ପୋଲସରା,୦୬/୦୫(ପିପିଟି): ପୋଲସରା ଠାରୁ ବର୍ତ୍ତିନୀ ଯିବା ରାସ୍ତା ରେ ଥିବା ଗୋଟିଏ କଲଭର୍ଟ ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗି ଯିବା ଅବସ୍ଥାରେ ଥିବାରୁ ଏହି ରାସ୍ତାରେ ପ୍ରତିଦିନ ଯାତାୟାତ କରୁଥିବା ଶହ ଶହ ବ୍ୟକ୍ତି ନିଜ ନିଜ ର ଜୀବନକୁ ବିପଦ ପୂର୍ଣ୍ଣ ମନେ କରୁଛନ୍ତି। ଏଥି ସହିତ ଉକ୍ତ କଲଭର୍ଟକୁ ଭାଙ୍ଗି ଯଥାଶୀଘ୍ର ଗୋଟିଏ ନୂତନ କଲଭର୍ଟ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ପୋଲସରା ବ୍ଳକ ଅନ୍ତର୍ଗତ ବର୍ତ୍ତିନୀ ଗ୍ରାମ ପଞ୍ଚାୟତ ର ପଞ୍ଚାୟତ କାର୍ଯ୍ୟାଳୟ ବର୍ତ୍ତିନୀ ଗ୍ରାମ ରେ ରହିଛି। ଏହା ବ୍ୟତୀତ ବର୍ତ୍ତନୀ ଠାରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରହିଛି। ଫଳରେ ପୋଲସରା ଠାରୁ ଡିମ୍ବିରିଆ ରାସ୍ତା ରେ ପ୍ରତିଦିନ ଶହ ଶହ ବ୍ୟକ୍ତି ଡିମ୍ବିରିଆ ରାସ୍ତା ଦେଇ ବର୍ତ୍ତନି , ସୋଡକ,ଢୁଙ୍କାପଡା , ଝିଟିକାବାଡି,କୁଆନନ୍ଦ ହାତିଓଟ ପ୍ରଭୃତି ଗ୍ରାମକୁ ଯାତାୟତ କରିଥାନ୍ତି। ତେବେ ଡିମ୍ବିରିଆ ଶ୍ମଶାନ ନିକଟରେ ଥିବା କଲଭର୍ଟଟି ପ୍ରାୟ ଭାଙ୍ଗି ଯିବା ଅବସ୍ଥାକୁ ଆସିଗଲାଣି। ଦୀର୍ଘ ପ୍ରାୟ ୨୦ ବର୍ଷ ପୂର୍ବେ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ନିର୍ମିତ ଉକ୍ତ କଲଭର୍ଟ ଟି ସମ୍ପୁର୍ଣ୍ଣ ଭାବେ ଦୁର୍ବଳ ହୋଇ ଗଲାଣି। ଫଳରେ ଯେ କୌଣସି ମୁହୂର୍ତ୍ତରେ ଭୁଷୁଡି ପଡିବା ଆଶଙ୍କା ହେଉଛି। ଏପରି କି ସାମାନ୍ୟ ବର୍ଷା ହେଲେ ବର୍ଷା ପାଣିରେ କଲଭର୍ଟ ଟି ଭାସି ଯାଇପାରେ ବୋଲି ଗ୍ରାମବାସୀ କହିଛନ୍ତି। ଉକ୍ତ କଲଭର୍ଟ ଟି ଭାଙ୍ଗି ଗଲେ ପ୍ରାୟ ୧୫ ରୁ ଉର୍ଦ୍ଧ୍ବ ଗ୍ରାମର ଲୋକ ଙ୍କ ଯାତାୟାତ ରେ ଅସୁବିଧା ସୃଷ୍ଟି ହେବ। ବିଶେଷକରି ବର୍ତ୍ତିନି ମହାବିଦ୍ୟାଳୟ ରେ ପାଠ ପଢୁଥିବା ଛାତ୍ରଛାତ୍ରୀ ପାଠପଢାରୁ ବଞ୍ଚିତ ହେବେ। ଏହା ବ୍ୟତୀତ ପନିପରିବା,ଖିର ଓ ଅନ୍ୟାନ୍ୟ ସାମଗ୍ରୀ ଆଣି ପୋଲସରା ବଜାର ରେ ବିକ୍ରି କରି ପେଟ ପୋଷୁଥିବା ୨୦ ରୁ ଅଧିକ ଗାଁ ର ଲୋକ ମାନେ ବଞ୍ଚିବା କଷ୍ଟସାଧ୍ୟ ହୋଇପଡିବ। ଏଣୁ ଗ୍ରାମ୍ୟ ନିର୍ମାଣ ବିଭାଗ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ମୌସୁମୀ ବର୍ଷା ଆରମ୍ଭ ଆଗରୁ କଲଭର୍ଟ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି। ଅନ୍ୟଥା ଡିମ୍ବିରିଆ , ମନଶିଳା,ବେଲଗାଁ,ବଘାଡି , ବର୍ତ୍ତିନି,ଝିଟିକାବାଡି,କୁଆନନ୍ଦ , ସୋଡକ,ଢୁଙ୍କାପଡା , ପ୍ରାଣଦେଇପୁର,ହାତିଓଟ , ଜେମାଦେଇ ପୁର ଏବଂ ଚନ୍ଦ୍ରମା ଦେଇପୁର ଗ୍ରାମ ର ଲୋକମାନେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )