ରାୟଗଡା,୧୫/୦୬(ପିପିଟି);ଓଡିଶାରେ ଲକଡାଉନ ଘୋଷଣା ହେବା ଦୀର୍ଘ ୪୦ ଦିନରୁ ଉର୍ଦ୍ଧ ହେଲାଣି ରୋଜଗାର ହରାଇ ବ୍ୟବସାୟୀ ସବୁ ଘରେ ବସିଛନ୍ତି। ସବୁ ଦୋକାନବାଡି ବନ୍ଦ। ସବୁଦିନ ଦୋକାନ ଖୋଲୁଥିଲେ ତେଲ ଲୁଣ ପାଇଁ ଦି ଟଙ୍କା ମିଳୁଥିଲା ହେଲେ ଏବେ ସବୁ ବନ୍ଦ। ଅତି ଆବଶ୍ଯକୀୟ ଜିନିଷ ଛଡା ସବୁ ଦୋକାନ ବନ୍ଦ।ସେଥିପାଇଁ ପେଟ ପାଟଣା ଚିନ୍ତା। ଉଠାଦୋକାନୀ ଠାରୁ ଆରମ୍ଭ କରି ବଡ ଦୋକାନୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି।ସବୁ ପ୍ରକାର ଦୋକାନ ବନ୍ଦ ରହିଛି। ଏହି ଦୋକାନ ମାଲିକ ମାନେ ବ୍ୟାପକ କ୍ଷତି ସହିବା ସହ ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ ମଧ୍ୟ ରୋଜଗାର ହରାଇଛନ୍ତି। ଦିନକୁ ଦୁଇ ମୁଠା ଖାଇବା ମଧ୍ୟ କଷ୍ଟ ହେଲାଣି । ଏପରି ସ୍ଥିତିରେ କେମିତି ପରିବାର ପ୍ରତିପୋଷଣ ହେବ ସମସ୍ତେ ଚିନ୍ତାରେ। ତେଣୁ ଜିଲା ପ୍ରଶାସନ ବ୍ୟବସାୟୀଙ୍କ ପରିବାର ଗୁଜରାଣ ମେଣ୍ଟେଇବା ପାଇଁ ଚିନ୍ତା କରିବା ଆବଶ୍ୟକତା ରହିଛି। ରାୟଗଡା ସହର ଏବଂ ଜିଲ୍ଲାରେ ବ୍ୟବସାୟୀ ରୋଜଗାର ହରାଇ ବସିଛନ୍ତି। ଆଉ ଅଧିକ ଦିନ ଏପରି ଲୋକଙ୍କୁ ରଖିଲେ ନିଶ୍ଚିତ ଭାବେ ଅନେକ ଆତ୍ମହତ୍ୟା ପରି ଦୃଷ୍ଟାନ୍ତ ଦେଖାଦେବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ଆଜି ରାୟଗଡା ନଗର ଭାଜପା ତରଫରୁ ନଗର ସଭାପତି ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେ ୩ ଦଫା ସମ୍ବଳିତ ଦାବୀ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଲକଡାଉନ ସମୟରେ ଦୋକାନ ଭଡା ଛାଡ,ବୈଷୟିକ ବିଦ୍ୟୁତ ବିଲ ପ୍ରତ୍ୟାହାର ଏବଂ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିମାନେ ଦେଇଥିବା ଋଣର ସୁଧ ପାଇଁ ଯେମିତି ସେମାନେ ବ୍ୟବସାୟୀଙ୍କୁ ଚାପ ନପକେଇବେ ସେ ନେଇ ପ୍ରଶାସନକୁ ଦୃଷ୍ଟି ଦେବାପାଇଁ ଅନୁରୋଧ କରାଯାଇଛି।ଏହି ଦାବୀ ପତ୍ର ପ୍ରଦାନ ସମୟରେ ନଗର ସାଧାରଣ ସମ୍ପାଦକ ଅଜୟ କୁମାର ଚୂଲେଟ, ନଗର ମହିଳା ସଭାନେତ୍ରୀ ଲଷ୍ମୀ ବୁରୁଡି, କୋଷାଧକ୍ଷ ବିଦ୍ୟା ସାଗର, ଯୁବ ମୋର୍ଚ୍ଚା ସଭାପତି ରାଜେଶ ପାଣିଗ୍ରାହୀ, ସମ୍ପାଦକ ଜଗଦୀଶ ସୁନାରି, ସୁଶାନ୍ତ ମିଶ୍ର, ଶିବା ଭାସ୍କର,ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଜୟରାମ ବର୍ମା ଜିଲ୍ଲା ଦଳିତ ମୋର୍ଚ୍ଚା ସାଧାରଣ ସମ୍ପାଦକ ଟି.ନାଗରାଜୂ ଉପସ୍ଥିତ ଥିଲେ, ବିଜେପିର ଏଭଳି ପଦକ୍ଷେପକୁ ବ୍ୟବସାୟୀମାନେ ସ୍ୱାଗତ କରିବା ସହ ସମର୍ଥନ ଜଣାଇଛନ୍ତି।
(ରିପୋର୍ଟ – ନବୀନ ନାୟକ ବେହେରା। )