ମାଲକାନଗିରି,୨୦/୦୩(ପିପିଟି):୮୮ତମ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳନ ନେଇ ଆଜି ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ ମଞ୍ଚାସୀନ ଥିଲେ। ଓଡ଼ିଶା ଦିବସକୁ ଆଡମ୍ବର ଓ ସଫଳତାର ସହ ପାଳନ କରିବା ପାଇଁ ଶ୍ରୀ ସାହୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏପ୍ରିଲ ପହିଲା ପ୍ରାତ ୫ ଘଟିକା ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ଉତ୍କଳ ବନ୍ଦନା ସଂଗୀତ ପ୍ରଚାର ପ୍ରସାର ମାଲକାନଗିରି ସହରରେ କରାଯିବ। ଉକ୍ତ ଦିନ ପୁରୁଣା କୋର୍ଟ ପରିସରରେ ପୂର୍ବାହ୍ନରେ ଏକ ସଧାରଣ ସଭା କାର୍ଯ୍ଯ ଆୟୋଜନ କରାଯିବ । ନିଜ କାର୍ଯ୍ୟାଳୟ , ବିଦ୍ୟାଳୟ ପରିସର,ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାର ପଦାଧିକାରୀମାନେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଲ୍ୟାର୍ପଣ କରିବେ। ସେହିପରି ଜିଲ୍ଲାର ସମସ୍ତ ବ୍ଳକ, ତହସିଲ, ଗ୍ରାମ ପଞ୍ଚାୟତ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ମାନଙ୍କରେ ଓଡ଼ିଶା ଦିବସ ପାଳନ କରିବାକୁ କୁହାଯାଇଛି। ସମସ୍ତ ସରକାରୀ ଅନୁଷ୍ଠାନକୁ ବିଭିନ୍ନ ରଙ୍ଗର ଆଲୋକମାଳାରେ ସୁସଜ୍ଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା ଓ ସଂଗୀତ ପ୍ରତିଯୋଗିତା ଆୟୋଜନ ହେବ । ବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ। ଆଜିର ପ୍ରସ୍ତିତି ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀମାନେ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post