ବେଲଗୁଣ୍ଠା,୨୪/୦୭(ପିପିଟି): ଆଧୁନିକ ଯୁଗରେ ବି ଅନ୍ଧବିଶ୍ୱାସ ମାନୁଛନ୍ତି ଲୋକେ।ଗୁଣିଆ ସନ୍ଦେହ କରି ଗୋଟିଏ ପରିବାରକୁ ବାସନ୍ଦ କରିଛନ୍ତି ଗାଁ ଲୋକେ। ତାହା ପୁଣି ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୫ ବର୍ଷ ହେଲାଣି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଦିଗୀ ଗାଁରୁ ସାମ୍ନା କୁ ଆସିଛି ବାସନ୍ଦ ପରି କୁଛିତ ଘଟଣା।ସେହି ଗାଁର ହରିହର ଜେନା ନ୍ୟାୟ ପାଇଁ ପାଞ୍ଚ ବର୍ଷ ହେଲା ଥାନା ଠୁ ଆରମ୍ଭ କରି ଜିଲ୍ଲାପାଳ କାର୍ଯ୍ୟାଳୟ ପଯ୍ୟନ୍ତ ସବୁଠିଁକୁ ଦୌଡୁଛନ୍ତି ।ହେଲେ କିଛି ସୁଫଳ ମିଳୁନି।ସୂଚନା ମୁତାବକ ଆଜିକୁ ପାଞ୍ଚ ବର୍ଷ ପୂର୍ବେ ସେହି ଗାଁରେ ଏକ ଝିଅର ମୃତ୍ୟୁ ହେବା ପରେ ଗାଁ ଲୋକେ କିଏ ଗୁଣିକରି ମାରିଥିବା ସନ୍ଦେହ କରି ଖଟବିଦ୍ୟାର ଆଶ୍ରୟ ନେଇଥିଲେ।ଖଟ ହରିହରଙ୍କ ସମେତ ଆଉ ଚାରି ଜଣଙ୍କୁ ମଧ୍ୟ ଲାଗିଥିଲା। ହେଲେ ଗୁଣିଆ କଥାକୁ ବିଶ୍ୱାସ କରି ହରିହର ସେମାନଙ୍କ ମଧ୍ୟରେ ମୁଖ୍ୟ ଆଉ ସେ ହିଁ ଗୁଣି କରି ଝିଅକୁ ମାରିଥିବା କହି ତାଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ କରିବା ସହିତ ୨ଲକ୍ଷ ଟଙ୍କା ଜୋରିମାନା ପକାଇଥିଲେ। କେବଳ ସେତିକି ନୁହେଁ ଗାଁ ଲୋକ ତାଙ୍କ ଦାନ୍ତ ଭାଙ୍ଗି ତାଙ୍କୁ ବିଷ୍ଟା ମଧ୍ୟ ଜୋର ଜବରଦସ୍ତ ଖୁଆଇଥିଲେ । ଏତେ ଗୁଡିଏ ଟଙ୍କା ଯୋଗାଡ କରି ଦେଇପାରିନଥିଲେ ହରିହର। ସେ ସମୟରେ ଥିବା ଗାଁ ସଭାପତିଙ୍କ ନେତୃତ୍ୱରେ ଗାଁରେ ବୈଠକ କରି ହରିହର ପରିବାରକୁ ଗାଁ ରୁ ବାସନ୍ଦ କରି ଥିଲେ । ଗାଁ ଲୋକେ ତାଙ୍କୁ ବାସନ୍ଦ କରିବା କଥା କୂଳକୁ ଜଣାଇବା ପରେ କୁଳ ସମାଜରେ ମଧ୍ୟ ତାଙ୍କ ପରିବାରକୁ ବାସନ୍ଦ କରିଦିଆ ଯାଇଛି।ନ୍ୟାୟ ଦେବା ପାଇଁ ଏସ୍ ପି ଙ୍କ ପାଖରେ ଅଭିଯୋଗ କରିଛନ୍ତି ହରିହର।
ଅନ୍ୟପଟେ ଘଟଣା ସମ୍ପର୍କରେ ଗଞ୍ଜାମ ଏସପି ଜାଣିବା ପରେ ଭଞ୍ଜନଗର ଏସଡିପିଓ ଙ୍କୁ ତଦନ୍ତ ନିର୍ଦେଶ ଦେବା ସହ ଖୁବଶୀଘ୍ର ସମସ୍ୟା ର ସମାଧାନ କରାଯିବ ବୋଲି କହିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )
Prev Post
Next Post