ଜିଲ୍ଲାର ଶିଶୁ ମାନଙ୍କ କରୋନା ଜନିତ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ ।

0 528

ଛତ୍ରପୁର,ତା.୦୮/୦୬(ପିପିଟି); କରୋନା ସଂକ୍ରମଣ ଠାରୁ ଶିଶୁ ମାନଙ୍କର ସୁରକ୍ଷା କରିବା ସକାଶେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ମାନ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଘରକୁ ଘର ବୁଲି ଶିଶୁ ମାନଙ୍କର କୋଭିଡ୍ ଲକ୍ଷଣ ଯାଂଚ୍ କରାଯିବ। ଏହି ଯାଞ୍ଚ ପ୍ରକ୍ରିୟା ଆଗାମୀ ତିନି ମାସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଏକ ଭିଡିଓ କନଫରେନ୍ସିଂ ଆଲୋଚନାରେ ଜିଲ୍ଲାପାଳ ଅବଗତ କରାଇଥିଲେ । ଆସନ୍ତା ଜୁନ୍ ୯ ତାରିଖ ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଆଶାକର୍ମୀ, ଏ.ଏନ୍. ଏମ୍. ଏବଂ ଅଙ୍ଗଓ୍ବାଡି କର୍ମୀଗଣଙ୍କୁ ବ୍ଲକ୍ ସ୍ତରରେ ଏହି ବାବଦକୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଉତ୍ତମ ମାନର ଯାଞ୍ଚ ପ୍ରକ୍ରିୟା ଯେଭଳି ହେବ ସେଥି ନିମନ୍ତେ ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ଲକ୍ଷଣ, ଅକ୍ସିଜେନ ସ୍ତର ଯାଞ୍ଚ କାର୍ଯ୍ୟ କୋଭିଡ୍ ନିୟମ ଅନୁପାଳନ କରାଯାଇ କରାଯିବ । କୋଭିଡ୍ ସଂକ୍ରମଣରୁ ଶିଶୁ ମାନଙ୍କୁ ସୁରକ୍ଷା କରିବା ନେଇ ସମସ୍ତ ପ୍ରକାର ଯତ୍ନ ଗ୍ରହଣ କରାଯିବ । ଲକ୍ଷଣ ଯୁକ୍ତ ଶିଶୁ ମାନଙ୍କୁ ଅଧିକ ଯତ୍ନ ଏବଂ ସୁଷମ ଖାଦ୍ୟ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ଏହି ଅଭିଯାନ ପରିଚାଳନା ଦିଗରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ କମିଶନର୍ ଏବଂ ବ୍ଲକ୍ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ନୋଡାଲ୍ ଅଧିକାରୀ ଭାବେ କାର୍ଯ୍ୟ ସଂପାଦନ କରିବେ । ସାମାନ୍ୟ ଲକ୍ଷଣଯୁକ୍ତ ଶିଶୁ ଯେଉଁ ମାନଙ୍କର ତଣ୍ଟି ଦରଜ ହେବା, କାଶ ହେବା, ଶ୍ବାସକ୍ରିୟାରେ ଅସୁବିଧା ଥିଲେ ସେମାନଙ୍କ ଗୃହରେ ଏକାନ୍ତ ରଖି ଚିକିତ୍ସା କରାଯିବାକୁ ପରାମର୍ଶ ଦିଆଯାଇଛି । ଅଭିଭାବକ କିମ୍ବା ପିତାମାତାଗଣ ଡାକ୍ତର ମାନଙ୍କ ସହିତ କିମ୍ବା ସଂପୃକ୍ତ ଅଧିକାରୀ ମାନଙ୍କ ସହିତ ବରାବର ଯୋଗସୂତ୍ର ରକ୍ଷାକରି ଶିଶୁ ମାନଙ୍କର ଯତ୍ନ ସମ୍ପର୍କରେ ପରାମର୍ଶ ଅନୁଯାୟୀ ଯତ୍ନ ନେବେ । ଗୁରୁତର ଅବସ୍ଥାକୁ ଆସିବା ଜଣାଗଲେ ସଂପୃକ୍ତ ଶିଶୁଙ୍କୁ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିବା ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.