ବେଲଗୁଣ୍ଠା,୨୩/୦୫(ପିପିଟି):ବେଲଗୁଣ୍ଠାରେ ଚାଲିଥିବା ପ୍ରସିଦ୍ଧ ଐତିହାସିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ବାଲିଡି ସାହି ତରଫରୁ ମାଁ ଙ୍କ ନଗର ପରିକ୍ରମା ଜାକଜମକରେ ଆୟୋଜିତ ହୋଇଯାଇଛି । ଏଥିରେ ଥିବା ନୂତନ ଧରଣର ପଟୁଆର ଓ ଚକ୍ର ମହଲ ବାଣ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦ ଭରି ଦେଇଛି । ସୋମବାର ଦିନ ସକାଳେ ବାଲିଡି ସାହି ବାସିନ୍ଦା ଓ ସହରବାସୀ ମାଁ ଙ୍କ ପୀଠକୁ ବରଣ କରିବା ପାଇଁ ଯାଇ ମାଁ ଙ୍କ ଆଜ୍ଞାମାଳ ସହିତ ନିମନ୍ତ୍ରଣ କରି ଆସିଥିଲେ । ସଂଧ୍ୟା ୬.୩୦ ମାଁ ସମୟରେ ଏକ ବିରାଟ ଆକର୍ଷଣୀୟ ଶୋଭାଯାତ୍ରାରେ ମାଁ ଙ୍କୁ ନଗର ପରିକ୍ରମା କରାଇଥିଲେ । ନୂତନ ଧରଣର କଣ୍ଢେଇ ବେଶ, ଡାଇନୋସର,ବିରାଟକାୟ ଗରିଲା ବେଶ,ପାଟପୁର ର ଦଶାବତାର, ଶିଙ୍ଗବାଜା ସହିତ ମାଁ ଙ୍କ ପରିକ୍ରମା ଆରମ୍ଭ ହୋଇଥିଲା । ମାଁ ବଡ଼ଦାଣ୍ଡରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଆତସବାଜିରେ କାର୍ଯ୍ୟକ୍ରମ । ଏଥିରେ ସୁଦୂର ଆନ୍ଧ୍ର ପ୍ରଦେଶର ବିଭିନ୍ନ ପ୍ରକାରର ଚକ୍ରମହଲ ସଦୃଶ ବାଣ ଦେଖି ଦର୍ଶକଙ୍କ ଆଖି ଲାଖି ଯାଇଥିଲା ।ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଶାନ୍ତି ଶୃଙ୍ଖଳା ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆତସବାଜି ପ୍ରଦର୍ଶନ ଉପଭୋଗ କରିଥିଲେ ।ମାଁ ବ୍ରାହ୍ମଣ ଦେବୀ ରାତ୍ରିର ବିଳମ୍ବିତ ପ୍ରହରରେ ନିଜ ଅସ୍ଥାୟୀ ପୀଠକୁ ବିଜେ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଯାତ୍ରା ମହୋତ୍ସବ କମିଟି ସହିତ ୨ ନମ୍ବର ୱାର୍ଡ କାଉନସିଲର ଦିବ୍ୟ ରଞ୍ଜନ ଦାଶ,ରାଜ କିଶୋର ମହାପାତ୍ର, ପବିତ୍ର କୁମାର ପଣ୍ଡା, ବାଳକୃଷ୍ଣ ପାଣିଗ୍ରାହୀ,ମନୋଜ କୁମାର ବେହେରା,ପ୍ରଭାତ କୁମାର ସାହୁ, ରାକେଶ ପାତ୍ର,ବଳରାମ ମହାରଣା,ଜ୍ଞାନ ରଞ୍ଜନ ଦାଶ, ଲକ୍ଷ୍ମଣ ରେଡ୍ଡୀ,ବିଶ୍ୱଜିତ ମହାରଣା, ଶଙ୍କର୍ଷଣ ସାହୁ,ବାବୁଲା ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )