ମାଲକାନଗିରି,୨୨/୦୩(ପିପିଟି):ମାଲକାନଗିରି ଜିଲ୍ଲାର ସାତଟି ବ୍ଲକର ସମସ୍ତ ଗ୍ରାମ ଗୁଡିକରେ ପାନୀୟ ଜଳ ସମସ୍ଯାର ଦୂରିକରଣ, ଅଙ୍ଗନୱାଡି ଗୁଡିକର ଭିତ୍ତିଭୂମିର ସ୍ଥାପନ,କିଶୋରୀ ବାଳିକାମାନଙ୍କ ପାଇଁ ପୋଷଣ ଯୋଜନା ଲାଗୁ କରିବା ଓ ରାସ୍ତା ଘାଟ ନିର୍ମାଣ ତଥା ମରାମତି ଭଳି ବିଭିନ୍ନ ମୌଳିକ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ଶ୍ରମଜୀବୀ ସଂଗଠନ ଓ ମହିଳା ଶ୍ରମଜୀବୀ ଲୋକ ସଂଗଠନ ପକ୍ଷରୁ ଆଜି ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବି ପତ୍ର ପ୍ରଦାନ କରାଯାଇଛି ।ମାଲକାନଗିରି ଜିଲ୍ଲାରେ ଥିବା ସାତ ଗୋଟି ବ୍ଲକର ସଭାପତି ଏହାର ନେତୃତ୍ବ ନେଇଥିଲେ । ଖଇରପୁଟ ବ୍ଲକରୁ ରେଲି ଖିଲ, ଚିତ୍ରକୋଣ୍ଡା ବ୍ଲକରୁ ରାମ ଗୋଲରୀ, ମାଲକାନଗିରି ବ୍ଲକରୁ ରାଜେନ୍ଦ୍ର କବାସୀ,ମାଥିଲି ବ୍ଲକରୁ ଭାଗିରଥି ପାଟନିଆ,ପଡିଆ ବ୍ଲକରୁ କଷି କବାସୀ,କାଲିମେଳା ବ୍ଲକରୁ ଉରେ କବାସୀ ଓ କୋରୁକୋଣ୍ଡା ବ୍ଲକରୁ ଗାଙ୍ଗି ସୋଡିଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷମାନେ ବ୍ଲକ ନିକଟସ୍ତ ବସ ଷ୍ଟାଣ୍ଡ ଠାରୁ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଆସି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିଜର ଦାବି ପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରିଛି ଯେ ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆଗମନ ହେତୁ ଗ୍ରାମଗୁଡିକରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖା ଗଲାଣି, ଏହାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ପ୍ରତି ଗ୍ରାମ ଗୁଡିକରେ ଥିବା ଜଳ ଉତ୍ସ ଗୁଡିକ ନିର୍ମାଣ,ମରାମତି ଓ ବିଶୋଧନ କରାଯାଉ ଏବଂ ଯେଉଁ ଗ୍ରାମଗୁଡିକରେ ଜଳ ସଙ୍କଟ ଥିବ ସେଠାରେ ଟ୍ୟାଙ୍କର ଦ୍ୱାରା ଜଳ ଯୋଗାଣ କରାଯାଉ । ପ୍ରତି ଗ୍ରାମ ଓ ପଡା ମାନଙ୍କରେ ଥିବା ଲୋକ ସଂଖ୍ୟା ଆଧାରରେ ନୂତନ ଅଙ୍ଗନୱାଡି ଓ ମିନି ଅଙ୍ଗନୱାଡି ଖୋଲାଯାଉ,ନିଜସ୍ୱ ଘର ଓ ପୃଥକ ପାଇଖାନା ନିର୍ମାଣ କରାଯାଉ । କିଶୋରୀ ବାଳିକା ମାନଙ୍କ ପାଇଁ ପୋଷଣ ଯୋଜନା ଲାଗୁ କରାଇ ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରଦାନ କରାଯାଉ । ଏଥିରେ ଅନ୍ୟାନ୍ୟ ସମସ୍ୟା ଯେମିତିକି ରାସ୍ତାଘାଟ,ସୋପିଟ ଓ ଡ୍ରେନେଜ୍ ଆଦି ନିର୍ମାଣ ଓ ମରାମତି କରାଯିବା ପାଇଁ ଦାବି ହୋଇଛି । ଏହି ଶୋଭାଯାତ୍ରାରେ ଗୋବର୍ଦ୍ଧନ ପାଙ୍ଗି,ମଦନ ହନ୍ତାଳ,ମୁକୁନ୍ଦ ମାଡକାମୀ,ରାମ ବଡ଼ନାୟକ, ସୀତାରାମ ଦୁରୁଆ ଓ ତ୍ରିନାଥ ବଡ଼ନାୟକ ପ୍ରମୁଖ ଯୋଗଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)