ମାଲକାନଗିରି,୧୯/୦୩(ପିପିଟି): ମାଲକାନଗିରି ସଦର ମହାକୁମା ସ୍ଥିତ ହୋଟେଲ ସ୍ୱାଗତ ସଭା ଗୃହ ଠାରେ ୟୁଏସ କନସୁଲାଟେ ଜେନେରାଲ ଏବଂ ସାମାଜିକ ସଂଗଠନ ସ୍ଵାତି ପକ୍ଷରୁ ଦୁଇ ଦିନିଆ ମହିଳା ସଶକ୍ତିକରଣ ପାଇଁ ଆଇନ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ ହେଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗ ଦେଇ ଉଦଘାଟନ କରଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଅନୁରଧା ମହାନ୍ତି, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ଯକ୍ଷ ଅଶୋକ କୁମାର ପଟ୍ଟନାୟକ,ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ, ଜିଲ୍ଲା ନିୟୋଜନ ଅଧିକାରୀ ମନସ୍ବି ସେଠୀ ଯୋଗଦେଇଥିଲେ । ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଶୋଷଣ ଏବଂ ହିଂସା ଆଦିକୁ ରୋକିବା ପାଇଁ ସରକାର ପ୍ରଣୟନ କରିଥିବା ବିଭିନ୍ନ ଆଇନ ଓ ଯୋଜନା ବିଷୟରେ ସଚେତନ କରାଯିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ତାଲିମ ପ୍ରାପ୍ତ ମହିଳା ଅନ୍ୟ ମହିଳାମାନଙ୍କ ପାଖରେ ପହଞ୍ଚାଇ ପାରିବେ ତାହା ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଆଇନକୁ ତର୍ଜମା କାରି ମହିଳାମାନଙ୍କ ନ୍ୟାୟ ପ୍ରଦାନ କରିବା ଦିଗରେ ଏହି ପ୍ରଶିକ୍ଷଣ ଉପାଦେୟ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ତତସହିତ ଶିକ୍ଷା,ସ୍ୱାସ୍ଥ୍ୟ, ଆତ୍ମନିର୍ଭରଶୀଳତା,ଲିଙ୍ଗଗତ ହିଂସା, ଆଇନି ଗତ ସୁବିଧା ଓ ସହାୟତା ଏବଂ ପୀଡିତାଙ୍କୁ କ୍ଷତିପୂରଣ ଆଦି କ୍ଷେତ୍ରରେ ମହିଳାମାନଙ୍କର ସକ୍ରିୟ ଭାଗିଦାରିତା ରହିବା ଆବଶ୍ୟକ ବୋଲି ଉପସ୍ଥିତ ଅତିଥିମାନେ ଅଭିଭାଷଣରେ ବ୍ୟକ୍ତ କରିଥିଲେ । ପୁରୁଷ ପ୍ରଧାନ ସମାଜରେ ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯାତନାକୁ ରୋକିବା ପାଇଁ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ । ତାଲିମ ଦାତା ଭାବରେ ସୁଜାତା ମହାପାତ୍ର ଏବଂ ସତ୍ୟଜିତ ପ୍ରତିହାରୀ ଦୁଇ ଦିନର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଉପସ୍ଥିତ ଅଂଶଗ୍ରହଣକାରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆଶା କର୍ମୀ,କୃଷି ମିତ୍ର,ଜଳସାଥୀ, ସ୍ୱଚ୍ଛ ସାଥି, ସମାଜସେବୀ,ୱାନ ଷ୍ଟପ ସେଣ୍ଟର ସଖି,ସ୍ୱାଧାର ଗୃହର ପରାମର୍ଶଦାତ୍ରୀ ଆଦି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)