ମାଲକାନଗିରି,୧୬/୧୨(ପିପିଟି): ଆଜି ମାଲକାନଗିରି ଅନ୍ତର୍ଗତ ମାଥିଲି ବ୍ଲକର ଚାଷୀମାନେ ଧାନର ବିକ୍ରୟ ପରିମାଣ ବଢାଇବା ପାଇଁ ଦାବି କରିଛନ୍ତି । ଯଦି ଦାବି ପୂରଣ ନକରାଯାଏ ତେବେ ଚାଷୀମାନେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସହିତ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।ଘଟଣାରୁ ପ୍ରକାଶ ଯେ, ମାଥିଲି ବ୍ଲକର ମେକ୍କା,କତ୍ତାପାଲ୍ଲୀ,ଭଣ୍ଡାରିପାଙ୍ଗାମ ପଞ୍ଚାୟତର ଚାଷୀମାନେ ଆଜି ମାଲକାନଗିରି ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରି ପ୍ରକାଶ କରିଛନ୍ତି ଯେ, ଏହି ତିନି ପଞ୍ଚାୟତରେ ୨୦ଟି ରାଜସ୍ବ ଗ୍ରାମ ରହିଥିବା ବେଳେ ପ୍ରାୟ. ୬ ହଜାର ପରିବାର ବସବାସ କରନ୍ତି । ଚାଷ ସ୍ଥାନୀୟ ଅଧିବାସୀଙ୍କ ମୁଖ୍ଯ ଜୀବିକା ହୋଇଥିବା ବେଳେ ଏହି ଚାଷ ଉପରେ ଆର୍ଥିକ ମାନଦଣ୍ଡ ନିର୍ଭରଶୀଳ । ଏହି ଅଞ୍ଚଳର ଧାନ ବିକ୍ରୟ ଲାଗି ମେକ୍କା ଠାରେ ଏକ ମାତ୍ର ଧାନ ମଣ୍ଡି ରହିଛି । ଗତ ୨୦୨୦/୨୧ ଖରଫ ବର୍ଷରେ ୪୦୦ ଟୋକେନ୍ ଧାନ ବିକ୍ରୟ ଲାଗି ଚାଷୀମାନଙ୍କୁ ପ୍ରଦାନ କରାଯାଇଥିଲା ବେଳେ ମାତ୍ର ୧୦୦ ଟୋକେନରେ ଚାଷୀ ଧାନ ବିକ୍ରୟ କରିଥିଲେ । ସପ୍ତାହକୁ ଏକ ହଜାର କ୍ବିଣ୍ଟାଲ ଧାନ ବିକ୍ରୟ ଲାଗି ବ୍ଯବସ୍ଥା ରହିଥିଲା । କିନ୍ତୁ ୬ ଶହ ଚାଷୀ ନାମ ପଞ୍ଜୀକରଣ କରିଥିଲେ । ନିୟମ ଅନୁସାରେ ଏକ ହଜାର ଟୋକେନ ଚାଷୀଙ୍କୁ ପ୍ରଦାନ କରିବା କଥା । ତେବେ ଚଳିତ ଖରିଫ ଋତୁ ପାଇଁ ମେକ୍କା ଧାନ ମଣ୍ଡିରେ ସପ୍ତାହକୁ ୨ ହଜାର କ୍ବିଣ୍ଟାଲ ଧାନ ବିକ୍ରୟ ଲାଗି ଦାବି କରିଛନ୍ତି । ଯଦି ସପ୍ତାହକୁ ୨ ହଜାର କ୍ବିଣ୍ଟାଲ ଧାନକୁ ଜିଲ୍ଲା ପ୍ରଶାସନ ନକ୍ରୟ କରେ ତେବେ ଧାନ ମଣ୍ଡିକୁ ବନ୍ଦ କରି ଦିଆ ଯିବ ବୋଲି ଚେତାବନୀ ଦେଇଛନ୍ତି । ଯଦି ଜିଲ୍ଲା
ପ୍ରଶାସନ ଧାନ ନକ୍ରୟକରିବ,ତେବେ ଅନ୍ଯ ରାଜ୍ଯରେ ଚାଷୀମାନେ ଧାନ ବିକ୍ରୟ ଲାଗି ଅନୁମତି ଦେବାକୁ ଦାବି କରିଛନ୍ତି । ଏହି ଦାବି ପତ୍ର ମେକ୍କା ସରପଞ୍ଚ ରାମ ଚନ୍ଦ୍ର ଗୁରୁତେଲି,ଭଣ୍ଡାରୀପାଙ୍ଗାମ ସରପଞ୍ଚ ମନମୋହନ ମାଢି,କତ୍ତାପାଲ୍ଲୀ ସରପଞ୍ଚ ଗୁପ୍ତ ଦୁରୁଆ,ଚାଷୀ ଆବାହକ ସଦାଶିବ ପୂଜାରୀ ଏବଂ ବଳରାମ ଅନଗୁଳିଆ ମାଧ୍ଯମରେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂଙ୍କୁ ପ୍ରଦାନ କରାଯାଇଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post