୨ଟି ହାତୀଦାନ୍ତ ଓ କୁରାଢ଼ୀ ଜବତ; ୩ଶିକାରୀ ଗିରଫ ।

0 442

ଭଞ୍ଜନଗର,୧୪/୦୭(ପିପିଟି): ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ରେଞ୍ଜ କାନବିନ୍ଧା ସଂରକ୍ଷିତ ଜଙ୍ଗଲରେ ଗତ ୬ତାରିଖରେ ଏକ ହାତୀର ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ।ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତରୁ ଶିକାରୀ ମାନେ ହାତୀଟିକୁ ଗୁଳି କରି ତାର ଦାନ୍ତ କାଟି ନେଇଥିବା ଜଣାପଡିଥିଲା।ଏଭଳି ଘଟଣା ଏହି ବନଖଣ୍ଡ ପାଇଁ ପ୍ରଥମ ହୋଇ ଥିବାରୁ କିଛି ଦିନ ହେବ କାର୍ଯ୍ୟରେ ଯୋଗ ଦେଇଥିବା ନୂତନ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ଏହି ଘଟଣାକୁ ସେ ଗୁରୁତର ସହ ନେଇ ତଦନ୍ତକୁ ଜୋରଦାର କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ।ଶେଷରେ ସନ୍ଦେହରେ ବୁଧବାର ଦଦରା ଲୁଣ୍ଡା ପଞ୍ଚାୟତର ବେଲାଟୁନ ଗ୍ରାମର ୩ଜଣଙ୍କୁ ଅଟକ ରଖି ପଚରା ଉଚରା କରିବାରୁ ସେମାନେ ହିଁ ହାତୀଟିକୁ ମାରି ତାର ଦାନ୍ତକୁ କୁରାଢ଼ି ସାହାଯ୍ୟରେ ହାଣି ନିକଟସ୍ଥ ଜଙ୍ଗଲରେ ଗାତ ଖୋଳି ପୋତିଥିବା ସ୍ୱୀକାର କରିଥିଲେ।ବନ କର୍ମଚାରୀ ମାନେ ଉକ୍ତ ସ୍ଥାନରେ ପୋତା ଯାଇଥିବା ଖଣ୍ଡ ବିଖଣ୍ଡିତ ହାତୀ ଦାନ୍ତ ଉଦ୍ଧାର କରିଥିଲେ।ଅଭିଯୁକ୍ତମାନେ ହେଲେ ରୁନା ଦିଗାଲ, ଦୀପକ ଦିଗାଲ ଓ ଯୁବରାଜ ଦିଗାଲ।ଏହି ଘଟଣାରେ ୧୫୦/୨୨ଏମ ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।ସମସ୍ତ ଅପରାଧୀଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଉ କିଛି ଲୋକ ଏଥିରେ ସମ୍ପୃକ୍ତ ଥିବାରୁ ତଦନ୍ତ ଜାରି ରହିଥିବା ଡିଏଫଓ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି।
(ରିପୋର୍ଟ-ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.