କୃଷି ଭିତ୍ତିକ ଗଣନା ପ୍ରଶିକ୍ଷଣ ଶିବିର ଉଦଘାଟିତ ।

0 266

ମାଲକାନଗିରି,୦୮/୦୨(ପିପିଟି): ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ୧୧ତମ କୃଷି ଭିତ୍ତିକ ଗଣନା:୨୦୨୧-୨୨ ନେଇ ଏକ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରତ୍ନାକର ସାହୁ ଯୁଗ୍ମ ଭାବରେ ଏହି ଶିବିରକୁ ଉଦଘାଟନ କରିଥିଲେ । କୃଷକମାନଙ୍କର ବିକାଶ ଏହି କୃଷି ଭିତ୍ତିକ ଗଣନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ । ଏହା ଚାଷୀ ମାନଙ୍କର ରୋଜଗାର ଓ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଖାଦ୍ୟ ନିରାପତ୍ତା ଉପରେ ବହୁତ ଗୁରୁତ୍ଵ ପ୍ରଦାନ କରୁଛନ୍ତି । ତେଣୁ ଏହି କାର୍ଯ୍ୟକ୍ରମ ପ୍ରତ୍ୟକ୍ଷ ଭାବରେ ଖାଦ୍ୟ ସୁରକ୍ଷା ଓ ଜୀବନ ଜୀବିକା ଉପରେ ପ୍ରବାହ ପକାଉଛି ବୋଲି ଶ୍ରୀ ନାଏକ କହିଛନ୍ତି । ଏହି ପରିପ୍ରେକ୍ଷୀରେ ତୃଣମୂଳ ସ୍ତରରେ କୃଷି ଭିତ୍ତିକ ତଥ୍ୟ ସଂଗ୍ରହରେ ନିୟୋଜିତ ସମସ୍ତ କର୍ମଚାରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଉପନିର୍ଦ୍ଦେଶକ ଗୋଲକ ଚନ୍ଦ୍ର ଦଳେଇ ସମସ୍ତଙ୍କୁ ସ୍ଵାଗତ ଜଣାଇ ଏକ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ସୂଚନା ଯୋଗ୍ୟ ଯେ ୧୯୭୦-୭୧ ଦଶକରେ ଦେଶରେ ପ୍ରଥମ କୃଷି ଭିତ୍ତିକ ଗଣନା କାର୍ଯ୍ୟକାରୀ ହୋଇଥିଲା। ପ୍ରତ୍ୟେକ ପାଞ୍ଚ ବର୍ଷରେ ଥରେ ଏହି ଗଣନା କରାଯାଇଥାଏ । ଏହି ଶିବିରରେ ଯୋଜନା ଓ ସଂଯୋଜନ, କୃଷି ଓ କୃଷକ ସଶକ୍ତିକରଣ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ କାର୍ଯ୍ୟରତ ୭ ଟି ବ୍ଲକର ୯୪ ଜଣ ସୁପରଭାଇଜର ( ଆରଆଇ, ବିଏଓ, ଏଡିଓ ଏସଓ) ଏବଂ ଏନୁମେରେଟର ( ଏଆରଆଇ, ଅମିନ, ଏସଏଫଏସ, ଏସଏଫଆଇ , ଭିଏଡବ୍ଲୁ , ଏଓ) ପ୍ରଶିକ୍ଷଣ ନେଇଛନ୍ତି । ୨୦୨୪ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଗଣନାରେ ଶତ ପ୍ରତିଶତ ଗ୍ରାମାଞ୍ଚଳ ଅନ୍ତର୍ଭୁକ୍ତ ହେବ । ସମସ୍ତ ତଥ୍ୟକୁ ଡିଜିଟାଲ ମାଧ୍ୟମରେ ସଂଗ୍ରହ କରାଯିବ ଯାହା ବିଭାଗର ୱେବ ପୋର୍ଟାଲରେ ଉପଲବ୍ଧ ହେବ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଏସଓ ପରମେଶ୍ଵର ରାଉତ ଓ ଯୋଜନା ଅଧିକାରୀ ସୂର୍ଯ୍ୟଦେବ ପ୍ରଧାନ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.