ଭଞ୍ଜନଗର,୨୭/୦୧(ପିପିଟି): ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭଗ ତରଫରୁ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଠାରେ ୭୩ତମ ସାଧାରଣତନ୍ତ୍ର ଦିବସ କୋଭିଡ଼ କଟକଣା ମଧ୍ୟରେ ପାଳନ କରାଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ସକାଳ ସାଢେ଼ ଆଠଟା ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ମହାପୁରୁଷ ମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ଆମେ ଆଜି ସ୍ୱାଧୀନ ଭାରତରେ ବସବାସ କରିପାରୁଛେ। ସମସ୍ତ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ସମ୍ବିଧାନର ପ୍ରଣୟନ କରାଯାଇଛି।ତେଣୁ ଆମେ ଆଜି ଗର୍ବିତ ବୋଲି ମୁଖ୍ୟ ଅତିଥି କହିଥିଲେ। ଏହାପରେ ଅତିଥିମାନେ ସ୍ୱାଧୀନତା ସଂଗ୍ରାମୀଙ୍କୁ ନେଇ ପ୍ରସ୍ତୁତ ଫୋଟ ଗ୍ୟାଲେରୀ ବୁଲି ଦେଖିଥିଲେ।କରୋନା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କିଛି ମେଡ଼ିକାଲ କର୍ମଚାରୀ, ସଫେଇ କର୍ମଚାରୀ,ବିପଦର ବନ୍ଧୁ ସଙ୍ଗଠନ ଓ ଅଟୋ ଆସୋସିଏସନର କର୍ମକର୍ତ୍ତା ମାନଙ୍କୁ ସମ୍ମାନିତ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏଥିରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ମେଡ଼ିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥି, ତହସିଲଦାର ଆଲୋକ କୁମାର ପ୍ରଧାନ, ଥାନା ଅଧିକାରୀ ଧିରେସ କୁମାର ଦାସ ସମ୍ମାନିତ ଅତିଥି ରୂପେ ଯୋଗ ହୋଇଥିଲେ।କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ସଂଯୋଜନା କରିଥିଲେ। ଏହାପରେ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ଉପଖଣ୍ଡ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ପରେ ଚିଦାନନ୍ଦ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।ଶେଷରେ ବାଇପାସ ଚକରା ବିଷୋୟୀ ଛକରେ ବୃକ୍ଷରୋପଣ କରାଯାଇଥିଲା।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )