁ ଶୁଭାରମ୍ଭ କରାଯାଇଛି। ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ବିଶାଲ ସିଂଙ୍କ ନେତୃତ୍ବରେ ଶୈବ ପୀଠରେ ପୂଜାର୍ଚ୍ଚନା ପରେ କଳସ ଜଳ ଶୋଭାଯାତ୍ରା ବାହାରିଥିଲା। ଏଗାର ଗୋଟି କଳସକୁ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ, ବନଖଣ୍ଡ ଅଧିକାରୀ ପ୍ରତାପ କଟ୍ଟାପଲ୍ଲୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା,ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା ଓ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମି, ମହିଳା ସ୍ବୟଂ ସହାୟିକା ମାଆ ମାନଙ୍କୁ ପ୍ରଦାନ କରିଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ବେଦବର ପ୍ରଧାନ ପୂର୍ବାହ୍ନରେ ପ୍ରାରମ୍ଭିକ ପୂଜା ବିଧି ସମ୍ପନ୍ନ କରିଥିଲେ । ମାଲ୍ୟବନ୍ତ ମହୋତ୍ସବ ସାଂସ୍କୃତିକ କମିଟିର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ଡ଼ଃ ଅକ୍ଷୟ କୁମାର ଖେମୁଣ୍ଡୁ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ ଜଣାଇ ମନ୍ଦିର ପରିସରକୁ ପାଛୋଟି ନେଇଥିଲେ। ଏହି ସମସ୍ତ କାର୍ଯ୍ୟ
ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡ଼ିଆଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା। ଏହି ପୀଠରେ ପାରମ୍ପରିକ ଆଦିବାସୀ ସଂସ୍କୃତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି। ବର୍ତ୍ତମାନ ସାତଟି ବ୍ଲକରେ ବ୍ଲକସ୍ତରୀୟ ମହୋତ୍ସବ ପାଳନ କରାଯିବ। ଆଜି କଳସ ଶୋଭାଯାତ୍ରାରେ ବହୁତ ଲୋକ ସମାଗମ ହୋଇଥିଲେ। ଏଥିରେ ଜିଲ୍ଲାର କୋୟା, ଗଡଙ୍ଗି ଓ ଢେମସା ଭଳି ଲୋକ ନୃତ୍ୟ ଦଳ ସାମିଲ ହୋଇ ଶୋଭାଯାତ୍ରର ଶୋଭା ବର୍ଦ୍ଧନ କରିଥିଲେ। ସେହିପରି ପଦ୍ମଗିରି ସରକାରୀ ଏସଏସଡି ହାଇସ୍କୁଲ ଠାରେ କଳସକୁ ବନ୍ଦାପନା କରାଯାଇଥିଲା। ଅପରାହ୍ନରେ ଭୈରବ ମନ୍ଦିର ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଶୋଭାଯାତ୍ରାରେ ମହିଳା ସ୍ବୟଂ ସହାୟିକା ମାଆମାନେ, ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ବିଭିନ୍ନ କ୍ଲବ୍ ସଦସ୍ୟ ଓ ଜନସାଧାରଣ ଯୋଗ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତ୍ରିନାଥ ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମିଳା ମାଝୀ, ଏସଡିପିଓ ସଚିନ ପଟେଲ, ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ, ଥାନା ଅଧିକାରୀ ରିଗାନ କିଣ୍ଡୋ,ସିଡ଼ିପିଓ, ବ୍ଲକ କର୍ମଚାରୀ, ବନ ବିଭାଗ କର୍ମଚାରୀ, ସରପଞ୍ଚ ଓ ଜିଲ୍ଲାର ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)