ବ୍ରହ୍ମପୁର ପୋଲିସ ତରଫରୁ ସାଇବର ସଚେତନତା ରଥର ଶୁଭାରମ୍ଭ ।

0 112

୦୨/୧୦/୨୦୨୩ -:- ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ସାଇବର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ପରିସରରେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ସମୟରେ ସାଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ କିଭଳି ଭାବେ ରୋକାଯାଇପାରିବ ସେ ନେଇ ସଚେତନତା ନିହାତି ଆବଶ୍ୟକ। ତେଣୁ ଏନେଇ ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ସଚେତନ କରାଯିବା ନେଇ ପଦକ୍ଷେପ ନିଆଯାଉଛି । ସେହି କ୍ରମରେ ଆଜି ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ରଥର ମଧ୍ୟ ଶୁଭାରମ୍ଭ କରାଯାଇଥିଲା । ଏହି ରଥ ସହରର ସମସ୍ତ ସାହି ଗଳି ଓ ବିଦ୍ୟାଳୟ ମହାବିଦ୍ୟାଳୟରେ ପହଞ୍ଚି ସମସ୍ତଙ୍କୁ ସାଇବର ଅପରାଧ ନେଇ ସଚେତନ କରାଇବ । ଦୁଇ ସପ୍ତାହ ଧରି ସାଇବର ଅପରାଧ ନେଇ ସହରବାସୀଙ୍କୁ ସଚେତନ କରାଯିବ । ଏହା ଦ୍ବାରା ନିଶ୍ଚିତ ଭାବେ ଲୋକେ ସଚେତନ ହୋଇପାରିବେ। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ ପରିଚାଳିତ କରିଥିବା ବେଳେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ବିବେକ ରେଡ଼ିଙ୍କ ସମେତ ବ୍ରହ୍ମପୁର ପୋଲିସ ଜିଲ୍ଲାର ବହୁ ପୋଲିସ ଅଧିକାରୀ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

ରିପୋର୍ଟ – ଆରତ କୁମାର ହୋତା

Leave A Reply

Your email address will not be published.