ଭଞ୍ଜନଗର,୧୩/୦୩(ପିପିଟି): ଉତ୍ତର ଘୁମୁସର ବନଖଣ୍ଡରେ ଗତ କିଛି ମାସ ବ୍ୟବଧାନରେ ଲଗାତାର ଭାବେ ହାତୀର ମୃତ୍ୟୁ ଘଟିବା ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ଆଜି ସକାଳେ ପୁଣିଥରେ ଏକ ହାତୀର ମୃତ୍ୟୁ ଖବର ହସ୍ତଗତ ହୋଇଛି। ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ବନାଞ୍ଚଳର ବିଞ୍ଜଗିରି ବିଟ୍ ଗମ୍ଭାରୀଗୋଚ୍ଛା ଗ୍ରାମ ନିକଟ ଝିଲିମିଲି ଡ୍ୟାମ୍ ନିକଟରେ ଦନ୍ତା ହାତୀ ଉଦ୍ଧାର ହୋଇଛି। ହାତୀର ବୟସ ୧୨ରୁ ୧୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଡିଏଫ୍ଓ ସୁଦର୍ଶନ ବେହେରା ବିଭାଗୀୟ ଅଧିକାରୀ ମାନଙ୍କ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପ୍ରକାଶ କରିଛନ୍ତି। ରାତିରେ ପାଣି ପିଇବା ଉଦ୍ଦେଶ୍ୟରେ ଉକ୍ତ ସ୍ଥାନକୁ ଆସି ଥାଇ ପାରନ୍ତି ବୋଲି ବନ ବିଭାଗ ଅନୁମାନ କରୁଛି। ତେବେ ହାତୀଟି ଝିଲିମିଲି ଘାଇ ନିକଟରେ ଏକ ଜମିରେ ପଡିଥିବା ବେଳେ ଅସ୍ବାଭାବିକ ଭାବେ ହାତୀର ମୃତ୍ୟୁ ଅସୁସ୍ଥତା କାରଣରୁ କିମ୍ବା ଶିକାରୀ ବିଛାଇଥିବା ତାର ଲାଗି ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ହାତୀ ମୃତ୍ୟୁ ଘଟଣା ଜଣାପଡିବା ପରେ ଡିଏଫ୍ଓ ଶ୍ରୀ ବେହେରାଙ୍କ ସମେତ ଏସିଏଫ୍ ବିକ୍ରମ ଦେବ ପଟ୍ଟନାୟକ,ରେଞ୍ଜର ବିମ୍ବାଧର ସାହୁ,ବନପାଳ ବଂଶୀଧର ବିଶୋୟୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ଭୂବନେଶ୍ବରରୁ ଏକ ଯୁଗ୍ମ ଟାସ୍କ୍ ଫୋର୍ସ ଅପରାହ୍ନରେ ପହଞ୍ଚିବା ପରେ ଘଟଣାସ୍ଥଳକୁ ଯାଇ ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ କରିବା ସହ ତଦନ୍ତ କରି ଫେରିଥିଲେ । ଏହାପରେ ପ୍ରାଣୀ ଚିକିତ୍ସା ଅଧିକାରୀ ନିଶିକାନ୍ତ ବଳ,ପ୍ରାକ୍ତନ ରେଞ୍ଜର ଅନୁପମ ବାନାର୍ଜି ପ୍ରମୁଖ ହାତୀଟିର ଶବ ବ୍ୟବଚ୍ଛେଦ କରିବା ସହ ଶରୀରର ବିଭିନ୍ନ ଅଂଶ ସଂଗ୍ରହ କରିଥିଲେ। ବ୍ୟବଚ୍ଛେଦ ପରେ ସେଠାରେ ହିଁ ମୃତଦେହ ପୋତି ଦିଆଯାଇଥିବା ଜଣାପଡିଛି। ବର୍ଷ ଆରମ୍ଭରୁ ଏହି ବନଖଣ୍ଡରେ ୩ଟି ହାତୀ ମୃତ୍ୟୁ ଘଟଣା ବନ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି।
(ରିପୋର୍ଟ- ଜେକେ ପଟ୍ଟନାୟକ। )