ହସ୍ତଶିଳ୍ପ ପ୍ରଦର୍ଶନୀରେ ବ୍ୟବସାୟୀଙ୍କ ସନ୍ଦେହ ଜନକ ମୃତ୍ୟୁ ।

0 463

ଭଞ୍ଜନଗର,୩୦/୦୫(ପିପିଟି): ଭଞ୍ଜନଗର ବଳଭଦ୍ର କୃଷକ ବଜାର ଠାରେ ଗତ ୧୮ତାରିଖ ଠାରୁ ଆସନ୍ତା ମାସ ୫ତାରିଖ ପର୍ଯ୍ୟନ୍ତ ସର୍ବ ଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଅରୁପା ଦ୍ୱାରା ଆୟୋଜନ କରାଯାଇଛି। ରବିବାର ବିଳମ୍ବିତ ରାତିରେ ଏସ. ଶିବା ନାମକ ଜଣେ ବ୍ୟବସାୟୀଙ୍କ କୌଣସି କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଯାହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଛି।ଶିବାର ଘର ୟୁନିଟ-୩,ଭୁବନେଶ୍ୱର ଅଞ୍ଚଳରେ ଏବଂ ସେ ଏହି ପ୍ରଦର୍ଶନୀରେ ଏକ ପ୍ଲାଷ୍ଟିକ କଣ୍ଢେଇ ଦୋକାନ କରିଥିଲା। ରାତିରେ ଷ୍ଟଲ ବନ୍ଦ କରିବା ପାଇଁ ଶିବା ସିଡ଼ି ରେ ଚଢ଼ିଥିଲା।ଏହି ସମୟରେ ବିଦ୍ୟୁତ ଆଘାତ ପାଇ ଉକ୍ତ ଯୁବ ବ୍ୟବସାୟୀ ଜଣଙ୍କ ହଠାତ ଟଳି ପଡ଼ିଥିଲେ ।ଏହା ଦେଖି ଅନ୍ୟ ବ୍ୟବସାୟୀ ମାନେ ଗୁରୁତର ଅବସ୍ଥାରେ ତାକୁ ଏକ ଅଟୋ ସାହାଯ୍ୟରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଶିବାକୁ ମୃତ ଘୋଷଣା କରିଥିଲେ।ଏସମ୍ପର୍କରେ ଅରୁପା ପରିଚାଳକଙ୍କ କହିବା ଅନୁସାରେ ଅସାବଧାନତା କାରଣରୁ ସିଡିରୁ ଭାରସାମ୍ୟ ହରାଇ ପଡିଯିବା ପରେ ତାକୁ ମେଡିକାଲ ପଠାଯାଇଥିଲା ବୋଲି କହିଛନ୍ତି। ହେଲେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।ପୋଷ୍ଟ ମଟମ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଏଠାରେ ୮୦ଟି ଷ୍ଟଲରେ ବିଭିନ୍ନ ଘର କରଣା, ହସ୍ତଶିଳ୍ପ, ଖେଳନା ଆଦି ସାମଗ୍ରୀ ବିକ୍ରି ହେଉଥିବାରୁ ପ୍ରତ୍ୟେକ ସନ୍ଧ୍ୟାରେ ଲୋକଙ୍କ ଭିଡ଼ ଜମୁଥିବା ବେଳେ ସୁରକ୍ଷା କୁନେଇ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା ଦେଖାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.