ମାଲକାନଗିରି ,୦୧/୦୬(ପିପିଟି): ଆଜି ଅପରାହ୍ନ ୪ଟା ସମୟରେ କାଳ ବୈଶାଖୀ ପ୍ରଭାବରେ ମାଲକାନଗିରି ସଦର ମହକୁମାରେ ବ୍ଯାପକ ବୃକ୍ଷ ଭାଙ୍ଗିଥିବା ବେଳେ ବିଭିନ୍ନ ଲୋକଙ୍କ ଘର ଉପରେ ମଧ୍ଯ ଗଛ ପଡିଥିବା ଜଣା ପଡିଛି । ଦୀର୍ଘ ଦିନ ହେଲା ବର୍ଷା ନହେବାରୁ ଗ୍ରୀଷ୍ମତାପରେ ଅସହ୍ଯ ଗୁଳୁଗୁଳି ଅନୁଭୂତ ହେଉଥିଲା । ବର୍ଷା ପାଇଁ ଲୋକମାନେ ବ୍ଯାକୁଳ ହେଉଥିବା ବେଳେ ଆଜି ହଠାତ ୪ଟା ସମୟରେ ଅଳ୍ପ ବର୍ଷା ସହିତ ପ୍ରବଳ ବେଗରେ ପବନ ପ୍ରବାହିତ ହୋଉଥିଲା । ଫଳରେ ଅନେକ ବୃକ୍ଷ ଉପୁଡି ଯାଇଥିଲା । ସାପ୍ତାହିକ ହାଟ ପଦାରେ ଦୁଇଟି ବୃକ୍ଷ ଉପୁଡି ଜିଲ୍ଲା ପରିଷଦ ଅଧ୍ଯକ୍ଷଙ୍କ କୋଠା ଉପରେ ପଡିବା ଫଳରେ ଘରର ପ୍ରବେଶ ଦ୍ବାର ବର୍ତ୍ତମାନ ଅବରୋଧ ହୋଇ ପଡିଛି । ସେଠାରେ ଥିବା ଦୋକାନ ନିକଟରେ ୨ଟି ଶାଗୁଆନ ଗଛ ଉପାଡି ରାସ୍ତା ଅବରୋଧ କରିଛି । ସେହିପରି ସରକାରୀ ଉଚ୍ଚ ବିଦ୍ଯାଳୟ,ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ଯାଳୟ,ମାଲ୍ଯବନ୍ତ ଛାତ୍ରାବାସ ନିକଟ ଅଞ୍ଚଳରେ ଗୁଡାଏ ଗଛ ପବନରେ ଉପୁଡି ପଥ ଅବରୋଧ କରିଛି । ଏହା ବ୍ଯତୀତ ୧୧୯ କଲୋନୀରେ ମଧ୍ଯ ଗଛ ଭାଙ୍ଗି ବିଭିନ୍ନ ଘର ଉପରେ ପଡିଛି ।ଗଛ ପଡି ବିଦ୍ଯୁତ ତାର ଛିଣ୍ଡି ଯାଇଥିବା ବେଳେ ବିଦ୍ଯୁତ ଖୁଣ୍ଟ ମଧ୍ଯ ନଇଁ ପଡିଛି । ତେବେ ବିଜୁଳି ଓ ବଜ୍ରପାତରେ କିଏ କେଉଁଠି ଆହାତ ହୋଇଥିବା ସୂଚନା ମିଳି ନାହିଁ । ଅସ୍ଥାୟୀ ଫଳ ଦୋକାନ ସବୁ ଭାଙ୍ଗି ଯାଇଛି । ଉପଜିଲ୍ଲାପାଳଙ୍କ ବାସଭବନ ନିକଟରେ ଗଛପଡି ପଥ ଅବରୋଧ ହୋଇଛି । ବର୍ତ୍ତମାନ ରାସ୍ତାରୁ ବୃକ୍ଷ ହଟାଇବା ପାଇଁ ଅଗ୍ନିଶମ ବାହିନୀର କର୍ମକର୍ତ୍ତାମାନେ ନିୟୋଜନ ହୋଇଛନ୍ତି ।ମାତ୍ର ୨୫/୩୦ ମିନିଟର କାଳ ବୈଶାଖୀ ପ୍ରଭାବରେ ବ୍ଯାପକ ଗଛ ଉପୁଡି କ୍ଷୟ କ୍ଷତି ସୃଷ୍ଟି ହୋଇଛି । ସଦର ମହକୁମାରେ ସଂପୂର୍ଣ୍ଣ ବିଦ୍ଯୁତ ସରବରାହ ଠପ୍ ହୋଇ ଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)