ମାଲକାନଗିରି,୩୦/ ୧୨(ପିପିଟି): ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବାରୁ ବିଭିନ୍ନ ରାଜନୈତକ ଦଳ ମଧ୍ଯରେ ତତ୍ପରତା ପ୍ରକାଶ ପାଇଛି । ପ୍ରତ୍ଯେକ ଦଳ ନିଜ ନିଜ ଦଳଙ୍କୁ କିପରି ସୁଦୃଢ କରିବା ସହ ବିଜୟ ହାସଲ କରିବେ,ଏଥି ପାଇଁ ବିଭିନ୍ନ ପ୍ରତିଶ୍ରୁତି ଏବଂ କଳ କୌଶଳକୁ ଆପଣେଇ ନେଇଛନ୍ତି ।ମାଲକାନଗିରି ନିର୍ବାଚନ ମଣ୍ଡଳିଟି ଗତ ନିର୍ଯାଚନରେ ବିଜେପି ହାତକୁ ଚାଲି ଯାଇଥିବାରୁ ବିଜେଡିର ସଂଗଠନ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଙ୍ଗୀୟ ସଂପ୍ରଦାୟଙ୍କ ଉପରେ ଯେ କୌଣସି ରାଜନୈତିକ ଦଳର ବିଜୟ ନିର୍ଭର କରୁଥିବାରୁ ବର୍ତ୍ତମାନ ବିଜେଡି ଦଳ ମଧ୍ଯରେ ବଙ୍ଗୀୟ ସଂପ୍ରଦାୟକୁ ନେଇ ପଟେରୁ ଠାରେ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟେରୁ ହରିଚାନ୍ଦ ଗୁରୁଚାନ୍ଦ ଆଶ୍ରମ ପରିସର ଠାରେ ବିଜୁ ଜନତା ଦଳର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମାଲକାନଗିରିରେ ପହଞ୍ଚିବା ପରେ ସେଠାରୁ ବିଜେଡି କର୍ମିମାନେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ପୋଟେରୁ ପର୍ଯ୍ୟନ୍ତ ଦୀର୍ଘ ୨୪ କିଲୋମିଟର ଯାଏଁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ଥିଲେ । ଏହି ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅନ୍ୟତମ ଅତିଥି ରୂପେ ମନ୍ତ୍ରୀ ତୁଷାର କାନ୍ତି ବେହେରା,ସାଂସଦ ରମେଶ ଚନ୍ଦ୍ର ମାଝି, ରାଜ୍ୟ ବିହନ ନିଗମ ଅଧକ୍ଷ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ସାଂସଦ ପ୍ରଦୀପ ମାଝି, ଚିତ୍ରକୋଣ୍ଡା ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳ ସଭାପତି ପୂର୍ଣଚନ୍ଦ୍ର ବାକା, ପୂର୍ବତନ ବିଧାୟକ ତଥା ଏସଡିସି ଅଧ୍ଯକ୍ଷ ମାନସ ମାଡକାମୀ, ସହ-ପର୍ଯ୍ୟବେକ୍ଷକ ପ୍ରକାଶ ଡାଙ୍ଗ, ଜିଲ୍ଲା କାର୍ଯ୍ଯକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ,ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା,ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି,ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝି, ହରିଚାନ୍ଦ ଗୁରୁଚାନ୍ଦ ଆଶ୍ରମ ସଂପାଦକ ରବିନ୍ଦ୍ର ବିଶ୍ୱାସ ପ୍ରମୁଖ ଯୋଗଦେଇଥିଲେ । ମାଲକାନଗିରି ବିଧାନସଭା ମଣ୍ଡଳୀରେ ୪୦ ପ୍ରତିଶତରୁ ଉର୍ଦ୍ଧ୍ବ ବଙ୍ଗୀୟ ଭୋଟର ମାନେ ଥିଲାବେଳେ ଏମାନଙ୍କୁ କିପରି ରାଜ୍ୟ ସରକାରଙ୍କ ବହୁମୁଖୀ ଯୋଜନାରେ ସାମିଲ କରା ଯାଇ ସେମାନଙ୍କ ଉନ୍ନତି କରାଯିବ ସେଥିପାଇଁ ବିଜୁ ଜନତା ଦଳ ତରଫରୁ ଦୀର୍ଘ ପାଞ୍ଚ ମାସ ପୂର୍ବରୁ ପ୍ରୟାସ ଆରମ୍ଭ ହୋଇଥିଲ।। ଜିଲ୍ଲାରେ କ୍ରମଶଃ ବିଜୁ ଜନତା ଦଳ ପ୍ରତି ଏହି ବଙ୍ଗୀୟ ଭୋଟର ମାନେ ଆକୃଷ୍ଟ ହେଉଥିବା ବେଳେ ରାଜ୍ୟ ମୁଖିଆଙ୍କ ନିର୍ମଳ ଭାବମୂର୍ତ୍ତି ଏବଂ ସ୍ୱଛ ଶାସନ ପାଇଁ ଦଳକୁ ସମର୍ଥନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତି ଯୋଜନାର ଶୁଭାରମ୍ଭ ମାଲକାନଗିରି ଜିଲ୍ଲାରୁ ଆରମ୍ଭ କରିଛନ୍ତିା ଯାହାର ପ୍ରଭାବ ସାରା ଓଡିଶାରେ କାର୍ଯ୍ୟକାରୀ ହେଉଛିା ଜିଲ୍ଲା ପ୍ରତି ରାଜ୍ୟ ସରକାର ସଦା ସର୍ବଦା ସ୍ବତନ୍ତ୍ର ଦୃଷ୍ଟି ଦେଇଥିବା ବେଳେ ଜିଲ୍ଲା ବିକାଶ ଧାରାରେ ସାମିଲ ହେବାରେ ଲାଗିଛି ବୋଲି ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ । ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ଦାସ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ରାଜ୍ୟ ସରକାର ସଦା ସର୍ବଦା ଲୋକଙ୍କ ସ୍ବାର୍ଥକୁ ନେଇ ଚିନ୍ତା କରି ଆସିଛନ୍ତି । ରାଜ୍ୟରେ ପଛୁଆ ଅଞ୍ଚଳର ବିକାଶ ସହ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ଏକତ୍ରତ କରିବା ଏବଂ ତାଙ୍କର ବିକାଶ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ ଅଟେ । ତେଣୁ ମୁଖ୍ୟ ମନ୍ତ୍ରୀ ମାଲକାନଗିରି ଜିଲ୍ଲାକୁ ସ୍ବତନ୍ତ୍ର ଦୃଷ୍ଟି ଦେଉଥିବା ସହ ବିଭିନ୍ନ ଲୋକଭିମୁଖୀ ଯୋଜନାର ଶୁଭାରମ୍ଭ ଜିଲ୍ଲାରୁ ଆରମ୍ଭ କରିଛନ୍ତି । ଜିଲ୍ଲାରେ ସ୍ବାସ୍ଥ୍ୟସେବା, ଶିକ୍ଷା, ଗମନା ଗମନ ଆଦି କ୍ଷେତ୍ରରେ ଅନେକ ବିକାଶ ହୋଇଥିବା ବେଳେ ଆଗାମୀ ଦିନରେ ଜିଲ୍ଲାକୁ ଉନ୍ନତିର ଶୀର୍ଷରେ ପହଞ୍ଚାଇବା ପାଇଁ ଲକ୍ଷ୍ଯ ରଖିଥିବା ଶ୍ରୀ ଦାସ ପ୍ରକାଶ କରିଥିଲେ । ଏହି ମିଶ୍ରଣ ପର୍ବ ଅବସରରେ ଜିଲ୍ଲା ବିଜୁ ଜନତା ଦଳରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ବଙ୍ଗୀୟ ଓ ବିଭିନ୍ନ ସମ୍ପ୍ରଦାୟ ଏବଂ ବିଭିନ୍ନ ଦଳର ସମର୍ଥକ ମାନେ ସାମିଲ ହୋଇଥିଲେ । ଏହାସହ ଦଳର ହାତ ମୁଠାକୁ ଟାଣ କରିବା ଏବଂ ଆଗାମୀ ନିର୍ବାଚନରେ କିଭଳି ଭାବେ ଦଳୀୟ ପ୍ରାର୍ଥିମାନଙ୍କୁ ଜୟଯୁକ୍ତ କରିବେ ସେଥିନେଇ ସମସ୍ତେ ଶପଥ ପାଠ କରିଥିଲେ । ଶେଷରେ ହରିଚାନ୍ଦ ଆଶ୍ରମର ମନ୍ଦିର ଏବଂ ଆଶ୍ରମର ଉନ୍ନତି ପାଇଁ ପ୍ରଣବ ପ୍ରକାଶ ଦାସ ଏକ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥବା ସହ ଆଶ୍ରମ ନିର୍ମାଣ ସାରିବା ପରେ ଏହାକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ତେବେ ବିଜୁ ଜନତା ଦଳର ଏହି ମହା ମିଶ୍ରଣ ପର୍ବ ଓ ଜନ ସମର୍ଥନ ବିଜେଡିର ମନବଳକୁ ଦ୍ବିଗୁଣିତ କରିଥିବା ବେଳେ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଏହାର ରୂପରେଖ କଣ ହେବ ଦେଖିବାକୁ ବାକି ରହିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post
Next Post