ଭଞ୍ଜନଗର, ୨୫/୦୬(ପିପିଟି):ଭଞ୍ଜନଗର ଥାନା ଅନ୍ତର୍ଗତ ଫୁଲବାଣୀ ରାସ୍ତାର ନୂତନ ଆରଟିଓ ଅଫିସ ଛକ ନିକଟରେ ରବିବାର ଅପରାହ୍ନରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇ ଭଞ୍ଜନଗର ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ଜଣାପଡିଛି।ରାଇକିଆ ଥାନା ମଣ୍ଡାକିଆ ଗ୍ରାମର ଶିକ୍ଷକ ରଞ୍ଜିତ ପ୍ରଧାନ(୫୪) ପତ୍ନୀ ଶିକ୍ଷୟତ୍ରୀ ମାଳା ସିନା ପ୍ରଧାନ(୫୦) ଉଭୟେ ବାଇକ ଯୋଗେ ଜଗନ୍ନାଥ ପ୍ରସାଦ ବ୍ଲକ ଛାମଣ୍ଡା ଠାରେ ରହୁଥିବା ପୁଅ, ବୋହୁ ଓ ନାତୁଣୀ କୁ ଦେଖା କରି ଫେରୁଥିବା ବେଳେ ଭଞ୍ଜନଗର ନିକଟରେ ସାମ୍ନାରେ ଯାଉଥିବା ଏକ ୪୦୭ଭ୍ୟାନ ହଠାତ୍ ବ୍ରେକ ମାରିବାରୁ ରଞ୍ଜିତଙ୍କ ବାଇକ ଭାରସାମ୍ୟ ହରାଇ ଉକ୍ତ ଗାଡିର ପଛକୁ ଧକ୍କା ଦେଇଥିଲା।ଫଳରେ ଉଭୟେ ପତିପତ୍ନୀ ବାଇକ୍ ରୁ ରାସ୍ତା ଉପରେ ଛିଟକି ପଡ଼ିଥିଲେ।ରଞ୍ଜିତ ହେଲମେଟ ପିନ୍ଧି ଥିବାରୁ ତାଙ୍କ ମୁଣ୍ଡ ସୁରକ୍ଷିତ ଥିଲେ ମଧ୍ୟ ଛାତିରେ ଗଭୀର ଆଘାତ ଲାଗିଥିଲା।ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା।ଏଠାରେ ଡାକ୍ତର ରଞ୍ଜିତଙ୍କୁ ମୃତ ଘୋଷଣା କରିଥିଲେ ଏବଂ ପତ୍ନୀଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ରିପୋର୍ଟ -ଜୟକୃଷ୍ଣ ପଟ୍ଟନାୟକ