ବେଗୁନିଆରେ ଦନ୍ତାହାତୀ ।

0 266

ବେଗୁନିଆ,୧୦/୦୬(ପିପିଟି):ଖାଦ୍ୟ ଅନ୍ୱେଷଣ ରେ ଚନ୍ଦକା ଜଙ୍ଗଲରୁ ଏକ ଦନ୍ତା ହାତୀ ଗତକାଲି ରାତିରେ ଖସି ଆସି ଆଜି ସକାଳୁ ବେଗୁନିଆ ପେଟ୍ରୋଲ ପମ୍ପ ନିକଟସ୍ଥ ଗହୀରରେ ବୁଲୁଥିବାର ଦେଖିବାକୁ ମିଳିଥିଲା ।ପଥଚାରୀ ମାନେ ଆଜି ଭୋର ସମୟରେ ହାତୀଟିକୁ ଦେଖି ବେଗୁନିଆ ବନପାଳ ପ୍ରିୟଦର୍ଶିନୀ ସେଠୀଙ୍କୁ ଖବର ଦେଇଥିଲେ ।ସେ ଖୋର୍ଦ୍ଧା ରେଞ୍ଜର ଜୟକୃଷ୍ଣ ପଣ୍ଡାଙ୍କୁ ଖବର ଦେବା ପରେ ତାଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ । ହାତୀଟିକୁ କିଛି ବାଟ ଘଉଡାଇବା ପରେ ସେ ଲୋକ ଗହଳି ଦେଖି ପୁନଶ୍ଚ ପଛକୁ ଫେରି ଆସୁଥିଲା । ଏହିପରି କିଛି ସମୟ ଚାଲିବା ପରେ ବେଗୁନିଆ ଥାନା ଏବଂ ବାଘମାରୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଗହଳି ଭାଙ୍ଗିବା ପାଇଁ କହିଥିଲେ । କିନ୍ତୁ ରାସ୍ତା ଉପରେ ଲୋକସଂଖ୍ୟା ବେଳକୁ ବେଳ ବଢିବା ଯୋଗୁଁ ସେମାନଙ୍କୁ ଦେଖି ହାତୀଟି ରାସ୍ତାନିକଟରୁ କିଛି ଦୂରକୁ ଯାଇ ଗହୀରରେ ଥିବା ଗଛ ନିକଟରେ ଛିଡା ହୋଇଥିଲା ।ପରେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ଉଭୟ ପାର୍ଶ୍ୱକୁ କିଛି ସମୟ ବନ୍ଦ କରାଯାଇ ହାତୀକୁ ବନବିଭାଗ କର୍ମଚାରୀମାନେ ଘଉଡ଼ାଇ ସିମୋର ବାଘମାରୀ ରାସ୍ତା ପାର କରାଇଥିଲେ । ପ୍ରବଳ ଗ୍ରୀଷ୍ମ ଉତ୍ତାପରେ କର୍ମଚାରୀମାନେ ହାତୀଟିକୁ ଘଉଡ଼ାଇ ଅପରାହ୍ନ ସୁଦ୍ଧା କୁମ୍ଭୀଲ ନିକଟରେ ପହଞ୍ଚାଇଥିଲେ । ବନବିଭାଗ କର୍ମଚାରୀମାନେ ସେଠାରେ ଉପସ୍ଥିତ ରହି ତାକୁ ସେଠାରୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.