ମାଲକାନଗିରି,୩୧/୧୨(ପିପିଟି): ଶ୍ରମିକଙ୍କୁ ନକଲି ଟଙ୍କା ଦେଇ ଠକିବା ପଡିଲା ମାହାଙ୍ଗା । ଠକ୍ ଠିକାଦାରକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏମଭି-୭୯ ପୋଲିସ । ନକଲି ଟଙ୍କା ଦେଇ ଠକିଦେଲା ଠିକାଦାର ଶ୍ରମିକମାନଙ୍କୁ। କାମ କରୁଥିବା ଶ୍ରମିକମାନଙ୍କୁ ନକଲି ଟଙ୍କା ଦେଇ ଠକି ଏକ ସପ୍ତାହ ଧରି ଚମ୍ପଟ ମାରିଥିବା ଠିକାଦାରକୁ ଧରିବାରେ ସଫଳ ହୋଇଛି ଏମଭି-୭୯ ପୁଲିସ । ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମଭି – ୭୯ ଥାନା. ଅଧିନସ୍ଥ ଗୋରଖପାଲ୍ଲୀ ଅଞ୍ଚଳର ଶ୍ରମିକମାନଙ୍କ ଅଭିଯୋଗ ଆଧାରରେ ଏମଭି – ୭୯ ପୋଲିସ ଠିକାଦାରଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ କରୁ ଥିଲା । ଏମପିଭି – ୭୦ ଗ୍ରାମର ରସିକ ମଣ୍ଡଳ ନାମକ ଜଣେ ସ୍ଥାନୀୟ ଠିକାଦାର ଗୋରଖପାଲ୍ଲୀ ଗ୍ରାମର କିଛି ଶ୍ରମିକମାନଙ୍କୁ ନେଇ ଆନ୍ଧ୍ରରେ କାମ କରାଇ ଟଙ୍କା ଦେଉନଥିଲା । ଏକ ବର୍ଷ ହେଲା ଠିକାଦାର ଜଣଙ୍କ ଶ୍ରମିକମାନଙ୍କୁ ଟଙ୍କା ଦେବାକୁ ବାରମ୍ବାର ପ୍ରତିଶୃତି ଦେଉଥିଲେ ମଧ୍ୟ ଟଙ୍କାଟିଏ ଦେଉନଥିଲା । ତେବେ ଗତ କିଛି ଦିନ ତଳେ ଠିକାଦାର ଜଣଙ୍କ ରାତିରେ ଶ୍ରମିକମାନଙ୍କ ଘରକୁ ଯାଇ ଟଙ୍କା ଦେଇଆସିଥିଲା । ତେବେ ଶ୍ରମିକମାନେ ଏହି ଟଙ୍କା ନେଇ ଯେତେବେଳେ ଦୋକାନକୁ ସାମଗ୍ରୀ କିଣିବାକୁ ଗଲେ ସେତେବେଳେ ଦୋକାନୀମାନେ ଏହା ନକଲି ନୋଟ କହି ଫେରାଇ ଦେବାରୁ ଠିକାଦାର ଦେଇଥିବା ସବୁ ତକ ଟଙ୍କା ନକଲି ବୋଲି ଜଣାପଡ଼ିଥିଲା ବୋଲି ଗ୍ରାମବାସୀମାନେ ଥାନାରେ ଅଭିଯୋଗ କରିଥିଲେ । ଏମଭି- ୭୯ ପୋଲିସ ଗତ ଏକ ସପ୍ତାହକ ଧରି ଠକ୍ ଠିକାଦାର ରସିକ ମଣ୍ଡଣକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଗତ ୩୦ ତାରଖ ଦିନ ଧରିବାରେ ସଫଳ ହୋଇଛି ପୋଲିସ । ଠିକାଦାର ନିକଟରୁ ୧୭୨୦୦ ଜାଲ ଟଙ୍କା ମଧ୍ଯ ଜବତ କରିଛି ପୋଲିସ । ଆଜି ଠିକାଦାର ରସିକ ମଣ୍ଡଳକୁ କୋର୍ଟ ଚାଲାଣ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)