ସି.ପି.ଆଇ (ଏମ୍ ଏଲ୍) ରେଡଷ୍ଟାର ରାଜ୍ୟ ସମ୍ପାଦକ ଶିବରାମଙ୍କ ସ୍ମୃତି ସଭା ।

0 494

ଭୂବନେଶ୍ୱର,ତା୦୨/୦୬(ପିପିଟି); ଶୋଷିତ ନିଷ୍ପେସିତ ଜନତାଙ୍କ ଜନ ନାୟକ ତଥା ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାରର ରାଜ୍ୟ ସମ୍ପାଦକ ଓ ପଲିଟିବ୍ୟୁରୋ ସଦସ୍ୟ ସାଥୀ ଶିବରାମ କରୋନା ମହାମାରୀରେ ଗତ ୨୮ ମଇ ରାତ୍ର ଘ୧୦.୪୪ମି ଶହୀଦ ହୋଇ ଯାଇଛନ୍ତି । ସି.ପି.ଆଇ (ଏମ୍ ଏଲ୍) ରେଡଷ୍ଟାର ରାଜ୍ୟ କମିଟି ପକ୍ଷରୁ ଇନକିଲାବ ଭବନରେ ବିଶିଷ୍ଟ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା ଏବଂ ଶିବରାମଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଅର୍ପଣ କରାଯାଇଥିଲା । ତାଙ୍କର ବିଚକ୍ଷଣ ସାଙ୍ଗଠନିକ ଦକ୍ଷତା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ସଂଗଠନକୁ ବିସ୍ତାର କରିବା ସହ ଓଡ଼ିଶା ଇତିହାସରେ ପାର୍ଟିର ମହାଅଧିବେଶନ ଆୟୋଜନ କରି ପାରିଥିଲେ। ସାଲିସ ବିହୀନ ଶ୍ରମିକ ଆନ୍ଦୋଳନ ଗଢି ଟିୟୁସିଆଇର କେନ୍ଦ୍ରୀୟ କମିଟି ସଦସ୍ୟ ତଥା ରାଜ୍ୟ ସଭାପତି ହୋଇଥିଲେ । ମାଗଣା ଓ ଗୁଣାତ୍ମକ ଶିକ୍ଷା ଆନ୍ଦୋଳନ କୁ ସୁଦୂର ପ୍ରସାରୀ କରିବା ପାଇଁ ଅଖିଳ ଭାରତ ଶିକ୍ଷା ଅଧିକାର ମଞ୍ଚ ଓଡିଶାରେ ଗଠନ କରିବା ପାଇଁ ସେ ଜଣେ ଅଗ୍ରଣୀ ସଦସ୍ୟ ଥିଲେ। ମନୁବାଦୀ ବ୍ରାହ୍ମଣବାଦୀ ସାଂସ୍କୃତିକ ଆକ୍ରମଣ ବିରୁଦ୍ଧରେ ବିପ୍ଳବୀ ସାଂସ୍କୃତିକ ଫୋରମ୍ ଗଠନ କରିଥିଲେ | କର୍ପୋରେଟ ଓ ଫାସିବାଦୀ ଶକ୍ତିକୁ ପ୍ରତିହତ କରିବା ପାଇଁ ଦେଶପ୍ରେମୀ ସାମ୍ମୁଖ୍ୟ ଏବଂ ଜନ ଅଧିକାର ମଞ୍ଚ ଗଠନ କରିବା ପାଇଁ ପ୍ରମୁଖ ଭୂମିକା ନେଇଥିଲେ । ଅନ୍ୟ ନେତାଙ୍କ ସହ ଆଦର୍ଶଗତ ପ୍ରଭେଦ ରଖିଥିଲେ କିନ୍ତୁ ବ୍ୟକ୍ତିଗତ ମତଭେଦ ରହୁନଥିଲା । ତାଙ୍କର ନିରୀହ ହସ, ନମ୍ର ଆଚରଣ ଦ୍ବାରା ଶତ୍ରୁମାନଙ୍କୁ ନିଜର କରି ପାରୁଥିଲେ। ଯେତେବେଳେ ସେ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ସମସ୍ତ କମ୍ୟୁନିଷ୍ଟ ଦଳର ନେତୃତ୍ବକାରୀ ସାଥୀ, କର୍ମୀମାନେ ସରକାରଙ୍କ ସହ ହସ୍ତକ୍ଷେପ କରୁଥିଲେ । ସମସ୍ତେ ଆଶା କରିଥିଲେ ସେ ଶୀଘ୍ର ସୁସ୍ଥ ହୋଇ ଫେରିବେ କିନ୍ତୁ ତାଙ୍କର ନିଧନ ହେବା ସାରା ଦେଶରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତାଙ୍କ ଭଳି ସ୍ନେହପୂର୍ଣ୍ଣ ବ୍ୟକ୍ତିତ୍ୱ, ଆଦର୍ଶଗତ ବ୍ୟକ୍ତିତ୍ବ ବହୁ କମ ବୋଲି ବକ୍ତାମାନେ ମତ ପୋଷଣ କରିଥିଲେ । କମ୍ରେଡ ଶିବରାମ ଭଗତ ସିଂ, ବାବା ସାହେବ ଆମ୍ବେଦକରଙ୍କ ଦର୍ଶନରେ ବିଶ୍ବାସ ରଖି ପାର୍ଟିକୁ ଓ ସମାଜକୁ ଅନେକ ପ୍ରେରଣା ପ୍ରଦାନ କରିଛନ୍ତି ବୋଲି ବର୍ଣ୍ଣନା କରିବା ସହ ତାଙ୍କ ନିମନ୍ତେ ଶୀଘ୍ର ଏକ ରାଷ୍ଟ୍ରୀୟ ସ୍ତରୀୟ ସ୍ମୃତି ସଭା ଓଡ଼ିଶାରେ ଆୟୋଜନ କରାଯିବ ଏବଂ ସ୍ମରଣିକା ପ୍ରକାଶ ପାଇବ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ପଲିଟିବ୍ୟୁରୋ ସଦସ୍ୟ ତୁହିନ ଦେବ ଘୋଷଣା କରିଥିଲେ । ତାଙ୍କ ସାନଭାଇ ଶଙ୍କର ପ୍ରଥମେ ତାଙ୍କ ଜୀବନୀ ଉପସ୍ଥାପନ କରିଥିଲେ । ୧୮ ବର୍ଷର ପୁଅ ସୋନୁର ଦୁଇପଦ କଥା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ମୁଁ ତାଙ୍କ ପୁଅ ଥିଲି କିନ୍ତୁ ଆପଣମାନେ ସବୁକିଛି ଥିଲେ । ମୋ ବାବା ଚାହୁଁଥିଲେ ସମସ୍ତଙ୍କ ପାଇଁ ମୁକ୍ତ ଗୁଣାତ୍ମକ ଶିକ୍ଷା, ଉନ୍ନତମାନର ସ୍ବାସ୍ଥ୍ୟ ସେବା, ହାତକୁ ରୋଜଗାର, ବାସଗୃହ ସମେତ ସମସ୍ତ ମୌଳିକ ସୁବିଧା ସୁଯୋଗ । ଏହି ଅଧୁରା ସ୍ବପ୍ନକୁ ଆପଣ ମାନେ ହିଁ ଏକ ହୋଇ ପୂରଣ କରିବାକୁ ହେବ ବୋଲି ଛଳ ଛଳ ଆଖିରେ ପ୍ରକାଶ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପାର୍ଟିର କେନ୍ଦ୍ରୀୟ କମିଟି ସଦସ୍ୟ ଶଙ୍କର ଦାଶ, ତେଜରାମ ବିଦ୍ରୋହୀ, ବଙ୍ଗଳାର ଶ୍ରମିକ ନେତା ମକସୁଦ, ସିପିଆଇ ର ସତୀଶ ମିଶ୍ର, ସିପିଆଇ ଏମ୍ ର ସାଲ ମାରଣ୍ଡି, ଲିବରେସନର ରାଜ୍ୟ ସମ୍ପାଦକ ଯୁଦ୍ଧିଷ୍ଟିର ମହାପାତ୍ର, ଫରଓ୍ବାଡ ବ୍ଳକର ରାଜ୍ୟ ସମ୍ପାଦକ ଜୋତି ରଞ୍ଜନ ମହାପାତ୍ର, ଏସୟୁସିଆଇ କମ୍ୟୁନିଷ୍ଟ ର ନିରଞ୍ଜନ ମହାନ୍ତି, ସମାଜବାଦୀ ପାର୍ଟିର ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ, ଜୋତ୍ସ୍ନା ମହାନ୍ତି, ବାମପନ୍ଥୀ ଚିନ୍ତକ ଶ୍ରୀମନ୍ତ ମହାନ୍ତି, ଜୟଦେବ ନାୟକ, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ବିବେକ ରଞ୍ଜନ, ରଞ୍ଜନ ମିଶ୍ର, ଟିୟୁସିଆଇ ର ସୁବଳ ଚରଣ ସାହ, ରାଜେନ୍ଦ୍ର ପ୍ରସାଦ, ବସ୍ତି ସୁରକ୍ଷା ମଞ୍ଚ ର ସଭାନେତ୍ରୀ ହେନା ବାରିକ, ବାରିକ ଏବଂ ବସ୍ତି ଆନ୍ଦୋଳନର ଗୋବିନ୍ଦ ସାହୁ, ମିନା ଭୋଇ, ସନ୍ତୋଷ ବାର୍ତ୍ତା, ରଘୁନାଥ ନାଥ, ବିଜୟ ସାମଲ, ଶୁଭଲକ୍ଷ୍ମୀ ସାହୁ, ରଘୁନାଥ ନାଥ, ଅଞ୍ଜନ ନାଥ ଆଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Leave A Reply

Your email address will not be published.