ମାଲକାନଗିରି,ତା:୧୫/୦୬(ପିପିଟି);ପଡିଆ ହସ୍ପିଟାଲର ଫର୍ମାସିଷ୍ଚ ଅଶ୍ବିନୀ କୁମାର ବିଶ୍ବାଳ ଔଷଧର ବ୍ଯବହୃତ ଅବଧି ସରି ଯାଇଥିବା କହି ମେଡିକଲ ପରିସରରେ ୧୦ ଫୁଟର ଗର୍ତ୍ତ ଖୋଳି ୧୫ ରୁ ୧୬ ବସ୍ତା ଆଇରନ୍ ବଟିକା, ଇଞ୍ଜେକ୍ସନ,ଗ୍ଲୁକୋଜ୍,ଭିଟାମିବନ ଓ ଟନିକ୍ ଆଦି ଲକ୍ଷାଧିକ ଟଙ୍କାର ମୂଲ୍ଯବାନ ଔଷଧ ମାଟି ତଳେ ପୋତି ଦେବା ଘଟଣା ଗଣ ମଧ୍ଯମରେ ପ୍ରକାଶ ପାଇଲା ପରେ ତଦନ୍ତ କରାଯାଇ ସଂପୃକ୍ତ ଫର୍ମାସିଷ୍ଟିଙ୍କୁ ତୁରନ୍ତ ପାଣ୍ଡ୍ରିପାଣି ହସ୍ପିଟାଲକୁ ବଦଳି କରା ଯାଇଛି । ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ,ଗତ ୯ ତାରିଖ ଦିନ ମେଡିସିନ୍ ଦାୟିତ୍ବରେ ଥିବା ପଡିଆ ସ୍ବାସ୍ଥ୍ଯ କେନ୍ଦ୍ରର ଫର୍ମାସିଷ୍ଟ ଅଶ୍ବିନୀ କୁମାର ବିଶ୍ବାଳ କିଛି କର୍ମଚାରୀଙ୍କ ସହଯୋଗରେ ହସ୍ସିଟାଲ ପରିସରରେ ୧୦ ଫୁଟର ଗାତ ଖୋଳି ୨୦୧୬ ମସିହାରୁ ଗଛିତ ହୋଇ ଏକ ପ୍ରକୋଷ୍ଠରେ ପଡିରହିଥିବା ଏକ୍ସପାଇରି ମେଡିସିନଗୁଡିକୁ ପୋତି ଦେଇଥିଲେ ।ଯାହାକି ୧୫କୁ ୧୬ ବସ୍ତା ପରିମାଣର ହେବ ବୋଲି ଜଣା ପଡିଛି । ଏହି ଘଟଣାଟି ପ୍ରଥମେ ଜଣେ ଶିବ ମନ୍ଦିରର ପୂଜକ ତାଙ୍କ ମୋବାଇଲରେ ସୁଟ୍ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ପରେ ସୋସିଆଲ ମିଡିଆରୁ ପ୍ରିଣ୍ଟ ମିଡିଆ ଏବଂ ବୈଦ୍ଯୁତିକ ଗଣ ମାଧ୍ଯମରେ ଏହି ଘଟଣାଟି ଲୋକଲୋଚନକୁ ଆସିଥିଲା । ଫଳରେ ମାଲକାନଗିରି ସଦର ମହକୁମାରୁ ଏଡିଏମଓ ଡକ୍ତର ଶିବ ପ୍ରସାଦ ମହାରଣା ପଡିଆକୁ ଯାଇ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ । ଏ ସଂପର୍କରେ ସରକାରଙ୍କୁ ଅବଗତ କଲା ପରେ ଅଶ୍ବିନୀ ବିଶ୍ବାଳଙ୍କୁ ପଡିଆ ହସ୍ପିଟାଲରୁ ପାଣ୍ଡ୍ରିପାଣି ହସ୍ପିଟାଲକୁ ଗତ ୧୨ ତାରିଖ ଦିନ ବଦଳି କରାଯାଇଛି ।ଅଶ୍ବିନାଙ୍କ କହିବା ଅନୁସାରେ ଯେଉଁ ପ୍ରକୋଷ୍ଠରେ ଏହି ଏକ୍ସପାୟାର ମେଡିସିନ୍ ଗଛିତ ଥିଲା ସେହି ପ୍ରକୋଷ୍ଠରେ କୋଭିଡ-୧୯ର ଜିନିଷ ପତ୍ର ରଖିବା ପାଇଁ ସଫା କରାଯାଇଥିବା କହିଥିଲେ । ତେବେ ଔଷଧର ବୈଧତା ସମାପ୍ତି ହେଲେ ତାକୁ ନଷ୍ଟ କରିବା ପାଇଁ ସିଡିଏମଙ୍କର ଅନୁମତି ଆବଶ୍ଯକ ପଡିଥାଏ । ବିନା ଅନୁମତିରେ ଔଷଧକୁ ପୋତିବା ବା ପୋଡିବାର ଦାୟିତ୍ବ କେବେ ମଧ୍ଯ କୌଣସି ଫର୍ମାସିଷ୍ଟର ନୁହେଁ । ଏହା ବ୍ଯତୀତ ଏକ୍ସପର୍ଟଙ୍କ ଦ୍ବାରା ଔଷଧକୁ ସବୁ ବେଳେ ନଷ୍ଟ କରିବାର ନିୟମ ଥିଲା ବେଳେ କୌଣସି ଫର୍ମାସିଷ୍ଟ ଔଷଧକୁ ଏକ୍ସପୋଜ କରିବାର ନିୟମ ନାହିଁ । ଏହା ଆଇନ ସଂଗତ ନୁହେଁ । ଯଦି କୌଣସି ପ୍ରାଥମିକ ସ୍ବସ୍ଥ୍ଯ କେନ୍ଦ୍ରରେ ଔଷଧ ବୈଧତା ତାରିଖ ସମାପ୍ତ ଘଟେ ତାହା ଜିଲ୍ଲା ମୁଖ୍ଯ ସ୍ବାସ୍ଥ୍ଯ ଅଧିକାରୀଙ୍କ କାର୍ଯ୍ଯାଳୟକୁ ହସ୍ତାନ୍ତର କରାଯାଇଥାଏ । ତେବେ ୨୦୦୮ ମସିହାରୁ ୨୦୨୧ ମସିହା ଯାଏ ଏତେ ପରିମାଣର ଔଷଧ ଗଛିତ ରହିବାର ଉଦ୍ଦ୍ଯେଶ୍ଯ କଣ ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ଉଦ୍ରେକ ହୋଇଛି । ଓଡିଶା ସରକାର ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳକୁ ମହୁ ମୂଲ୍ଯବାନ ଔଷଧ ପ୍ରତି ବର୍ଷ ପ୍ରଚୁର ପରିମାଣରେ ପଠାଉଥିବା ବେଳେ ବିଶେଷ କରି ଡାକ୍ତର ଏବଂ ଫର୍ମାସିଷ୍ଟମାନେ
ଉକ୍ତ ମାଗଣା ଔଷଧକୁ ରୋଗୀଙ୍କୁ ନଦେଇ ପିସି ପାଇବା ପ୍ରଲୋଭନରେ ସଦା ସର୍ବଦା ପ୍ରାଇଭେଟ୍ ମେଡିସିନ୍ ଷ୍ଟୋରରୁ ଔଷଧ କିଣି ସେବନ କରିବା ପାଇଁ ପର୍ଚ୍ଚାରେ ଲେଖିଥାନ୍ତି । ଫଳରେ ସରକାରୀ ହସ୍ପିଟାଲକୁ ଆସିଥିବା ଔଷଧ ବର୍ଷ ବର୍ଷ ଧରି ଗଛିତ ରହିଥାଏ । ବେଳେ ଏହାକୁ ରାତି ଅଧିଆ ପୋଡା ଯାଏ କିମ୍ବା ପୋତା ଯାଇଥାଏ । ଏହା ହେଉଛି ସମଗ୍ର ଓଡିଶାର ସ୍ଥିତି । ବର୍ତ୍ତମାନ ଉଚ୍ଚ କର୍ତ୍ତୃପକ୍ଷ ଘଟଣାଟିକୁ ଗୁରୁତର ସହ ନେଇ ହଠାତ ଅଶ୍ବିନୀଙ୍କୁ ବଦଳି କରିଛି । ସ୍ବାସ୍ଥ ବିଭାଗର ନିର୍ଦ୍ଦେଶ କ୍ରମେ ଅଶ୍ବିନୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯନୁଷ୍ଠାନ ଗ୍ରହଣ ହେୀଇ ପାରେ । ଅନ୍ଯ ପକ୍ଷରେ ପଡିଆ ହସ୍ପିଟାଲରେ ଅଶ୍ବିନୀ ବିଶ୍ବାଳ ଦୀର୍ଘ ୧୫ ବର୍ଷ ହେଲା ଫର୍ମାସିଷ୍ଟ ଭାବେ ଚାକିରୀ କରିବା ଯୋଗୁଁ ସେ ଅଞ୍ଚଳରେ ଖୁବ୍ ପରିଚିତ । ହସ୍ପିଟାଲରେ ଡାକ୍ତର ନଥିବା ବେଳେ ସେ ହିଁ ଡାକ୍ତରଙ୍କ ବଦଳରେ ରୋଗୀ ସେବା କରନ୍ତି । ଏଣେ ବଦଳି ହେବା ଘଟଣା ଲୋକଲୋଚନକୁ ଆସିବା ପରେ ସ୍ଥାନୀୟ ନେତାମାନଙ୍କୁ ଧରି ବଦଳି ଆଦେଶକୁ ନାକଚ କରିବା ପାଇଁ ମାଲକାନଗିରି ସିଡିଏମଙ୍କୁ ଦରଖାସ୍ତ ପଡିଆ ଡାକ୍ତରଙ୍କ ମାଧ୍ଯମରେ ପ୍ରଦାନ କରାଯାଇଛି । କିନ୍ତୁ ବଦଳି ଆଦେଶ ଅପରିବର୍ତ୍ତିତ ରହିବ ବୋଲି ଜଣା ପଡିଛି ।ତେବେ ଅଶ୍ବିନ ବିଶ୍ବାଳ ଆଜି ସନ୍ଧ୍ଯା ସୁଦ୍ଧା ପଡିଆରୁ ଦାୟିତ୍ବ ଫର୍ମାସିଷ୍ଟ ହିରଣ୍ଯ ନାୟକଙ୍କୁ ହସ୍ତାନ୍ତର କରି ଆଗାମୀ କାଲି ପାଣ୍ଡ୍ରିପାଣି ହସ୍ପିଟାଲରେ ଜଏନ୍ କରିବାକୁ ସେ ଗଣ ମାଧ୍ଯମକୁ କହିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାବକାନଗିରି)