ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ନୌକା ବୁଡି ୩ ନିଖୋଜ ।

0 335

ମାଲକାନଗିରି,ତା:୧୯/୦୫(ପିପିଟି); ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଆଜି ଏକ ନୌକା ବୁଡି ଯିବା ଫଳରେ ୩ ଜଣ ବୁଡି ନିଖୋଜ ହୋଇ ଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ଯେ ଆଜି ସକାଳ ୧୦ ଘଟିକା ସମୟରେ ଚିତ୍ରକୋଣ୍ଡା ଜଳ ଭଣ୍ଡାରର ବିସ୍ତିର୍ଣ୍ଣ ଜଳ ରାଶି ବକ୍ଷ ଭେଦ କରି ଏକ ଦେଶୀ ଡଙ୍ଗାରେ ୧୧ ଜଣ ଯାତ୍ରୀ ବସି ଦାମୋଦର ବେଢାରୁ ଓରାପଦର ଅଭିମୁଖେ ଯାଉଥିଲେ । ତେବେ ଦାମୋଦର ବେଢା ଏବଂ ଓରାପଦର ମଧ୍ଯରେ ଦେଶୀ ଡଙ୍ଗାଟି ଭାରସାମ୍ଯ ହରାଇବା ଫଳରେ ୧୧ ଜଣ ଯାତ୍ରୀ ଜଳରେ ବୁଡିଯାଇଥିଲେ । ତନ୍ମଧ୍ଯରୁ ୮ ଜଣ ଯାତ୍ରୀ ସନ୍ତରଣ କରି କୂଳରେ ଲାଗିଥିବା ବେଳେ ୩ ଜଣ ଯାତ୍ରୀ ନିଖୋଜ ରହିଥିବା ଜଣା ପଡିଛି । ସେହି ନିଖୋଜଙ୍କ ମଧ୍ଯରେ ଏକ ବର୍ଷର ସନ୍ତାନ ଏବଂ ତା’ର ମା’ ରହିଥିବା ବେଳେ ଅନ୍ଯ ଏକ ବୃଦ୍ଧା ରହିଥିବା କୁହାଯାଇଛି । ସୂଚନା ପାଇ କୁଡୁମ୍ମୁଲଗୁମ୍ମାରୁ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ମଧ୍ଯ ବର୍ତ୍ତମାନ ପର୍ଯ୍ଯନ୍ତ ୩ ଜଣ ଯାତ୍ରୀଙ୍କୁ ଉଦ୍ଧର କରାଯାଇ ନଥିବା ଜଣା ପଡିଛି । ବିଛିନ୍ନ ଅଞ୍ଚଳକୁ ଯୋଗାଯୋଗ କରିବା ପାଇଁ ରାଜ୍ଯ ସରକାର ଗୁରୁପ୍ରୀୟା ସେତୁ ନିର୍ମାଣ କରିଥିଲେ ମଧ୍ଯ ବହୁତ ଗ୍ରାମକୁ ଯୋଗାଯୋଗ ପାଇଁ ଆଜି ମଧ୍ଯ ସ୍ଥାନୀୟ ଲୋକେ ନୌକା ଉପରେ ନିର୍ଭରଶୀଳ ।ବହୁବାର ଜଳ ଯାତ୍ରା ବେଳେ ନୌକା ବୁଡି ଜୀବନ ହାନୀ ଘଟୁଥିଲେ ମଧ୍ଯ ଉଦ୍ଧାର କରିବା ଲାଗି ନିକଟବର୍ତ୍ତୀ ଅଞ୍ଚଳରେ ଅଗ୍ନିଶମ କାର୍ଯ୍ଯାଳୟ ନଥିବାରୁ କୌଣସି ଦୁର୍ଘଟଣା ଗ୍ରସ୍ତ ଲୋକମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପାରୁ ନାହିଁ । ଏଣୁ ରାଜ୍ଯ ସରକାର ଏଥି ପ୍ରତି ଧ୍ଯାନ ଦେବାକୁ ସାଧାରଣରେ ଦାବି ହୋଇଛି ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି )

Leave A Reply

Your email address will not be published.