ନିଖୋଜ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ।

0 221

ମାଲକାନଗିରି,୨୪/୦୩(ପିପିଟି): ମାଲକାନଗିରି ଥାନା ଅନ୍ତର୍ଗତ ଏମଭି -୭ ଗ୍ରାମ ନିକଟ ମୁଖ୍ୟ ରାସ୍ତା କଡ଼ରେ ଥିବା ଜମି ଭିତରେ ନିଖୋଜ ପ୍ରେମୀ ଯୁଗଳଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ପ୍ରେମକୁ ପରିବାରଙ୍କ ପକ୍ଷରୁ ସ୍ବୀକୃତି ନ ମିଳିବାରୁ ପ୍ରେମୀ ଯୁଗଳ ଶେଷରେ ଆତ୍ମହତ୍ଯା କରିବା ପାଇଁ ଚରମ ନିଷ୍ପତ୍ତି ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି । ପ୍ରାପ୍ତ ସୂଚନା ଅନୁଯାୟୀ ପ୍ରାଣ ହରାଇଥିବା ପ୍ରେମୀଯୁଗଳ ହେଲେ ନନ୍ଦେ ମାଡକାମୀ ଓ ନବୀନ ମାଡକାମୀ ତମସା ପଞ୍ଚାୟତ ଆରୋ କଲୋନୀରେ ରହୁଥିଲେ । ମୃତ ପ୍ରେମିକ ନବୀନ ଓ ପ୍ରେମିକା ନନ୍ଦେ ପରସ୍ପରକୁ ଦୀର୍ଘ ଦିନ ହେଲା ଭଲ ପାଇଁ ଆସୁଥିଲେ । ଦୁହେଁ କୋୟା ଆଦିବାସୀ ସଂପ୍ରଦାୟର ଅଟନ୍ତି । କିନ୍ତୁ ସେ ଦୁହିଁଙ୍କ ପ୍ରେମ ସଂପର୍କକୁ ସେମାନଙ୍କ ପରିବାର ସଦସ୍ଯମାନେ ବିବାହ ପାଇଁ ସହମତ ନଥିଲେ। ଇତି ମଧ୍ଯରେ ଝିଅଟିର ବିବାହ ଅନ୍ଯତ୍ର ହେବା ଲାଗି ବୁଧବାର ଦିନ ନିଶ୍ଚିତ ହୋଇଥିଲା । କିନ୍ତୁ ଗତ ମଙ୍ଗଳବାର ଦିନ ଝିଅ ଓ ପୁଅ ଉଭୟେ ନିଜ ନିଜ ଘରୁ ଫେରାର ହୋଇଯାଇଥିଲେ । ପରିବାର ଲୋକେ ଜାଣିବା ପରେ ଗ୍ରାମବାସୀଙ୍କ ସହ ମିଶି ଅନେକ ଖୋଜା ଖୋଜି କରିଥିଲେ । କିନ୍ତୁ ସେମାନଙ୍କ କୌଣସି ପତ୍ତା ମିଳିନଥିଲା । ଆଜି କିଛି ଲୋକ ଏମଭି – ୭ ଗ୍ରାମର ମୁଖ୍ୟ ରାସ୍ତା କଡ଼ ଜମିରେ ଦୁଇ ଜଣଙ୍କ ମୃତ ଦେହ ଦେଖିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ଯ ସୃଷ୍ଟି ହୋଇଥିଲା । ଖବର ପାଇ ସେଠାରେ ନିଜ ପରିବାର ଲୋକେ ପହଞ୍ଚି ମୃତ ଦେହ ନିକଟରେ କରୁଣ କ୍ରନ୍ଦନ କରିଥିଲେ। ସୂଚନା ପାଇ ଘଟଣା ସ୍ଥଳରେ ମାଲକାନଗିରି ଏସଡିପିଓ ସଚିନ ପଟେଲ ଓ ଥାନା ଅଧିକାରୀ ରିଙ୍ଗାନ କିଣ୍ଡୋ ପହଞ୍ଚି ପ୍ରେମୀ ଯୁଗଳଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ। ନିକଟରେ ଦୁଇଟି ଗ୍ଲାସ ଥିବାରୁ ବିଷ ପାନ କରି ଆତ୍ମହତ୍ଯା କରିଥିବା ଅନୁମାନ କରାଯାଉଛି । ତେବେ ଶବ ବ୍ଯବଛେଦ କଲା ପରେ ପ୍ରକୃତ ରହସ୍ଯ ଜଣା ପଡିବ ।

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.