ସାନଖେମୁଣ୍ଡି,୨୭/୧୨(ପିପିଟି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଗୋଟିଏ ଗୃହ ନିର୍ମାଣ କରି ଦୁଇଟି ନାମ ଦେଇ ଦୁଇଟି ବିଲ୍ କରିନେଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ ପାଟପୁର ପଞ୍ଚାୟତରୁ ଆସିଛି । ପାଟପୁର ବସଷ୍ଟାଣ୍ଡ ଲୋକନାଥେଶ୍ୱର ମନ୍ଦିର ପ୍ରାଙ୍ଗଣ ନିକଟରେ ଆମ ଗାଁ ଆମ ବିକାଶରେ ୫ ଲକ୍ଷ ଟଙ୍କା ବ୍ୟୟରେ ବିଜୁ ପାଠାଗାର ନିର୍ମାଣ ହୋଇଥିଲା । ବିଜୁ ପାଠାଗାର ନିର୍ମାଣ ହେବା ଦିନ ଠାରୁ ଉକ୍ତ ଗୃହ କାହାରିକୁ ମଧ୍ୟ ହସ୍ତାନ୍ତର କରାଯାଇନାହିଁ କି ବର୍ତ୍ତମାନ ସୁଦ୍ଧା ଉଦ୍ଘାଟନ ମଧ୍ୟ ହୋଇନାହିଁ । ବର୍ତ୍ତମାନ ଉକ୍ତ ବିଜୁ ପାଠାଗାର ଗୃହର ନୂତନ ରଙ୍ଗ ଲେପନ କରାଯାଇଛି । ଯଦ୍ଵାରା ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ଦେହ ହୋଇଛି । ଉକ୍ତ ଗୃହର ନାମ ପରିବର୍ତ୍ତନ କରି ଅନ୍ୟ ଏକ ବିଲ୍ କରିବା ପାଇଁ ଯୋଜନା ହେଉଥିବା ଖବର ପାଇ ଅଞ୍ଚଳବାସୀ ପାଟପୁର କନିଷ୍ଠ ଯନ୍ତ୍ରୀ ଦୀପକ ପଟ୍ଟନାୟକଙ୍କୁ ଜଣାଇଥିଲେ । ଯନ୍ତ୍ରୀ ଦୀପକ ପଟ୍ଟନାୟକଙ୍କ ଉକ୍ତ ଗୃହ ନୂତନ ଭାବେ ରଙ୍ଗ ଲେପନ କରାଯାଇଛି ଏବଂ ଏହା ଆଗାମୀ ପଞ୍ଚାୟତ ନିର୍ବାଚନରେ କାର୍ଯ୍ୟରେ ଆସିବ କହିଥିଲେ । ଶୁକ୍ରବାର ସେଠାକୁ କିଛି ସରକାରୀ କର୍ମଚାରୀ ଆସି ମିଶନ ଶକ୍ତି ବୋର୍ଡ ଲଗାଇ ଫୋଟ ଉଠାଇ ଚାଲିଯାଇଥିଲେ । ଏନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । କନିଷ୍ଠ ଯନ୍ତ୍ରୀ ପଟ୍ଟନାୟକଙ୍କୁ ପଚାରିବାରୁ ଏଭଳି ଘଟଣା ସମ୍ପର୍କରେ ମୋର ଅବଗତି ହୋଇନାହିଁ କି ମୁଁ କିଛି ଜାଣିନି ବୋଲି କହିଥିଲେ । ଏନେଇ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀଦତ୍ତ ନାୟକଙ୍କୁ ପଚାରାଯିବାରୁ ମିଶନ ଶକ୍ତି ଗୃହ ତିଆରି ହୋଇନାହିଁ ତିଆରି ହେଲା ପରେ ଗୃହଟି ପରିବର୍ତ୍ତନ କରାଯିବ ବୋଲି କହିଥିଲେ । ସାନଖେମୁଣ୍ଡି ଅଞ୍ଚଳରେ ଏମିତି ଅନେକ ଦୁର୍ନୀତି ହୋଇଛି ତାହା କେବେ ତଦନ୍ତ ହେବ ଏବଂ ଜନ ସାଧାରଣ କେବେ ନ୍ୟାୟ ପାଇବେ ତାହା ଦେଖିବାକୁ ବାକି ରହିଲା । ସାନଖେମୁଣ୍ଡି ଅଞ୍ଚଳର ଅନେକ କାର୍ଯ୍ୟ ବାହାରୁ ଦେଖିବାକୁ ସୁନ୍ଦର କିନ୍ତୁ ଭିତରେ ପୋଲା ବୋଲି ଅଞ୍ଚଳରେ ଚର୍ଚ୍ଚା ।
(ରିପୋର୍ଟ- ଆରତ କୁମାର ହୋତା। )
Prev Post