ମାଲକାନଗିରି,୩୧/୦୫(ପିପିଟି): ଦରବୃଦ୍ଧି ଓ ବେକାରୀ ବିରୋଧରେ ଆଜି ମାଲକାନଗିରି ସିପିଆଇ(ଏମ) ପକ୍ଷରୁ ପ୍ରତିବାଦ କରାଯାଇଛି।ସିପିଆଇ(ଏମ)ର ଜିଲ୍ଲା ସଂପାଦକ ବ୍ରଜ ମାଝିଙ୍କ ନେତୃତ୍ବରେ ଶତାଧିକ କର୍ମୀ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଏକତ୍ରିତ ହୋଇ ଏକ ବିରାଟ ରାଲିରେ ବାହାରି ସହର ପରିକ୍ରମା କରିଥିଲେ। ଏଥିସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।ସିପିଆଇଏମ ପ୍ରଦାନ କରିଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଆକାଶ ଛୁଆଁ ହେବା ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇସାରିଲେଣି। ପେଟ୍ରୋଲଜାତ ଦ୍ରବ୍ୟ,ପନିପରିବା,ରନ୍ଧନ ଗ୍ୟାସ, ଖାଇବା ତେଲ ସହ ଅନ୍ୟାନ୍ୟ ଜିନିଷର ଦାମ ମଧ୍ୟ ଆକାଶ ଛୁଆଁ ହୋଇଯାଇଛି।ମୁଲ୍ୟବୃଦ୍ଧି ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି। କୋଟି କୋଟି ଲୋକ ଗରିବରୁ ଆହୁରି ଗରିବ ହୋଇଗଲେଣି। ସରକାର ପେଟ୍ରୋଲ ଓ ଡିଜେଲ ଦର କମାଇଥିଲେ ମଧ୍ୟ ତୈଳ ଦର ଉପରେ ଶହେ ପ୍ରତିଶତ ଟିକସ ଆଦାୟ କରାଯାଉଛି।ଲଗାତାର ଦର ବଢୁଥିବାରୁ ଲୋକେ ସେସବୁ ଜିନିଷ କିଣିବା ଅସମ୍ଭବ ହୋଇପଡୁଛି। ଓଡିଶାର ଖରିଫ ସମୟରେ ପ୍ରାୟ ୪ ଲକ୍ଷ ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଟୋକେନ ପାଇଥିଲେ ସୁଦ୍ଧା ସରକାର ଧାନ କିଣିଲେ ନାହିଁ।ଫଳରେ ଚାଷି କ୍ବିଣ୍ଟାଲ ପ୍ରତି ୧ ହଜାର ଏବଂ ୧୨ ଶଙ ଟଂକାରେ ବିକ୍ରି କରିବାକୁ ବାଧ୍ୟ ହେଲେ।ତୁରନ୍ତ ସମସ୍ତ ଜିନିଷର ଦରଦାମ କମାଇବା ପାଇଁ ସିପିଆଇଏମ ଏବଂ ଅଲଇଣ୍ଡିଆ ଫରୱାର୍ଡ ବ୍ଲକ ଭଳି ବାମପନ୍ଥି ଦଳମାନେ ମଧ୍ୟ ଏଥିପାଇଁ ଆହ୍ବାନ ଦେଉଥିବା କୁହାଯାଇଛି।ଆଜିର ଏହି ରାଲି ଓ ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭୁପେଶ କର୍ମାକର,ଧବୁଲୁ ବେହରା, ନିଧି ହନ୍ତାଳ,ବଳରାମ ଗଲୋରୀ, ମଙ୍ଗୁ ମାଟୋମ,ଜଗବନ୍ଧୁ ଆଲାଙ୍ଗ, ଲୋକନାଥ ମାଡକାମୀ , ସୋନିଆ ମାଢି,କୃଷ୍ଣ ପାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)