ଦିଗପହଣ୍ଡି,୨୨/୦୭(ପିପିଟି); ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଖେମୁଣ୍ଡି ମହାବିଦ୍ୟାଳୟ ନିକଟସ୍ଥ ମାଁ ଚାମୁଣ୍ଡେଶ୍ବରୀ ରାସ୍ତା ପାର୍ଶ୍ବରେ ଆଜି ଅପରାହ୍ନରେ ଦୁଇଟି ବାଇକ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ହେଲେ ଚିକିଟି ବ୍ଲକ କେ . ନୂଆଗାଁ ଥାନା ଅର୍ନ୍ତଗତ ବ୍ରାହ୍ମଣ ନୂଆପଡ଼ା ଗ୍ରାମର ଜୁଝା ଗୈାଡ ( ବୁଢ଼ା ) ଛଦ୍ମନାମ ବୋଲି ଜଣାପଡିଛି । ଅନ୍ୟ ଦୁଇଜଣ ହେଲେ ଦିଗପହଣ୍ଡି ଥାନା ଜଲମେରୀପଲ୍ଲୀ ଗ୍ରାମର ବିକାଶ ବିଶ୍ବାଳ ଓ ପାଟପୁର ଥାନା ଧରମପୁର ଗ୍ରାମର ଶଙ୍କର ପାତ୍ର ଗୁରୁତର ଆହତ ହୋଇଥିବା ସୂଚନା ମିଳିପାରିଛି । ଖବରନୁଯାୟୀ , ଗୁରୁବାର ପୂର୍ବାହ୍ନରେ ମୃତକ ବୁଢ଼ା ନିଜ ବାଇକ ( ଓଡି୦୭ କେ ୩୪୮୨ ) ଯୋଗେ ଦିଗପହଣ୍ଡି ନିକଟସ୍ଥ ସୁଣ୍ଡିପଲ୍ଲୀ ଗ୍ରାମ ସମ୍ପର୍କୀୟଙ୍କ ଭୋଜିକୁ ଆସି ଅପରାହ୍ନରେ ନିଜ ଗ୍ରାମ ଫେରୁଥିବା ବେଳେ ଜଲମରୀପଲ୍ଲୀ ନିଜ ମାମୁଁଙ୍କ ଘରେ ରହୁଥିବା ଶଙ୍କର ଓ ବିକାଶ ( ଓଡି ୦୭ ଜେଡ୍ ୪୫୧୭ ) ଯୋଗେ ଦିଗପହଣ୍ଡି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିପାରିଛି । ତେବେ ଦୁର୍ଘଟଣା କିଭଳି ଭାବରେ ଘଟିଛି କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ରାସ୍ତା ପାର୍ଶ୍ବରେ ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ରାସ୍ତାରେ ଯାତାୟାତ କରୁଥିବା କିଛି ଯୁବକ ୧୦୮ ଆମ୍ବୁଲାନ୍ସ ଓ ଦିଗପହଣ୍ଡି ଦମକଳ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲା । ତେବେ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ଡାକ୍ତର ଜୁଝା ଗୌଡ଼ଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ପ୍ରାଥମିକ ଚିକିତ୍ସା ପରେ ଉଭୟ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଘଟଣାପରେ ଦିଗପହଣ୍ଡି ଥାନା ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତକଙ୍କ ପରିବାର ଲୋକେ ବିଳମ୍ବରେ ପହଞ୍ଚିବା ପରେ ଥାନାରେ ଏତଲା ଦେଇଥିଲେ । ଏନେଇ ପୋଲିସ ପକ୍ଷରୁ ମୃତଦେହକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆସନ୍ତା କାଲି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତଖାନାକୁ ପଠାଯିବ ବୋଲି ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )