ବ୍ରହ୍ମପୁର,୦୧/୦୨(ପିପିଟି):ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ପେଣ୍ଠ ବଜାର ଏବେ ଯାହା ଅଶାନ୍ତ ହୋଇ ପଡ଼ିଛି । ଆଜି ଭୋର ସକାଳ ପ୍ରାୟ ୪:୩୦ ମିନିଟ୍ ସମୟ ସତ୍ୟ ନାରାୟଣ ସାହୁଙ୍କ ଘର ଉପରେ ଦୁଇଟି ବୋମାମାଡ଼ ହୋଇଛି । ବୋମା ଏତେ ଶକ୍ତିଶାଳୀ ଯେ ଘରର ସଟର ନଷ୍ଟ ହୋଇ ଦ୍ଵିତୀୟ କବାଟ ଭାଙ୍ଗିଯାଇଛି ଓ ପ୍ରଥମ ଘରେ ଥିବା ଦୁଇଟି ସାଇକେଲ ଭାଙ୍ଗିଯିବା ସହ ସ୍କୁଟି ମଧ୍ୟ ଭାଙ୍ଗିଛି ଓ ଘରର ସବୁ ଲାଇଟ୍ ନଷ୍ଟ ହୋଇଯାଇଛି । ଘରର ସମସ୍ତେ ମଝି ଘରେ ଶୋଇଥିଲେ । ଦୁଇଥର ଦାଣ୍ଡରେ ଶବ୍ଦ ଶୁଣି ବାହାରକୁ ଆସିବାପରେ ତାଙ୍କ ଘର ଉପରକୁ ବୋମା ମାଡ଼ ହୋଇଥିବା ଦେଖିବାକୁ ପାଇଲେ ଘର ଲୋକେ । ସୂଚନାଯୋଗ୍ୟ ଯେ ଚିକିଟି ଉପକଣ୍ଠ ପାହାଡ଼ରେ ସକାଳୁ ସଂଧ୍ୟା ପଥର ବିସ୍ଫୋରଣ ହେଉଥିବାରୁ ଲୋକେ ପଥର ଫୁଟିବା ଭାବିଥିଲେ, କେହି ବୋମା ବୋଲି ଭାବିନଥିଲେ, ଘର ଲୋକଙ୍କ ପାଟିଶୁଣି ଲୋକେ ରୁଣ୍ଡ ହୋଇଥିଲେ । ଏନେଇ ସତ୍ୟ ନାରାୟଣ ସାହୁ କେ.ନୂଆଗାଁ ଥାନାରେ ଲିଖିତ ଅଭଯୋଗ କରିଛନ୍ତି । ଅଭଯୋଗ ପରେ ଏ.ଏସ.ଆଇ ସୁରେନ୍ଦ୍ର କୁମାର ମୁର୍ମୁ ତଦନ୍ତ କରୁଥିବା ବେଳେ ଘଟଣା ସ୍ଥଳରେ ଅନୁସନ୍ଧାନି କୁକୁର ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ସ୍ଥାନୀୟ କିଛି ଲୋକଙ୍କ କହିବା ପ୍ରକାରେ ଏକ କାର ରେ କିଛି ଲୋକ ଆସି ପ୍ରଥମେ ଏକ ବୋମା ମାଡ଼ କରି ଚାଲିଯାଇଥିଲେ ପୁଣି ପ୍ରାୟ ବସ ଷ୍ଟାଣ୍ଡ ନିକଟରୁ ପୁଣି କାର ଟି ଫେରିଆସି ଦ୍ଵିତୀୟ ବୋମା ମାଡ଼ କରିଥିଲେ । ମନ୍ତ୍ରୀଙ୍କ ଇଲାକାରେ ପୂଣି ଚିକିଟିପେଣ୍ଠ ବଜାରରେ ଏହା ପ୍ରଥମ ଘଟଣା, ଏହାଦ୍ୱାରା ଲୋକେ ଭୟଭୀତ ଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ ଚିକିଟି ଫାଣ୍ଡିରେ ଦୀର୍ଘ ବର୍ଷେ ହେଲା କେହି ଥାନା ଅଧିକାରୀ ନଥିବାରୁ ଅଞ୍ଚଳରେ ଦୁର୍ବୁତ୍ତ ମାନଙ୍କ ଚରାଭୂଇଁ ପାଲଟିଛି ଓ ପୋଲିସ କୁ ଖୋଲା ଚାଲେଞ୍ଜ ଦେବା ଏଥିରୁ ସ୍ୱଷ୍ଟ ହେଉଛି । ଏନେଇ ତଦନ୍ତ କରୁଥିବା ଏ.ଏସ.ଆଇ ଶ୍ରୀ ମୁର୍ମୁ କହିଛନ୍ତି ଯେ ଆଖ ପାଖରେ ଥିବା କିଛି ଦୋକାନ ର ସିସି ଟିଭି ଯାଞ୍ଚ କରାଯାଉଛି ଓ ତଦନ୍ତ ଚାଲିଛି, ଖୁବ ଶୀଘ୍ର ଅପରାଧୀ ମାନେ ଧରାପଡିବେ ବୋଲି କହିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )
Next Post