ସମ୍ଭାବ୍ୟ ବାତ୍ୟାକୁ ପ୍ରତିହତ କରିବା ନେଇ ପ୍ରସ୍ତୁତି ବୈଠକ;ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ।

0 223

ମାଲକାନଗିରି,୧୮/୦୫(ପିପିଟି):
ଆଜି ଅପରାହ୍ନରେ ଆଭାସି ମାଧ୍ୟମରେ ଚଳିତ ଗ୍ରୀଷ୍ମ ପ୍ରବାହ ଓ ବଙ୍ଗୋସାଗରରେ ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାକୁ ପ୍ରତିହତ କରିବା ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ଗ୍ରୀଷ୍ମ ପ୍ରବାହ ଏବଂ ସମ୍ଭାବ୍ୟ ଗ୍ରୀଷ୍ମ କାଳୀନ ବାତ୍ୟା ପରିସ୍ଥିତି ରେ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ମହେଶ୍ୱର ଚନ୍ଦ୍ର ନାଏକ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ଠାରୁ ପାଇଥିବା ନିର୍ଦ୍ଦେଶନାମା ଅନୁସାରେ ସମସ୍ତ ବିଭାଗକୁ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ସମ୍ଭାବ୍ୟ ଗ୍ରୀଷ୍ମ କାଳୀନ ବାତ୍ୟା ମୁକାବିଲା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗକୁ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ ତଥା ବ୍ଲକ ସ୍ତରୀୟ ଚିକିତ୍ସାଳୟ ମାନଙ୍କରେ କଣ୍ଟ୍ରୋଲ ରୁମ୍ ଗ୍ରୀଷ୍ମ ପ୍ରବାହ ସମୟରୁ କାର୍ଯ୍ୟକ୍ଷମ ହୋଇଅଛି । କୌଣସି ଅଞ୍ଚଳରେ ଆପତକାଳୀନ ପରିସ୍ଥିତି ସୃଷ୍ଟି ହେଲେ ତତ କ୍ଷଣାତ୍ ତାହା ପ୍ରତି ଦୃଷ୍ଟିପାତ କରାଯିବ ।ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରାଯିବ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ ମା’ ଗୃହକୁ ସ୍ଥାନାନ୍ତରଣ କରାଯିବ । ସେହିପରି ଜିଲ୍ଲାରେ ରାପିଡ୍ ରେସପନସ ଟିମ୍ ମଧ୍ୟ ସକ୍ରିୟ ରହିଛି ଏବଂ ମୋବାଇଲ ଭ୍ଯାନ ମଧ୍ୟ କାର୍ଯ୍ୟକ୍ଷମ ରହିଛି । ଆବଶ୍ୟକୀୟ ପରିମାଣର ଔଷଧ, ଓ. ଆର୍. ଏସ୍., ସାପ କାମୁଡ଼ା ଭେକସିନ ମହଜୁଦ ରଖିବାକୁ କୁହାଯାଇଛି । ସେହିପରି ପ୍ରାଣୀଧନ ବିଭାଗ ପକ୍ଷରୁ ପଶୁପକ୍ଷୀ ମାନଙ୍କ ନିମନ୍ତେ ଆବଶ୍ୟକ ପରିମାଣରେ ଔଷଧ, ଭେକସିନ୍, ଗୋ ଖାଦ୍ୟ ଆଦି ମହଜୁଦ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ବାତ୍ୟା ପରିସ୍ଥିତି ଉପୁଜିଲେ ପଶୁ ପକ୍ଷୀମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବାର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ଜିଲ୍ଲାରେ ଆବଶ୍ୟକୀୟ ପରିମାଣରେ କିରୋସିନି,ଶୁଖିଲା ଖାଦ୍ୟ ଯଥା- ଚୁଡା, ଗୁଡ଼ ଆଦି ମହଜୁଦ ରଖିବା ପାଇଁ ଜିଲ୍ଲା ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବାତ୍ୟା ସମୟରେ କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ଧାନ ଫସଲ ତଥା ଫଳ ଓ ପନିପରିବା ଚାଷ ଗୁଡ଼ିକର କିଭଳି ଭାବେ ଯତ୍ନ ନିଆଯିବ ଓ କିଭଳି ଫସଲରେ ରୋଗ ପୋକ ଦମନ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଛି । ବାତ୍ୟା ପରିସ୍ଥିତି ସମୟ ରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା,ପାଇପ୍ ଜଳ ଯୋଗାଣ, ବ୍ଲିଚିଂ ପାଉଡର ବଣ୍ଟନ, ଜଳ ନିଷ୍କାସନ ଆଦି ସମ୍ପର୍କରେ ଗ୍ରାମ୍ୟ ଜଳଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ୍ ଯୋଗାଣ ନେଇ ଜନସାଧାରଣଙ୍କୁ ପାୱାର ବାକ୍ଅପ୍ ରଖିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ଜିଲ୍ଲା ଅଗ୍ନିଶମ ତଥା ଓଡ୍ରାଫ୍ ଟିମ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରପାତି ଆଦି ମହଜୁଦ ରଖିବା ପାଇଁ କୁହାଯାଇଛି ଏବଂ କୌଣସି ଅଞ୍ଚଳରେ ବିପର୍ଯ୍ୟୟ ଯୋଗୁ ରାସ୍ତାଘାଟ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲେ କିମ୍ବା ଘର ଆଦି ଭାଙ୍ଗି ଥିଲେ ତତ୍ କ୍ଷଣାତ୍ ତାହା ପ୍ରତି ଦୃଷ୍ଟିପାତ କରିବା, ସ୍ଥାନାନ୍ତରଣ ପ୍ରକିୟା ଆଦି ଉପରେ ଗୁରୁତ୍ବ ଦେବା ପାଇଁ କୁହାଯାଇଛି । ବିପର୍ଯ୍ୟୟ ସମୟରେ ଜିରୋ କାଜୁଆଲିଟି ତଥା ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ରଖି ବିପର୍ଯ୍ୟୟ ର ମୁକାବିଲା କରିବା ଉପରେ ଗୁରୁତ୍ଵାରୋପ କରାଯାଇଥିଲା । ସେହିପରି ନିୟମିତ ଭାବେ ଡ୍ରେନେଜ ସଫା କରିବା, ଲୋ ଲାଇନ୍ ଅଞ୍ଚଳ ତଥା ସୁରକ୍ଷା ଦୃଷ୍ଟିରୁ ଦୁର୍ବଳ ଅଞ୍ଚଳ ଗୁଡ଼ିକର ଚିହ୍ନଟ କରିବା,ଜନସଚେତନତା ସୃଷ୍ଟି କରିବା, ଆପତକାଳୀନ ପରିସ୍ଥିତି ସମ୍ପର୍କରେ ତୁରନ୍ତ ସୂଚନା ଦେବା ଆଦି ଉପରେ ଜିଲ୍ଲାପାଳ ପ୍ରାଧାନ୍ୟ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଉମା ପ୍ରସାଦ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ପ୍ରଫୁଲ୍ଲ ନନ୍ଦ, ପୌର ପରିଷଦ ନିର୍ବାହୀ ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ,ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ,ସମସ୍ତ ବିଡ଼ିଓ ଏବଂ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.