ମୁଜଗଡ଼ ଗ୍ରାମରେ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ।

0 986

ଭଞ୍ଜନଗର, ୨୬/୦୬ (ପିପିଟି):ରବିବାର ମଧ୍ୟ ରାତିରେ ଦିଗପହଣ୍ଡି ନିକଟରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଭଞ୍ଜନଗର ନିକଟ ମୁଜାଗଡ଼ ଗ୍ରାମ ର ଗୋଟିଏ ପରିବାରର ୫ଜଣଙ୍କ ରହିଛନ୍ତି।ସୂଚନା ମୁତାବକ ମୁଜାଗଡ଼ ଗ୍ରାମର ସତ୍ୟଜିତ ପ୍ରଧାନଙ୍କ ଶାଳୀ ସୋନାଲିର ବିବାହ ଉତ୍ସବ ରବିବାର ଦିନ ଖଣ୍ଡ ଦେଉଳି ଗ୍ରାମରେ ଅନୁଷ୍ଠିତ ହେଉଥିବାରୁ ଏହି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବାକୁ ସତ୍ୟଜିତ ପ୍ରଧାନଙ୍କ ସହ ପତ୍ନୀ ଶିବାନୀ ପ୍ରଧାନ(୨୭), ଏକ ବର୍ଷର ପୁଅ ଆଦବିକ,ଦାଦା ପୁଅ ଶୁଭେନ୍ଦୁ ପ୍ରଧାନ,ତାଙ୍କ ପତ୍ନୀ ସୁଜ୍ଞାନୀ ପ୍ରଧାନ(୨୭),ତାଙ୍କର ୩ବର୍ଷର ପୁଅ ଦେବାଂଶ ଓ ପରିବାରର ସଞ୍ଜୟ ମେଦିନିରାୟ (୫୨) ଯାଇଥିଲେ। ଖଣ୍ଡ ଦେଉଳି ଗ୍ରାମରେ ଦିନ ବେଳେ ବିବାହ ପରେ ବର କନ୍ୟା ବିଦାୟ ନେବା ପରେ ଅନ୍ୟମାନେ ଝିଅର ଜିନିଷପତ୍ର ନେଇ ବ୍ରହ୍ମପୁର ଯାଇ ରାତିରେ ଭୋଜି ଖାଇ ସାରି ଏକ ଘରୋଇ ବସ ଯୋଗେ ଖଣ୍ଡ ଦେଉଳି ଗ୍ରାମକୁ ଫେରିବା ବେଳେ ଦିଗପହଣ୍ଡି ନିକଟରେ ସାମ୍ନା ପଟରୁ ଆସୁଥିବା ଏକ ସରକାରୀ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ ୧୨ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନେ ହେଲେ ମୁଜାଗଡ଼ର ସତ୍ୟଜିତଙ୍କ ପତ୍ନୀ ଶିବାନୀ, ପୁଅ ଆଦବିକ,ସୁଜ୍ଞାନୀ ଓ ତାଙ୍କ ପୁଅ ଦେବାଂଶଙ୍କ ସମେତ ସଞ୍ଜୟ ମୃତ୍ୟୁ ବରଣ କରିଥିବା ବେଳେ ଶୁଭେନ୍ଦୁ ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ବ୍ରହ୍ମପୁର ଠାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ମୁଜାଗଡ଼ ଗ୍ରାମକୁ ଫେରିଥିଲା। ସମସ୍ତ ମୃତଦେହକୁ ଶୋଭାଯାତ୍ରାରେ ଗ୍ରାମ ସ୍ମଶାନକୁ ନିଆ ଯାଇଥିଲା। ଶେଷ ଦର୍ଶନ ପାଇଁ ଭଞ୍ଜନଗର ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ତହସିଲଦାର ଅଚ୍ୟୁତାନନ୍ଦ ଯାନୀ ଓ ଅନ୍ୟମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ରିପୋର୍ଟ -ଜୟକୃଷ୍ଣ ପଟ୍ଟନାୟକ

Leave A Reply

Your email address will not be published.