ଉଚ୍ଚ ଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ; ସାହାଯ୍ୟ ଅପେକ୍ଷାରେ ଶୁଭ୍ରାଂଶୁ ।

0 294

ଭଞ୍ଜନଗର,୨୨/୦୭(ପିପିଟି): ମଣିଷ ମନରେ ଅନେକ ଉଚ୍ଚ ଆଶା ରହିଥାଏ। ହେଲେ ମନରେ ଉଙ୍କି ମାରୁଥିବା ସ୍ୱପ୍ନ ଗୁଡ଼ିକ ବାସ୍ତବ କ୍ଷେତ୍ରରେ ପୂରଣ ହୋଇପାରିବ କି ନାହିଁ ତାହାକୁ ନେଇ ସେ ଆଶା ଓ ଆଶଙ୍କା ଭିତରେ ରହିଥାଏ।ଜୀବନ ସଂଗ୍ରାମରେ ସଫଳତା ପାଇବା ପାଇଁ ତାକୁ ଅନେକ ପରିଶ୍ରମ କରିବାକୁ ପଡ଼େ।ହେଲେ ଦୃଢ଼ ଆତ୍ମବିଶ୍ବାସ ତାକୁ ଆଗକୁ ବଢ଼ିବାରେ ସହାୟକ ହୁଏ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ଗ୍ରାମର ଶୁଭ୍ରାଂଶୁ ଶେଖର ସାହୁ ଜଣେ ଛାତ୍ର ହେଲେ ମଧ୍ୟ ପରିବାରରେ ଲାଗିରହିଥିବା ଅଭାବ ଅନାଟନକୁ ଦୂର କରିବାପାଇଁ ସେ ସଂକଳ୍ପବଦ୍ଧ। ପିଲାଟି ଦିନରୁ ଶୁଭ୍ରାଂଶୁର ପାଠ ପଢା ପ୍ରତି ବହୁ ଆଗ୍ରହ। ହେଲେ ଅର୍ଥାଭାବ ଯୋଗୁଁ ସେ ଆଜି ଉଚ୍ଚ ଶିକ୍ଷାରୁ ବଞ୍ଚିତ।ଶୁଭ୍ରାଂଶୁଙ୍କ ପିତା ଯୋଗେନ୍ଦ୍ର ସାହୁ ଜଣେ କ୍ଷୁଦ୍ର ବ୍ୟବସାୟୀ । ଭଞ୍ଜନଗର କୋର୍ଟ ସମ୍ମୁଖ ରାସ୍ତା କଡରେ ବସି ବହି ଓ ଖେଳନା ବିକ୍ରି କରନ୍ତି। ଯାହା ରୋଜଗାର ହୁଏ ସେଥିରେ ପରିବାର ପ୍ରତିପୋଷଣ କରିବା କଷ୍ଟକର। ହେଲେ ଶୁଭ୍ରାଂଶୁ ଜଣେ ମେଧାବୀ ଛାତ୍ର ହୋଇଥିବାରୁ ଚଳିତ ମାଟ୍ରିକ ପରୀକ୍ଷାରେ କୁଲାଡ଼ ଉପେନ୍ଦ୍ର ଭଞ୍ଜ ବିଦ୍ୟାପୀଠରୁ ଏ-୧ଗ୍ରେଡ଼ରେ ୫୫୮ନଂ (୯୩%)ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।ଆଗକୁ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ +୨ ବିଜ୍ଞାନରେ ଅଧ୍ୟୟନ କରିବାକୁ ଇଚ୍ଛା ଥିଲେ ମଧ୍ୟ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପିତା ଯୋଗେନ୍ଦ୍ରଙ୍କ ପାଇଁ ପୁଅର ପାଠପଢ଼ା ସମ୍ଭବ ହୋଇ ପାରୁନାହିଁ।ହେଲେ ଶୁଭ୍ରାଂଶୁ କିଛି ସରକାରୀ ସାହଯ୍ୟକୁ ଅପେକ୍ଷା କରି ରହିଛନ୍ତି ଯାହା ଫଳରେ ସେ ଉଚ୍ଚ ଶିକ୍ଷା ଲାଭ କରି ପରିବାରର ଦୁଃଖ ଦୁର୍ଦ୍ଦଶା ଦୂର କରିବାରେ ସମର୍ଥ ହେବେ ବୋଲି ଆଶା ରଖିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.